ଭୁବନେଶ୍ୱର : ସାରା ରାଜ୍ୟରେ ୧୦ ତାରିଖରୁ ପ୍ରିକସନ୍ ଡୋଜ୍ ବା ବୁଷ୍ଟର ଡୋଜ୍ ଦିଆଯିବ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍ବାସ୍ଥ୍ୟ କର୍ମୀ, ସମ୍ମୁଖଯୋଦ୍ଧା, ୬୦ବର୍ଷରୁ ଅଧିକ ବର୍ଗର ଯେଉଁମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ୩୯ସପ୍ତାହ ହୋଇଥିବ ସେମାନଙ୍କୁ ଏହି ଡୋଜ୍ ଟିକା ଦିଆଯିବ। ୧୫ରୁ ୧୮ବର୍ଷ ବୟସ୍କଙ୍କର ଏବେ ଟିକାକରଣ ଚାଲିଥିବାରୁ ଦୁଇ ବର୍ଗଙ୍କ ପାଇଁ ପୃଥକପୃଥକ ଟିକାଦାନ କେନ୍ଦ୍ର କରାଯାଇଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୬୦ବର୍ଷରୁ ଉର୍ଦ୍ଧ୍ବ ପ୍ରାୟ ୬୦ଲକ୍ଷ ୩୭ହଜାର ଲୋକ ପ୍ରିକସନ୍ ଡୋଜ୍ ନେବାକୁ ଥିବା ବେଳେ ୭ଲକ୍ଷ ୫ହଜାର ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି। ଯେଉଁମାନଙ୍କର ଦ୍ବିତୀୟ ଡୋଜ୍କୁ ଯେଉଁଦିନ ୩୯ସପ୍ତାହ ପୂରୁଥିବ ସେହି ଦିନ ଟିକା ନେବା ପାଇଁ ପଞ୍ଜୀକୃ୍ତ ନମ୍ବରରେ ମେସେଜ୍ ପଠାଯାଉଛି। ଏହାପରେ ସ୍ଲଟ୍ ବୁକିଂ କରି ଟିକା ନେଇପାରିବେ। ଟିକାକରଣ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ବହୁତ କମ୍ ଲୋକ ଟିକା ନେଇଥିବାରୁ ଏବେ ପ୍ରିକସନ୍ ଡୋଜ୍ ପାଇଁ ଭିଡ଼ ହେବନି। ହେଲେ ପରେ ଏହା ବଢ଼ିବ। ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଟିକାଦାନ କେନ୍ଦ୍ର କରାଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି ଯେ ଅଗ୍ରାଧିକାର ଭିତ୍ତିରେ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ସେହିପରି ସଂକ୍ରମଣ ବଢ଼ିବା ନେଇ ଡାକ୍ତର ମହାପାତ୍ର କହିଛନ୍ତି ଯେ, ଏବେ ସାରା ଦେଶରେ ଅାକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଆମର ବି ବଢ଼ୁଛି। କେବେ ଶୀର୍ଷରେ ପହଞ୍ଚିବ ଆକଳନ କରିହେବନି। ତେଣୁ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବାକୁ ହେବ ଏବଂ ସାମାଜିକ ଦୂରତ୍ବ ରଖିବାକୁ ହେବ। ସଂକ୍ରମଣ ଚେନ୍ ଭାଙ୍ଗିଲେ ହିଁ କରୋନା ନିୟନ୍ତ୍ରଣକୁ ଆସିପାରିବ।
Follow Us