ପର୍ଜଙ୍ଗରେ ବୁଥ ପରିବର୍ତ୍ତନ ମାମଲା : ନିୟମ ଅନୁସାରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Advertisment
ପର୍ଜଙ୍ଗରେ ବୁଥ ପରିବର୍ତ୍ତନ ମାମଲା : ନିୟମ ଅନୁସାରେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

କଟକ : ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ କୁମୁସୀ ପଞ୍ଚାୟତ ବୁଥ ପରିବର୍ତ୍ତନ ନେଇ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଜରୁରିକାଳୀନ ଭିତ୍ତିରେ ଆଇନ ଅନୁସାରେ ଆବେଦନକାରୀଙ୍କ ଦରଖାସ୍ତ ବିଚାରକୁ ନେଇ ପଦକ୍ଷେପ ନେବାକୁ ନିର୍ବାଚନ ଅଧିକାରୀ ତଥା କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପୂର୍ବରୁ ଏହି ନିର୍ଦେଶନାମା ପାଳନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ କାମାକ୍ଷାନଗର ଉପଖଣ୍ଡ ଅଧିନସ୍ଥ ପର୍ଜଙ୍ଗ ବ୍ଲକ କୁମୁସୀ ଗ୍ରାମ ପଞ୍ଚାୟତବାସୀ ପୂର୍ବରୁ ନୋଡାଲ ହାଇସ୍କୁଲରେ ମତଦାନ କରିଆସୁଥିଲେ। ତେବେ ରାଜନୈତିକ ମନ୍ଦ ଉଦ୍ଦେଶ୍ୟ ରଖି ବୁଥକୁ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବ ସ୍ଥାନ ଠାରୁ ମାତ୍ର ୭ଶହ ମିଟର ଦୂରରେ ଅବସ୍ଥିତ କୁମୁସୀ ୟୁପି ସ୍କୁଲକୁ ଭୋଟ ଗ୍ରହଣ କେନ୍ଦ୍ର ଚିହ୍ନଟ କରାଯାଇଥିଲା। ତେବେ ଏହାକୁ ଚାଲେଞ୍ଜ କରି କୁମୁସୀ ପଞ୍ଚାୟତ ପୂର୍ବତନ ସରପଞ୍ଚ କରଣ ବେହେରା ହାଇକୋର୍ଟରେ ଏକ ମାମଲା ଦାୟର କରିବା ସହ ଚିହ୍ନଟ ଭୋଟଦାନ କେନ୍ଦ୍ରରେ ନାନା ସମସ୍ୟା ଥିବା ଦର୍ଶାଇଥିଲେ। ସେଠାରେ ପାଣିର ବ୍ୟବସ୍ଥା ନଥିବାବେଳେ ବସିବା ପାଇଁ ସ୍ଥାନାଭାବ ରହିଛି। ତେଣୁ ପୂର୍ବ ସ୍ଥାନରେ ଏହି ବୁଥ ବ୍ୟବସ୍ଥା କରାଯାଉ ବୋଲି ସେ ପ୍ରାର୍ଥନା କରିଥିଲେ। ଏହା ପୂର୍ବରୁ ମଧ୍ୟ ଉକ୍ତ ପ୍ରସଙ୍ଗରେ ଅନେକ ଥର ପ୍ରଶାସନିକ ଅଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିବାବେଳେ କେହି କର୍ଣ୍ଣପାତ କରିନଥିବା ଆବେଦନକାରୀ ଦର୍ଶାଇଥିଲେ। ଏହି ମାମଲାରେ ଆବେଦନକାରୀଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀ, ଢେଙ୍କାନାଳ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ପର୍ଜଙ୍ଗ ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe