Sambad
ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଜଳପୋକ ପଞ୍ଚାୟତ ୪ନମ୍ବର ବୁଥ୍ରେ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ନ ଥିବା ବାଲଟ ବାହାରିବା ଘଟଣାରେ ରାଜ୍ୟ ନିର୍ବାଚନ କମିସନ ମାର୍ଶାଘାଇ ବିଡିଓ ତଥା ବ୍ଲକ୍ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି ସାନିଗଣତି କରାଯିବା ସହ ବିଜୟୀ ସମିତିସଭ୍ୟ ପ୍ରାର୍ଥୀ ସତୀ ନାୟକଙ୍କ ନିର୍ବାଚନକୁ ରାଜ୍ୟ ନିର୍ବାଚନ କମିସନ କାଏମ ରଖିଛନ୍ତି। ଏଥିସହିତ ୧୨ ତାରିଖରେ ପରୋକ୍ଷ ଭାବେ ହେବାକୁ ଥିବା ସମିତି ଅଧ୍ୟକ୍ଷ ନିର୍ବାଚନରେ ଯୋଗ ଦେବାକୁ ଶ୍ରୀମତି ନାୟକଙ୍କୁ ଜରୁରୀ ନୋଟିସ ଜରିଆରେ ଅବଗତ କରାଇବାକୁ ମାର୍ଶାଘାଇ ବିଡିଓ ତଥା ବ୍ଲକ୍ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ମୁତାବକ, ଦ୍ବିତୀୟ ପର୍ଯ୍ୟାୟରେ ମାର୍ଶାଘାଇ ବ୍ଲକରେ ଗତ ମାସ ୧୮ ତାରିଖରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜଳପୋକ ପଂଚାୟତର ୪ନମ୍ବର ବୁଥ୍ରେ ପ୍ରିଜାଇଡିଂ ଅଫିସରଙ୍କ ଦସ୍ତଖତ ନ ଥିବା ୨୦ ଖଣ୍ତ ବ୍ୟାଲଟ ଗଣତି ସମୟରେ ଭୋଟବାକ୍ସରୁ ବାହାରିଥିଲା।
ଫଳରେ ବିଜୟୀ ସମିତିସଭ୍ୟା ସତୀ ନାୟକଙ୍କ ଫଳାଫଳକୁ ସ୍ଥଗିତ ରଖାଯିବା ସହ ସାନି ଭୋଟ ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳ ରାଜ୍ୟ ନିର୍ବାଚନ କମିସନଙ୍କୁ ସୁପାରିସ କରିଥିଲେ। ଆଜି ରାଜ୍ୟ ନିବାର୍ଚନ କମିସନ ଏହାର ଗଣତି କରି ସମିତିସଭ୍ୟଙ୍କୁ ନିର୍ବାଚିତ ବୋଲି ଘୋଷଣା କରିଛନ୍ତି। ଏଥିସହ ମାର୍ଶାଘାଇ ବିଡିଓ ତଥା ବ୍ଲକ୍ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us