ଝାରସୁଗୁଡ଼ା ମହୁଲ ପାହାଡ଼ରେ ସୀମା ବିବାଦ : ଓଡ଼ିଶାକୁ ନ ଜଣାଇ ମାଡ଼ିବସିଛି ଛତିଶଗଡ଼

ଝାରସୁଗୁଡ଼ା ମହୁଲ ପାହାଡ଼ରେ ସୀମା ବିବାଦ : ଓଡ଼ିଶାକୁ ନ ଜଣାଇ ମାଡ଼ିବସିଛି ଛତିଶଗଡ଼

କନକତୋରା : କୋରାପୁଟର କୋଟିଆ ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ମଧ୍ୟରେ ସୀମା ବିବାଦକୁ ନେଇ ଏବେ ଜୋରଦାର ଆଲୋଚନା ଚାଲିଛି। ଏହ‌ି ସମସ୍ୟାକୁ ନେଇ ବିରୋଧୀମାନେ ସରକାରଙ୍କୁ ଜୋରଦାର ସମାଲୋଚନା କରୁଛନ୍ତି। ଏପରି ସମୟରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ପଞ୍ଚାୟତ ଝାରଗାଁରେ ବି ବିବାଦ ତେଜିଲାଣି। ଏଠାରେ ଥିବା ଓଡ଼ିଶାର ଏକ ପାହାଡ଼ ଓ ସଂରକ୍ଷିତ ଜଂଗଲକୁ ଛତିଶଗଡ଼ ନିଜ ରାଜ୍ୟରେ ଜବରଦସ୍ତି ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏନେଇ ପୂର୍ବରୁ ଅନେକ ଥର କଥା ଉଠିଥିଲେ ବି ବିବାଦର ସମାଧାନ ହୋଇପାରିନାହିଁ। ଏବେ କୋଟିଆ ବିବାଦ ଉଠିବା ପରେ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। କୋଟିଆ ପରି ଘଟଣା ଘଟିବା ପୂର୍ବରୁ ସ୍ଥିତି ନିୟନ୍ତ୍ରଣ କରିବାକୁ ସେମାନେ ଦାବି କରିଛନ୍ତି। ଏହାପରେ ବୁଧବାର ଉପଜିଲ୍ଲାପାଳ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପୂର୍ବରୁ ଏହି ଅଞ୍ଚଳଟି ଅବିଭକ୍ତ ମଧ୍ୟପ୍ରଦେଶର ବିଳାସପୁର ଜିଲ୍ଲା ଅଧୀନରେ ଥିଲା। ଓଡ଼ିଶାକୁ ରାଜ୍ୟ ମାନ୍ୟତା ମିଳିବା ପରେ ଏହି ଅଞ୍ଚଳଟି ଓଡ଼ିଶାରେ ମିଶ୍ରଣ ହୋଇ ରାଜ୍ୟ ସୀମାନ୍ତ ଅଞ୍ଚଳ ରୂପେ ପରିଚିତ ହେଲା। ଝାରଗାଁ ସୀମାକୁ ଲାଗି ଥିବା ବିରାଟ ମହୁଲ ପାହାଡ଼ଟି ବର୍ମା ବନ୍ଦୋବସ୍ତ ସମୟରେ ଓଡ଼ିଶାର ଝାରଗାଁ ସଂରକ୍ଷିତ ଜଙ୍ଗଲ ରୂପେ ରହିଥିଲା। ପରେ ମେଜର ବନ୍ଦୋବସ୍ତ ସମୟରେ ସ୍ଥାନୀୟ ଲୋକ କି ଓଡ଼ିଶା ସରକାରଙ୍କୁ ନ ଜଣାଇ ପଡ଼ୋଶୀ ରାଜ୍ୟ (ଏବର ଛତିଶଗଡ଼) ନିଜ କବ୍‌ଜାକୁ ନେଇ ଯାଇଛି। କାଗଜପତ୍ର ଓ ନକ୍ସା ବଦଳାଇ ଓଡ଼ିଶାର ଏହି ପ୍ରାକୃତିକ ସମ୍ପଦ ପରିପୂର୍ଣ୍ଣ ଅଞ୍ଚଳକୁ ପଡ଼ୋଶୀ ରାଜ୍ୟ ନିଜ ରାଜ୍ୟରେ ମିଶାଇ ଦେଇଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। ତେବେ, ସେତିକି ନୁହେଁ ଓଡ଼ିଶା ଲୋକଙ୍କୁ ସେଠାକୁ ପୂରାଇ ଦିଆଯାଉନାହିଁ ଓ ଚାଷୀମାନଙ୍କୁ ବି ହଇରାଣ କରାଯାଉଛି।

ବିଗତ ଦିନରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓଡ଼ିଶା ବିଧାନସଭାରେ ମଧ୍ୟ ଉପସ୍ଥାପିତ ହୋଇଛି। ଏହି ପ୍ରସଙ୍ଗର ସ୍ଥାୟୀ ସମାଧାନ ପ୍ରତିଶ୍ରୁତି ମଧ୍ୟ ମିଳିଛି। ସ୍ଥାନୀୟ ଲୋକଙ୍କ ମତ ହେଲା ବର୍ମା ବନ୍ଦୋବସ୍ତ ନକ୍ସା ଓ ମ୍ୟାପ୍‌ ହିଁ ଏହାର ଠିକ ତଥ୍ୟ ପ୍ରଦାନ କରିପାରିବ। ଉପଜିଲ୍ଲାପାଳ ଶିବ ଟପ୍ପୋ, ତହସିଲଦାର ବିଶ୍ୱକେଶନ ପାଣ୍ଡେ ପ୍ରମୁଖ ସ୍ଥିତି ସମୀକ୍ଷା କଲାବେଳେ ଗ୍ରାମବାସୀ ସେମାନଙ୍କ ଅଭିଯୋଗ ଓ ଆପତ୍ତି ଜାହିର କରିଛନ୍ତି।

ଏ ସମ୍ପର୍କରେ ଯୁବ ଆଇନଜୀବୀ ଶ୍ରୀବନ୍ତ ଚୟିନୀ ପ୍ରକାଶ କରିଛନ୍ତି, ବିଗତ ଦିନରେ ଛତିଶଗଡ଼ ପକ୍ଷରୁ ଓଡ଼ିଶା ସୀମାରେ ପ୍ରବେଶ କରି ଚାଷୀଙ୍କୁ ହଇରାଣ କରିଥିବା ଉଦାହରଣ ରହିଛି। ଝାରଗାଁ ବାସିନ୍ଦା ପ୍ରଦୀପ ସାହୁ କହିଛନ୍ତି ଆମ ପୂର୍ବପୁରୁଷଙ୍କ ଦ୍ଵାରା ସଂରକ୍ଷିତ ଅମୂଲ୍ୟ ସମ୍ପଦ ଅନ୍ୟ ରାଜ୍ୟ ଦଖଲରେ ଅଛି। ବର୍ତ୍ତମାନ ପିଢ଼ି ଏହାକୁ ପୁଣି ନିଜ ରାଜ୍ୟରେ ସାମିଲ କରି ଏହାର ସୁରକ୍ଷା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe