ଭୋଗରାଇ: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ବେଶ କିଛି ଦିନ ଧରି ଶାନ୍ତ ଥିଲା ବେଳେ ପୁଣି ଚର୍ଚ୍ଚାକୁ ଆସିଛି। ମଙ୍ଗଳବାର ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗ ପକ୍ଷରୁ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଉଦୟପୁର ସମୁଦ୍ର ବେଳାଭୂମିରେ ପାଚେରି ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକ ଉକ୍ତ କାର୍ଯ୍ୟକୁ ବିରୋଧ କରିଥିଲା ବେଳେ ପଶ୍ଚିମବଙ୍ଗ ପ୍ରଶାସନ ସାଧାରଣ ଲୋକ ମାନଙ୍କୁ ଭୟଭୀତ ଦେଖାଇ ବଳ ପୂର୍ବକ ପାଚେରୀ ନିର୍ମାଣ କରୁଥିଲେ।
ଖବର ପାଇ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, କଖଡ଼ା ଆର ଆଇ ନିଶିକାନ୍ତ ସିଂ ଏବଂ ତାଳସାରି ସାମୁଦ୍ରିକ ଥାନା ପୁଲିସ ସ୍ଥଳରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିବା ସହିତ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କୁ ଆଲୋଚନା ପାଇଁ ଦେଇଥିଲେ। ମାତ୍ର ବେଆଇନ ଭାବେ ଓଡ଼ିଶା ମାଟିରେ କାର୍ଯ୍ୟ କରୁଥିବା ଜାଣି ଆସିନ ଥିଲେ।
ତହସିଲଦାର ଶ୍ରୀ ପାଣିଗ୍ରାହୀ କାର୍ଯ୍ୟ ବନ୍ଦକୁ ତଦାରଖ ପାଇଁ ତାଳସାରି ଥାନା ପୁଲିସକୁ ଦାୟିତ୍ୱ ଦେବା ସହିତ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଓଡ଼ିଶା ମାଟିରେ ପଶ୍ଚିମବଙ୍ଗର ଏଭଳି କାର୍ଯ୍ୟକୁ ଯଦି ପ୍ରତିରୋଧ କରା ନ ଯିବ ତେବେ ଆଗାମୀ ଦିନରେ ଏ ଅଞ୍ଚଳରେ ପ୍ରବଳ ଉତ୍ତେଜନା ବୃଦ୍ଧିର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ନ ପାରେ।
Follow Us