କରୋନା ମୁକାବିଲା: ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସଂପୂର୍ଣ୍ଣ ସିଲ୍ ହେବ

Advertisment
କରୋନା ମୁକାବିଲା: ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ  ଓଡ଼ିଶା-ପଶ୍ଚିମବଙ୍ଗ ସୀମା ସଂପୂର୍ଣ୍ଣ ସିଲ୍ ହେବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଏବେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ସୀମାକୁ ଲାଗି ରହିଥିବା ରାଜ୍ୟର ସମସ୍ତ ସୀମାନ୍ତ ଅଞ୍ଚଳକୁ ଆଜି ରାତି ଠାରୁ ସିଲ୍‌ କରି ଦିଆଯାଇଛି। ଏବଂ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସୀମା ସିଲ ବଳବତ୍ତର ରହିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଂପର୍କରେ ସୂଚନା ପ୍ରଦାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ବିଗତ ୫ ଦିନ ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା ୨୯ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୮ ଜଣ ପଶ୍ଚିମବଙ୍ଗ ଫେରନ୍ତା ଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପଶ୍ଚିମବଙ୍ଗ ସହ କରାଯାଇଥିବା ସୀମାସିଲ୍‌ ବଳବତ୍ତର ରହିଥିବା ପର୍ଯ୍ୟନ୍ତ ପ୍ରଶାସନର ବିନା ଅନୁମତିରେ କେହି ପଶ୍ଚିମବଙ୍ଗରୁ ରାଜ୍ୟ ମଧ୍ୟକୁ ଆସିପାରିବେ ନାହିଁ କିମ୍ବା ରାଜ୍ୟ ମଧ୍ୟରୁ ପଶ୍ଚିମବଙ୍ଗକୁ କେହି ଯାଇପାରିବେ ନାହିଁ। ପଶ୍ଚିମବଙ୍ଗ ସହ ଲାଗିରହିଥିବା ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ପୁଲିସ ଓ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ପାଟ୍ରୋଲିଂ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି।

ରାଜ୍ୟର ଦୁଇ ପ୍ରମୁଖ ଜିଲ୍ଲା ବାଲେଶ୍ୱର ଓ ମୟୂରଭଞ୍ଜର ସୀମାର ବ୍ୟାପକ ଅଞ୍ଚଳ ପଶ୍ଚିମବଙ୍ଗର ସୀମାକୁ ଲାଗି ରହିଥିବାରୁ ଏବଂ ଉଭୟ ସଡ଼କ ପଥ ଠାରୁ ଆରମ୍ଭ କରି ଜଳପଥ ଓ ସୀମାନ୍ତବର୍ତ୍ତୀ ଜଙ୍ଗଲ ଅଞ୍ଚଳ ମଧ୍ୟଦେଇ ଯାଇଥିବା ଏକାଧିକ ରାସ୍ତା ପଶ୍ଚିମବଙ୍ଗକୁ ସଂଯୋଗ କରୁଥିଲେ ମଧ୍ୟ ଏସବୁ ରାସ୍ତାକୁ ଚିହ୍ନଟ କରାଯାଇ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଏବଂ ସବୁ ରାସ୍ତାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକାଧିକ ଚେକ୍‌ପୋଷ୍ଟ କରାଯାଇଛି। ରାଜ୍ୟ ପୁଲିସ ଡିଜି ଅଭୟ ସୀମାବର୍ତ୍ତୀ ଅଞ୍ଚଳକୁ ଗସ୍ତକରି ସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ସୀମା ସିଲକୁ କଡ଼ାକଡ଼ି କରିବା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା- ପଶ୍ଚିମବଙ୍ଗ ସୀମାନ୍ତରେ ୨୭ ପ୍ଲାଟୁନ୍‌ ଫୋର୍ସଙ୍କୁ ମୁତୟନ କରାଯାଇଛି। ଯଦି ଆବଶ୍ୟକତା ପଡ଼େ ତେବେ ଆହୁରି ଅଧିକ ସଂଖ୍ୟକ ସଶସ୍ତ୍ର ଫୋର୍ସଙ୍କୁ ସୀମାରେ ମୁତୟନ କରାଯିବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe