ୟୁରିଆ କଳାବେପାରୀଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନର ଛାଟ: ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ୬ ଅସାଧୁ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ

Advertisment

‘ସମ୍ବାଦ’ ପ୍ରଭାବ

‘ସମ୍ବାଦ’ ପ୍ରଭାବ

ୟୁରିଆ କଳାବେପାରୀଙ୍କୁ ବୌଦ୍ଧ ଜିଲ୍ଲା ପ୍ରଶାସନର ଛାଟ: ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ, ୬ ଅସାଧୁ ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ୟୁରିଆ ସାର କୁତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ ଜୋରଦାର ଚଳାଇଥିବା ଅସାଧୁ ବ୍ୟବସାୟୀ ଓ ଅସାଧୁ ସମବାୟ ସମିତିର ସଂପାଦକମାନଙ୍କ ବିରୁଦ୍ଧରେ ଶନିବାର ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ୬ ଜଣ ଅସାଧୁ ସାର ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରିଥିବା ବେଳେ ୫ଜଣ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବିତ କରିଛନ୍ତି।

ଜିଲ୍ଲା ପ୍ରଶାସନରୁ ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବୌଦ୍ଧ ବ୍ଲକ୍ ମନୁପାଲି ପ୍ୟାକ୍ସ ସମ୍ପାଦକ ଜତିନ ଭୋଇ, ମୁଣ୍ଡିପଦର ପ୍ୟାକ୍ସ ସମ୍ପାଦକ ରୋହିତାସ୍ବ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ବଘିଆପଡାର ଲକ୍ଷ୍ମଣା ନାୟକ, ଲକ୍ଷ୍ମୀପ୍ରସାଦର ମୋହନ ସାହୁ, ସାହାଜପାଲର ତ୍ରିନାଥ ମେହେର ନାମକ ସାର ବ୍ୟବସାୟୀଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ସେହିପରି ଜିଲ୍ଲାର ହରଭଙ୍ଗା ବ୍ଲକ୍ ଅଂଚଳରେ ବାମଣ୍ଡା ପ୍ୟାକ୍ସ ସମ୍ପାଦକ ମହେଶ ଖେତିଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଆଡେନିଗଡ଼ ପ୍ୟାକ୍ସ ସମ୍ପାଦକ ବିଭୁତି ଭୂଷଣ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

ସେହିପରି ଏହି ବ୍ଲକର ରଇଠାଣି ଠାରେ ଥିବା ଭୈରବୀ ଫାର୍ଟିଳାଇଜରର ଲାଇସେନ୍ସ ରଦ୍ଦ କରଯାଇଛି। କଣ୍ଟାମାଲ ବ୍ଲକର ବିଳାସପୁର ପ୍ୟାକ୍ସ ସମ୍ପାଦକ ପ୍ରଦେଶ ଦନ୍ତା , ଲମ୍ବସରୀ ପ୍ୟାକ୍ସ ସଂପାଦକ ମୁରଲୀ ମହାକୁଡ଼ଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଖଟଖଟିଆର ବିରଞ୍ଚି ମିଶ୍ର ଓ କଣ୍ଟାମାଲର ଜୟ ମାଁ ଇଣ୍ଟରପ୍ରାଇଜ ସାର ବ୍ୟବସାୟୀର ଲାଇସେନ୍ସ  ରଦ୍ଦ କରଯାଇଥିବା ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଞ୍ଜନ ନାୟକ ସୂଚନା ଦେଇଛନ୍ତି।
କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାର ଚାଷୀକୁ ବର୍ତ୍ତମାନ ପରିସ୍ଥିତିରେ ୟୁରିଆ ସାରର ଅଧିକ ଆବଶ୍ୟକତା ରହୁଥିବା ସମୟରେ ଏହାର ଅଭାବ ପରିଲକ୍ଷିତ ହେଉଛି। ଜିଲ୍ଲାର ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳ ଆବଶ୍ୟକ ପରିମାଣରେ ୟୁରିଆ ସାର ମିଳିପାରୁ ନାହିଁ। ଯଦ୍ୱାରା ଚାଷୀମାନେ ଅଧିକ ଦରରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ସରକାରୀ ଭାବରେ ୟୁରିଆ ସାର ବସ୍ତାପ୍ରତି ୨୬୭ ଟଙ୍କା ରହିଥିବା ବେଳେ ସାରର ଅଭାବ ଯୋଗୁଁ ଅସାଧୁ ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସିଛି। ଏସଂକ୍ରାନ୍ତରେ ସମ୍ବାଦରେ ପୂର୍ବରୁ ଖବର ପ୍ରସାରଣ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦେଶରେ ସ୍କ୍ୱାର୍ଡ ଦଳ ଗଠନ ହୋଇଥିଲା। ଗତ ଶୁକ୍ରବାର ଅତିରିକ୍ତ ଜିଲ୍ଲାପାଳଙ୍କ ନେତ୍ତୃତ୍ୱରେ ଏହି ସ୍କ୍ୱାର୍ଡ ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇଥିଲା। ଚଢ଼ାଉ ବେଳେ ସାର କଳାବଜାରକୁ କିଛି ଅସାଧୁ ବ୍ୟବସାୟୀ ଓ ପ୍ୟାକ୍ସ ସମ୍ପାଦକ ଅନିୟମିତତା କରୁଥିବା ଧରାପଡିଯାଇଥିଲା।

ୟୁରିଆ ସାର ୪୯୦ ରୁ ୫୦୦ ଟଙ୍କା ବିକ୍ରୀ ହେଉଥିବା ବେଳେ ଚାଷୀମାନେ ଚଢ଼ା ଦରରେ ତାହା କିଣିବାକୁ ବାଧ୍ୟ ହୋଇ ଶୋଷଣର ଶିକାର ହେଉଥିଲେ। ଏସମ୍ପର୍କରେ ଶନିବାର ‘ସମ୍ବାଦ’ରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ସାର କଳାବଜାରୀରେ ଅଙ୍କୁଶ ଲଗାଇବା ପାଇଁ ପ୍ରୟାସ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe