ଘଣ୍ଟାପଡ଼ା : ନିଶା ଦ୍ରବ୍ୟ କାରବାର ଉପରେ ଚଢ଼ଉ ପାଇଁ ଆସି କିଛି ନ ପାଇ ଶେଷରେ ଜନ ଆକ୍ରୋଶର ଶିକାର ହୋଇଛନ୍ତି ଅବକାରୀ ବିଭାଗ କର୍ମଚାରୀ।
ସୂଚନାନୁସାରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ କର୍ମଚାରୀମାନେ ନିଶା କାରବାର ସଂପର୍କରେ କୌଣସି ସୂତ୍ରରୁ ଖବର ପାଇ ଶନିବାର ସନ୍ଧ୍ୟାରେ କଣ୍ଟାମାଳ ସଦର ହାଟପଦା ସ୍ଥିତ ନିରଞ୍ଜନ ଖଟୁଆଙ୍କ ଚା’ ଦୋକାନ ଉପରେ ଚଢ଼ଉ କରିଥିଲେ। ମାତ୍ର ସେଠାରେ ଦୋକାନ ସହିତ ସମସ୍ତ ଜନିଷ ପତ୍ର ଯାଞ୍ଚ କରିଥିଲେ ହେଁ କୈଣସି ନିଶା ଦ୍ରବ୍ୟ ମିଳି ନଥିଲା। ତେଣେ ଅଞ୍ଚଳର ଜଣେ ପରିଚିତ କଳାକାର ଓ ମେଳାପୀ ବ୍ୟକ୍ତିଙ୍କୁ ଏଭଳି ଅପଦସ୍ତ ହେବା ଦେଖି ସ୍ଥାନୀୟ ଲୋକେ ଅବକାରୀ ବିଭାଗକୁ ଘେରିଯାଇ ସମାଲୋଚନା କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଶେଷରେ କଣ୍ଟାମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ଶାନ୍ତ ପଡ଼ିଥିଲା।
କଣ୍ଟାମାଳ ଅଞ୍ଚଳରେ ପ୍ରତି ଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଏବଂ ମଦ ବାହାର ଜିଲ୍ଲା ତଥା ରାଜ୍ୟକୁ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ରୋକିବାରେ ବିଭାଗ ବିଫଳ ହୋଇଥିବା ଅବକାରୀ ବିଭାଗ ଔଷଧ ବଦଳରେ ତାଟିଆ କାମୁଡ଼ା ନୀତିରେ ନିରୀହ ଚା’ ଦୋକାନୀଙ୍କ ଉପରେ ଏପରି ଦାଉ ସାଧିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ନିରଞ୍ଜନ ଖଟୁଆ ଜଣେ ନାଟ୍ୟ କଳାକାର ଅଟନ୍ତି। ଗତ ଦୁଇ ବର୍ଷ ହେବ କରୋନା ମାହମାରୀ ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ପରିବାର ପ୍ରତିପୋଷଣ ପାଇଁ ସେ ହାଟପଦାରେ ଚା’ ଦୋକାନ କରିଛନ୍ତି।
Follow Us