ତିନି ମାସ ବି ତିଷ୍ଠିଲାନି ବକ୍ସଡ୍ରେନ୍‌! ମରାମତି ଲୋଡ଼ିଲାଣି ସ୍ଲାବ୍‌ ଚ୍ୟାମ୍ବରରୁ ଆରମ୍ଭ କରି ଫୁଟ୍‌ପାଥ୍‌

ତିନି ମାସ ବି ତିଷ୍ଠିଲାନି ବକ୍ସଡ୍ରେନ୍‌! ମରାମତି ଲୋଡ଼ିଲାଣି ସ୍ଲାବ୍‌ ଚ୍ୟାମ୍ବରରୁ ଆରମ୍ଭ କରି ଫୁଟ୍‌ପାଥ୍‌

କଟକ: କଟକ ସହର ମଧ୍ୟରେ ବର୍ଷ ବର୍ଷ ଧରି ୪୫୦ କୋଟି ଟଙ୍କା ବ୍ୟୟରେ ଚାଲିଥିବା ବକ୍ସଡ୍ରେନ୍‌ ମାତ୍ର ୩ ମାସ ଭିତରେ ମରାମତି ଲୋଡ଼ିଲାଣି। ଗତ ଫେବ୍ରୁଆରି ୨୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। କିନ୍ତୁ ୩ ମାସ ମଧ୍ୟରେ ବକ୍ସଡ୍ରେନ୍‌ ପାର୍ଶ୍ବରେ ନିର୍ମାଣ ହୋଇଥିବା ଫୁଟ୍‌ପାଥ୍‌ର ଅନେକ ସ୍ଥାନ ଭାଙ୍ଗି ଯାଇଥିବା ବେଳେ ‌ବକ୍ସଡ୍ରେନ ଉପରେ ଥିବା ବହୁ ସ୍ଲାବ୍‌ ଚ୍ୟାମ୍ବରର ଏବେ ମରାମତି କାମ ଚାଲିଛି।

ବକ୍ସିବଜାର ଉର୍ଦ୍ଦୁ ପାଠାଗାରରୁ ପ୍ରଫେସରପଡ଼ା ମଧ୍ୟରେ ଥିବା ୨୩୯୬ ମିଟର ବକ୍ସଡ୍ରେନ କାମ ସହ ୫ଟି ପୋଲର ନିର୍ମାଣ କାମ ଗତବର୍ଷ ଜୁଲାଇରୁ ଚଳିତବର୍ଷ ଫେବ୍ରୁଆରି ମଧ୍ୟରେ ଶେଷ ହୋଇଥିଲା। ସାଧାରଣ ନିର୍ବାଚନ ପାଇଁ ଆଚରଣବିଧି ଲାଗୁ ହେବା ପୂର୍ବରୁ କାମ ‌େଶଷ କରି ଏହାର ଉଦ୍‌ଘାଟନ କରିବାକୁ ଯୋଜନା କରାଯାଇଥିଲା। ଏଥିପାଇଁ ତରବରିଆ ଭାବେ ବକ୍ସଡ୍ରେନ୍‌ ରାସ୍ତା ଓ ଏଥିରେ ଥିବା ମ୍ୟାନ୍‌ହୋଲ୍‌, ସ୍ଲାବ୍‌ ଚ୍ୟାମ୍ବର, ରାସ୍ତାପାର୍ଶ୍ବ ଫୁଟ୍‌ପାଥ୍‌, ବକ୍ସଡ୍ରେନକୁ ସଂଯୋଗ କରୁଥିବା ଡ୍ରେନ କାମ କରାଗଲା। ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ଫେବ୍ରୁଆରି ୨୯ରେ ଉଦ୍‌ଘାଟନ କରାଗଲା।

ତରବରିଆ ଭାବେ ନିର୍ମାଣ ହୋଇଥିବା ସମସ୍ତ କାମର ସ୍ଥାୟିତ୍ବକୁ ନେଇ ସେତେବେଳେ ବି ପ୍ରଶ୍ନ ଉଠିଥିଲା। ଉଦ୍‌ଘାଟନ ପୂର୍ବରୁ ଯାହା ଆଶଙ୍କା କରାଯାଉଥିଲା, ତାହା ଏବେ ଦେଖିବାକୁ ମିଳିଛି। ଫେବ୍ରୁଆରିରେ ଉଦ୍‌ଘାଟନ ହୋଇଥିବା ବକ୍ସଡ୍ରେନ୍‌ ପାର୍ଶ୍ବରେ ନିର୍ମାଣ ହୋଇଥିବା ପେଭର୍‌ ବ୍ଲକ୍‌ ଫୁଟ୍‌ପାଥ୍‌ର ବହୁ ସ୍ଥାନ ନଷ୍ଟ ହୋଇ ଯାଇଥିବା ବେଳେ ଏକାଧିକ ସ୍ଲାବ୍‌ ଚ୍ୟାମ୍ବର ଗୁଡିକର ମରାମତି କାମ କରାଯାଉଛି। ବାଲି ବସ୍ତାରେ ଆବଦ୍ଧ କରି ଚ୍ୟାମ୍ବର ମରାମତି କାମ କରାଯାଉଥିବାରୁ ସାଧାରଣ ଲୋକେ ବକ୍ସଡ୍ରେନ ଉପର ଦେଇ ଚଳପ୍ରଚଳ କରିବାରେ ବହୁ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଅନ୍ୟପଟେ ଚଳିତ ବର୍ଷର ଦୁଇଟି ବର୍ଷାରେ ପେଭର୍‌ ବ୍ଲକରେ ତିଆରି ଫୁଟ୍‌ପାଥ୍‌ର ଅବସ୍ଥା ଖରାପ ହୋଇଯିବା ଏହାର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଛିଡା କରିଛି। ବକ୍ସଡ୍ରେନ୍‌ର ଏଭଳି ସ୍ଥିତିର ତଦନ୍ତ କରିବାକୁ ଏବେ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe