ବ୍ରହ୍ମଗିରି: ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ତିକୁ ବିଜେ ପରେ ଆଜିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଗହଳି ଲାଗିଛି। ମହାପ୍ରଭୁ ୧୫ ଦିନ ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରଦ୍ଧାଳୁ ଭକ୍ତ ଶ୍ରୀଅଲାରନାଥଙ୍କୁ ଦର୍ଶନ କରିବାର ପରମ୍ପରା ରହିଛି। ମଙ୍ଗଳବାର ଭୋର ଚାରିଟାରେ ମନ୍ଦିର ଫିଟାଯିବା ପରେ ମଙ୍ଗଳ ଆଳତି, ଅବକାଶ, ମଇଲମ, ତଡ଼ପଲାଗି, ବେଶ, ଚନ୍ଦନ ତୁଳସୀ ଲାଗି ହୋଇ ଗୋପାଳ ବଲ୍ଲଭ ଉଠିଥିଲା। ଦ୍ବାରପାଳ ପୂଜା ନୀତି ବଢି ସକାଳ ୬ଟା ବେଳକୁ ଶ୍ରଦ୍ଧାଳୁ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ମଧ୍ୟ୍ୟାହ୍ନ ୧୨ଟା ବେଳକୁ ସକାଳ ଧୂପ ପାଇଁ ଛେକ ବୁହା ହୋଇଥିବା ବେଳେ ମଧ୍ୟ୍ୟାହ୍ନ ଗୋଟାଏ ବେଳକୁ ଦ୍ବିପ୍ରହର ଧୂପ ନୀତି ହୋଇଥିଲା। ସେତେବେଳକୁ ଭକ୍ତଙ୍କ ଲମ୍ବା ଧାଡି ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ଲାଗି ଯାଇଥିଲା। ସାଢେ ଗୋଟାଏରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇ ଅପରାହ୍ନ ଦୁଇଟାରେ ପହଡ଼ ନୀତି ବଢିଥିଲା। ଅପରାହ୍ନ ସାଢେ ଦୁଇଟାରେ ପହଡ଼ ଖୋଲା ଯାଇ ସର୍ବସାଧାରଣ ଦର୍ଶନ ହୋଇଥିଲା। ସଂଧ୍ୟାରେ ସଂଧ୍ୟା ଆଳତି, ମଇଲମ ନୀତି, ସନ୍ଧ୍ୟା ଧୂପ ଉଠି ସର୍ବସାଧାରଣ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ। ଭୋର ଚାରିଟାରୁ ରାତି ପର୍ଯ୍ୟନ୍ତ ମନ୍ଦିରରେ ଗହଳି ଲାଗି ରହିଥିବା ବେଳେ ବ୍ୟାରିକେଡ୍ ଦେଇ ଭକ୍ତ ଶୃଙ୍ଖଳିତ ଭାବେ ଦିଅଁ ଦର୍ଶନ କରିଥିଲେ। ଆଜି ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି।
ଶ୍ରୀଅଲାରନାଥଙ୍କ, ଅଣସର ଦର୍ଶନ ଆରମ୍ଭ
Advertisment
Follow Us