ଜଗନ୍ନାଥପୁରରେ ବ୍ରହ୍ମାକୁମାରୀଙ୍କ ସମର୍ପଣ ସମାରୋହ : ବିଶ୍ୱ ଶାନ୍ତି ପାଇଁ ଆଧ୍ୟାତ୍ମିକ ମାର୍ଗ ଜରୁରୀ

Advertisment
ଜଗନ୍ନାଥପୁରରେ ବ୍ରହ୍ମାକୁମାରୀଙ୍କ ସମର୍ପଣ ସମାରୋହ : ବିଶ୍ୱ ଶାନ୍ତି ପାଇଁ ଆଧ୍ୟାତ୍ମିକ ମାର୍ଗ ଜରୁରୀ

ଫୁଲନଖରା : ସମଗ୍ର ବିଶ୍ବ ବର୍ତ୍ତମାନ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତି କରୁଛି। ବିଭିନ୍ନ କାରଣରୁ ଅଧିକାଂଶ ଅଞ୍ଚଳରେ ଅସ୍ଥିରତା ଓ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଅସୀମ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ବଜାୟ ରଖିବା ସହିତ ଆଧ୍ୟାତ୍ମିକ ଚିନ୍ତାଧାରା ଆପଣାଇଲେ ଏହାର ମୁକାବିଲା ସହଜ ହେବା ସହ ଶାନ୍ତି ବିରାଜମାନ କରିବ ବୋଲି ଫୁଲନଖରା ନିକଟ ଜଗନ୍ନାଥପୁରଠାରେ ଆୟୋଜିତ ବିଶାଳ ଆଧ୍ୟାତ୍ମିକ ସମାବେଶରେ ଯୋଗଦେଇ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି।

ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, କଟକ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ମାଉଣ୍ଟ ଆବୁସ୍ଥିତ ବ୍ରହ୍ମାକୁମାରୀ ସଂସ୍ଥାର ମୁଖ୍ୟ ପ୍ରଶାସିକା ଦାଦି ଜାନକୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ବପରିବର୍ତ୍ତନରେ ଜଗତ ପରିବର୍ତ୍ତନ ହେବ ବୋଲି କହିଥିଲେ। ଈଶ୍ବରୀୟ ଅନୁକମ୍ପା ପାଇବାକୁ ସମସ୍ତେ ହକଦାର ଏବଂ ଏଥିପାଇଁ ଆମକୁ କିଞ୍ଚିତ ମାତ୍ରାରେ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟକ ସବ୍‌-ଜୋନ୍‌ ମୁଖ୍ୟ କମଲେଶ ଦିଦି, ବ୍ରହ୍ମାକୁମାରୀ ଉଷା, ବ୍ରହ୍ମାକୁମାରୀ ଶୀଲା, ବ୍ରହ୍ମାକୁମାରୀ ଜେମିନୀ, ବ୍ରହ୍ମାକୁମାରୀ ସୁଲୋଚନା, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ତା, ବିଧାୟକ ଡକ୍ଟର ଅରବିନ୍ଦ ଢାଲି, ବିଧାୟକ ନବକିଶୋର ମାଝୀ ପ୍ରମୁଖ ଅତିଥି ରୂପେ ମଞ୍ଚାସୀନ ହୋଇ ଈଶ୍ବରୀୟ ଭାବଧାରାରେ ଉଦ୍‌ବୁଦ୍ଧ ହେବାକୁ ଆହ୍ବାନ ଦେଇଥିଲେ। ପ୍ରୟାଗରାଜର ବ୍ରହ୍ମାକୁମାରୀ ମନୋରମା ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଏଥିରେ ୩୧ଜଣ ବ୍ରହ୍ମାକୁମାରୀଙ୍କ ସମର୍ପଣ ସମାରୋହ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ ପ୍ରଜ୍ଜ୍ବଳନ, ଶିଶୁ କଳାକାରଙ୍କ ଦ୍ବାରା ଦେଶ ବନ୍ଦନା ଏବଂ ଆଧ୍ୟାତ୍ମିକ ସଂଗୀତ ନୃତ୍ୟ ପରିବେଷଣ କରାଯାଇଥିଲା। ଅନନ୍ତପୁରସ୍ଥ ବିଶ୍ବଶାନ୍ତି ସରୋବରର ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଉତ୍ସବ ପରିଚାଳନା କରିଥିଲା ବେଳେ କଟକ ଝାଞ୍ଜିର୍‌ମଙ୍ଗଳାସ୍ଥିତ ସୁଖଶାନ୍ତି ଭବନର ଅନ୍ତେବାସୀ ଏଥିରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମାକୁମାର ନଥମଲ୍‌ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆୟୋଜିତ ଏହି ବର୍ଣ୍ଣାଢ୍ୟ ସମାରୋହରେ ଓଡ଼ିଶା ସମେତ ଦେଶର ବିଭିନ୍ନ ଭାଗରୁ ୧୫ହଜାର ଅନୁଗାମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe