image source-puri police
ବ୍ରହ୍ମଗିରି: ପୁରୀ ଜିଲ୍ଲାର ବ୍ରହ୍ମଗିରିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କରୋନା ରୋଗୀଙ୍କୁ କୋଭିଡ୍ ହସ୍ପିଟାଲକୁ ଆଣିବାକୁ ଯାଇଥିବା ବେଳେ ସେମାନେ କିନ୍ତୁ ଆସିବାକୁ ନାରାଜ ହୋଇଥିବା ଖବର ମିଳିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ବ୍ରହ୍ମଗିରି ଥାନା ଅନ୍ତର୍ଗତ କହଳପଦା ଗାଁରେ ଗୋଟିଏ ପରିବାରର ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ନେବାକୁ ପ୍ରଥମେ ମେଡିକାଲ୍ ଟିମ୍ ଯାଇଥିଲେ। ହେଲେ ମେଡିକାଲ୍ ଟିମକୁ ସେମାନେ ନିରାଶ କରି ଫେରାଇ ଦେଇଥିଲେ। ତାପରେ ଗାଁର ଅଙ୍ଗନବାଡ଼ି ଦିଦି ଏବଂ ଆଶାକର୍ମୀମାନେ ଉକ୍ତ ପରିବାର ଲୋକଙ୍କୁ ବୁଝାଇଥିଲେ। ତଥାପି ସେମାନେ ଅମଙ୍ଗ ହୋଇଥିଲେ।
ଏହାପରେ ଗତକାଲି ସନ୍ଧ୍ୟା ସମୟରେ ବ୍ରହ୍ମଗିରି ଥାନା ପୁଲିସ୍ ସହ ତହସିଲଦାର ନିଜେ ଯାଇଥିଲେ, ତଥାପି ସେମାନେ ରାଜି ହୋଇ ନଥିଲେ। ତହସିଲଦାରଙ୍କ ସହ ଟିମକୁ ଉକ୍ତ ପରିବାର ଲୋକେ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି।
ଏନେଇ ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥୀ କହିଛନ୍ତି ଯେ ପୁଣି ଥରେ ଆଜି ଉକ୍ତ ପରିବାରର କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ଆଣବା ଲାଗି ଉଦ୍ୟମ ହେଉଛି। ଯଦି ଏଥର ସେମାନେ ଅମଙ୍ଗ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଏତଲା ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟ ପକ୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ପରିବାରର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିବା ବେଳେ ପ୍ରଶାସନ ପକ୍ଷରୁ ବିଳମ୍ବରେ ପରିବାରର ସଦସ୍ୟଙ୍କୁ ଖବର ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏହାପରେ ପରିବାର ପକ୍ଷରୁ ଦାବି କରାଯିବା ପରେ ପ୍ରଶାସନ ସେମାନଙ୍କର କୋଭିଡ୍ ଟେଷ୍ଟ କରାଇଥିଲା। ଆଜି ପ୍ରାଣହରାଇଥିବା ବ୍ୟକ୍ତିଙ୍କର ଦଶାହ ପଡ଼ୁଥିବାରୁ ପରିବାରର ସଦସ୍ୟ ଶୁଦ୍ଧ ହେବା ଲାଗି କୋଭିଡ୍ ହସ୍ପିଟାଲ୍ ଯିବାକୁ ଅମଙ୍ଗ ହେଉଥିବା କୁହାଯାଉଛି।
Follow Us