କାଳିଆପାଣି : ଯାଜପୁରଢେଙ୍କାନାଳଜିଲ୍ଲା ସୀମାନ୍ତ ମଧ୍ୟବର୍ତ୍ତୀ ବ୍ରାହ୍ମଣୀ ନଦୀପଠା ୪୦ ବର୍ଷ ଧରି ୨ ଜିଲ୍ଲାର ମଦ ମାଫିଆଙ୍କ କବ୍ଜାରେ ରହିଆସିଛି। ଗୋଟିଏ ପଟେ ସୁକିନ୍ଦା ଏବଂ ଅନ୍ୟପଟେ ନିହଲପ୍ରସାଦ ଓ ଭୁବନ ଚୋରା ମଦ ବ୍ୟବସାୟର ପେଣ୍ଠସ୍ଥଳ ପାଲଟିଛି। ଉଭୟ ଜିଲ୍ଲାରେ ଅବକାରୀ ବିଭାଗର ଦୁର୍ବଳତା ଓ ନିଷ୍କ୍ରିୟତା ସାଙ୍ଗକୁ ମାଫିଆଙ୍କ ସହ ପୁଲିସର ମଧୁଚନ୍ଦ୍ରିକାରୁ ଚୋରା ମଦ କାରବାର ସୀମା ଲଙ୍ଘିଛି। ଦୈନିକ ଏଠାରୁ ୧୫ ହଜାରରୁ ୧୬ ହଜାର ଲିଟର ରନ୍ଧା ଦେଶୀମଦ କଟକ, ଭୁବନେଶ୍ବର, କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ଅନ୍ୟ ସ୍ଥାନକୁ ଚାଲାଣ ହେଉଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ରାଜ୍ୟ ଅବକାରୀ ଆୟୁକ୍ତଙ୍କ ନଜରରେ ରହିଆସିଥିବା ଏହି ବ୍ରାହ୍ମଣୀ ପଠାରେ ଉଭୟ ଜିଲ୍ଲା ପକ୍ଷରୁ ବର୍ଷକୁ ୧୦ ରୁ ୧୨ ଥର ଲେଖାଏଁ ଯୁଗ୍ମ ଚଢ଼ଉ ହେଉଥିଲେ ହେଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପ୍ରତି ମାଫିଆ ବେଫିକର। ପ୍ରତିଥର ଏଠାରୁ ୧୦ ରୁ ୧୫ ହଜାର ଲିଟର ପୋଚ ଓ ୨ ହଜାର ଲିଟରରୁ ଅଧିକ ରନ୍ଧାମଦ ଜବତ ହେଉଥିଲେ ମଧ୍ୟ କୌଣସି ମାଫିଆ ଧରାପଡ଼ିବା କିମ୍ବା ସାଧାରଣରେ ଚିହ୍ନଟ ହେବାର ଦୃଷ୍ଟାନ୍ତ ନାହିଁ।

Advertisment

ଅଧିକପଢ଼ନ୍ତୁ:‘ପାକିସ୍ତାନରେ ସହିଦ ଯବାନଙ୍କୁ ମିଳେନି ସମ୍ମାନ’; ପାକ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲଜ୍ଜାଜନକ ବୟାନ

ନାଳକୂଳେ ୧୫ ବର୍ଷ ଧରି କୁଖ୍ୟାତ ମଦ ମାଫିଆ ବେଲୁ ସାହୁର ଚାଲିଥିଲା ଚୋରା ମଦ କାରଖାନା

ସେହିପରି ୧୯୯୨ ମସିହାରେ ବିଶ୍ବରେ ଚାଞ୍ଚଲ୍ୟ ଖେଳାଇଥିବାୁ ଓଡ଼ିଶା ମଦ ମୃତ୍ୟୁର ଚେର ଅବିଭକ୍ତ ସୁକିନ୍ଦା ଥାନାରେ ଠାବ ହୋଇଥିଲା। ଅବିଭକ୍ତ ସୁକିନ୍ଦା ଥାନାର କାଳିଆପାଣି ଫାଣ୍ଡି ଟିକରପଡ଼ା ପାହାଡ଼ ତଳ ନାଳକୂଳେ ୧୫ ବର୍ଷ ଧରି କୁଖ୍ୟାତ ମଦ ମାଫିଆ ବେଲୁ ସାହୁର ଚୋରା ମଦ କାରଖାନା ଚାଲିଥିଲା।

ସୁକିନ୍ଦା ଥାନା ବ୍ରାହ୍ମଣୀ ନଦୀ ଅବବାହିକା ସାରୁଆତୋଟା, କୁମୁଡ଼ି, ବଞ୍ଜା ଓ  ମଙ୍ଗରାଜପୁର ଏବଂ ଏହାର ଉପନଦୀ ପାଣ୍ଡରାନାଳ ଅବବାହିକାରେ ଥିବା ବର୍ତ୍ତଣ୍ଡା, କନ୍ତିରା, ଅତ୍ତା, ହରିପୁର, ହାତୀବାରି ଓ ବୈରୀମାଳ ପର୍ଯ୍ୟନ୍ତ ୫ ରୁ ୬ କିଲୋମିଟର ଧରି ତୋଟା ଓ ଜଙ୍ଗଲିଆ ସ୍ଥାନ ମାଫିଆଙ୍କ କବ୍ଜାରେ ରହିଛି। ନଦୀର ଅପରପାର୍ଶ୍ବ ଢେଙ୍କାନାଳ ଜିଲ୍ଲା ଭୁବନ ଥାନାର ଚନ୍ଦାର, ଏକତାଳି, ବେଣ୍ଟଶାଳିଆ, ମହୁଲପାଳ ଓ ମୃଦଙ୍ଗା, ଗଁଦିଆ ଥାନାର ମନ୍ଦାର ଏବଂ ନିହଲପ୍ରସାଦ ଥାନାର କାଶୀପୁର, ଖଣ୍ଡବନ୍ଧ ଓ ପିଙ୍ଗୁଆ ଗାଁରେ ମଦ ମାଫିଆଙ୍କର ଦବ୍ଦବା ରହିଆସିଛି। ମୋଟ୍ ଉପରେ ୨ଶହରୁ ଅଧିକ ଭାଟିରେ ମଦ ପ୍ରସ୍ତୁତ ହେଉଛି। ଏଠାରେ ପ୍ରସ୍ତୁତ ମଦ(ସ୍ପିରିଟ୍) ସ୍ବତନ୍ତ୍ର ଶ୍ରେଣୀଭୁକ୍ତ ଓ ଉତ୍କଟ। ଯାହାର ଧାରକ ଶକ୍ତି ୪୦ ଡିଗ୍ରିରୁ ୫୫ ଡିଗ୍ରି ବୋଲି ବିଭାଗୀୟ ସୂଚନା ମିଳିଛି। ଉତ୍କଟ ନିଶାଯୁକ୍ତ ଏହି ମଦ ସିଧାସଳଖ ପାନୀୟ ଉପଯୋଗୀ ନୁହେଁ। ଏଥିରେ ପାଣି ମିଶାଯାଇ ବିକ୍ରୟ ଯୋଗ୍ୟ କରାଯାଇଥାଏ। ୫ ଶହରୁ ଅଧିକ ଲୋକ ନିୟୋଜିତ ହୋଇଥାନ୍ତି। ଦୈନିନ ୮୦ ଲକ୍ଷ ଟଙ୍କାରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଚୋରା ମଦ କାରକାର ହୋଇଥାଏ। ପ୍ରତିଥର ସ୍ବତନ୍ତ୍ର ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହେଉଥିବା ଯୁଗ୍ମ ଚଢ଼ଉରେ ୮୦ ରୁ ଅଧିକ ଅବକାରୀ ପୁଲିସ ନିୟୋଜିତ ହେଉଥିଲେ ହେଁ ଜଣେ ହେଲେ ମାଫିଆ ଧରାନପଡ଼ିବା ବିଭାଗୀୟ ପାରିବାପଣିଆକୁ ଇଙ୍ଗିତ କରୁଛି। 

ଏ ସଂପର୍କରେ ଯାଜପୁର ନିରୀକ୍ଷକ ସସ୍ମିତା ହୋତାଙ୍କୁ ପଚାରିବାରେ ବ୍ରାହ୍ମଣୀ ପଠା ଅବକାରୀ ବିଭାଗ ପାଇଁ ଚ୍ୟାଲେଞ୍ଜ୍ ହୋଇ ରହିଥିବା କହନ୍ତି। ଚଢ଼ଉ ସମୟରେ ଅନୁକୂଳ ଭୌଗଳିକ ସ୍ଥିତିରୁ ଫାଇଦା ଉଠାଇ ମାଫିଆମାନେ ସହଜରେ ଆତ୍ମଗୋପନ କିମ୍ବା ଖସି ପଳାଇବାରେ ସଫଳ ହେଉଥିବା କହନ୍ତି। ଆଗକୁ ଚଢ଼ଉ ଜୋରଦାର୍ ହେବ ବୋଲି କହିଥିଲେ।

ଅଧିକପଢ଼ନ୍ତୁ:ସ୍କୁଲ ଭିତରେ ଆଖିବୁଜା ଗୁଳିମାଡ଼