ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତା ଖସିଲା:  ଥିଲା ‘ଏ’, ହେଲା ‘ବି’, ଦାୟୀ କିଏ ?

Advertisment
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନାକ୍‌ ମାନ୍ୟତା ଖସିଲା:  ଥିଲା ‘ଏ’, ହେଲା ‘ବି’, ଦାୟୀ କିଏ ?

ବ୍ରହ୍ମପୁର : ଥିଲା ‘ଏ’, ହେଲା ‘ବି’। ନାକ୍‌ ଟିମ୍‌ର ପରିଦର୍ଶନ ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟକୁ ମିଳିଛି ‘ବି’ ଗ୍ରେଡ଼୍‌ ମାନ୍ୟତା।  ଏହି ମାନ୍ୟତାକୁ ନେଇ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାରା ଦକ୍ଷିଣ ଓଡ଼ିଶାର ବୁଦ୍ଧୀଜୀବୀଙ୍କୁ ଆନ୍ଦୋଳିତ କରିଛି। ଏକଦା ଗୁଣାତ୍ମକ ଶିକ୍ଷା ଓ ଉନ୍ନତ ଶୈକ୍ଷିକ ଭିତ୍ତିଭୂମି ପାଇଁ ରାଜ୍ୟତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି ବିଶ୍ବବିଦ୍ୟାଳୟକୁ ୨୦୧୬ମସିହାରେ ନାକ୍‌ ‘ଏ’ ଗ୍ରେଡ଼ ମାନ୍ୟତା ମିଳିଥିଲା।

କିନ୍ତୁ ୬ବର୍ଷ ପରେ ଗତମାସରେ ପୁନଃ ଏହି ବିଶ୍ବବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମି ଯାଂଚ କରିବାକୁ ୫ଜଣିଆ ‘ନାକ୍‌’ ଟିମ୍ ଆସିଥିଲା। କିନ୍ତୁ ବର୍ତ୍ତମାନର ବିଶ୍ବବିଦ୍ୟାଳୟ ସ୍ଥିତିକୁ ତଦାରଖ କରିବା ପରେ ଅସନ୍ତୋଷ ବ୍ୟକ୍ତ କରି ଫେରିଥିଲେ। ପରିଣାମ ସ୍ବରୂପ ସେମାନେ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଭିତ୍ତିକରି ଏହି ବିଶ୍ବବିଦ୍ୟାଳୟର ‘ନାକ୍‌’ ମାନ୍ୟତା ହ୍ରାସ ପାଇ ‘ବି’ ଗ୍ରେଡ଼୍ ମିଳିଥିବା ଜଣାପଡ଼ିଛି। ‘ନାକ୍‌’ ଟିମ୍‌କୁ ଡକାଇବା ପୂର୍ବରୁ ଏଥର ଉନ୍ନତ ମାନ୍ୟତା ପାଇବ ବୋଲି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଥିଲେ। ବିଶ୍ବବିଦ୍ୟାଳୟକୁ ନୂଆ ରୂପ ଦେବା ପାଇଁ ମାସାଧିକ କାଳ ଚାଲିଥିଲା ସାଜସଜ୍ଜା। କୋଠାବାଡ଼ିରେ ନୂଆ ରଂଗ ଲାଗିଥିଲା। ସଫେଇକୁ ଅଧିକ ଗୁରୁତ୍ବ ଦିଆଯାଇଥିବା ବେଳେ ସୁଦୃଶ୍ୟ ଫଳକ, ସ୍ଥାନେସ୍ଥାନେ ଫାଉଣ୍ଟେନ୍ ସ୍ଥାପନ ‌ହୋଇଥିଲା। ତେବେ ଏସବୁ ବାହ୍ୟ ଚକାଚକ୍ୟ ସତ୍ତ୍ବେ ‘ନାକ୍‌’ ଟିମ୍ କାହିଁକି ସନ୍ତୁଷ୍ଟ ହୋଇପାରି ନଥିଲେ? ଶୈକ୍ଷିକ ଭିତ୍ତିଭୂମିକୁ ନେଇ କଣ ରହିଛି ସମସ୍ୟା? ‌ମାନ୍ୟତା ହ୍ରାସ ପାଇଁ ଦାୟୀ କିଏ ? ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ଏଭଳି ଏକ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନର ‌ଶୈକ୍ଷିକ ଭିତ୍ତିଭୂମିକୁ କାହିଁକି ଅଣଦେଖା କରାଯାଇଛି? ଏଭଳି ନାନା ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି।

ଏନେଇ ଆଜି କୁଳପତି ପ୍ରଫେସର୍‌ ଗୀତାଞ୍ଜଳି ଦାଶଙ୍କ ପ୍ରତିକ୍ରିୟା ନେବାରୁ ସେ ମଧ୍ୟ ବିଶ୍ବବିଦ୍ୟାଳୟର ‘ନାକ୍‌’ ମାନ୍ୟତା ହ୍ରାସକୁ ନେଇ ନିରାଶ‌ ବ୍ୟକ୍ତ କରିଥିଲେ। ‘ନାକ୍‌’ ଟିମ୍‌ ଗତ ୫ବର୍ଷରେ ବିଶ୍ବବିଦ୍ୟାଳୟର ସଫଳତା, ଅସଫଳତା ସବୁକୁ ତର୍ଜମା କରିଥିଲେ। ଏହି ୫ବର୍ଷ ମଧ୍ୟରେ ଶୈକ୍ଷିକ ଭିତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ। ପାଠାଗାର ପାଇଁ ଗତ ୫ବର୍ଷ ମଧ୍ୟରେ ନୂଆ ବହି କିଣା ଯାଇ ନାହିଁ। କୌଣସି ‌ବିଦେଶୀ ବିଶ୍ବବିଦ୍ୟାଳୟ ସହ ଏହି ବିଶ୍ବବିଦ୍ୟାଳୟର ବୁଝାମଣା ସ୍ବାକ୍ଷର ହୋଇନାହିଁ। ଛାତ୍ରମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ମଧ୍ୟ ବିଶ୍ବବିଦ୍ୟାଳୟ ପଛୁଆ ରହିଛି। କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟର ଅନୁମୋଦିତ ଶିକ୍ଷକ ପଦବି ୧୮୪ଥିବା ବେଳେ ନାକ୍‌ ଟିମ୍ ଆସିବା ବେଳେ ମାତ୍ର ୭୩ଜଣ ଶିକ୍ଷକ ଥିଲେ। ଅର୍ଥାତ୍ ଅଧାରୁ ଅଧିକ ଶିକ୍ଷକ ପଦବି ଖାଲିଥିଲା। ସେହିପରି ୫୭୨ଅଣଶିକ୍ଷକ ପଦବିରୁ ମଧ୍ୟ ପ୍ରାୟ ଅଧା ଖାଲି ରହିଛି। ପୂର୍ବରୁ ଥିବା ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ମିଶାଇ ଦିଆଯାଇଥିଲେ ମଧ୍ୟ ଉକ୍ତ ବିଶ୍ବବିଦ୍ୟାଳୟର କୃତିତ୍ବକୁ ‘ନାକ୍‌’ ଟିମ୍‌ ଗ୍ରହଣ କରିନଥିଲା। ପୁଣି ଏହାମଧ୍ୟରେ ୨ବର୍ଷ ମହାମାରୀ ‘କରୋନା’ର କୁପ୍ରଭାବ ବିଶ୍ବବିଦ୍ୟାଳୟ ଉପରେ ପଡ଼ିଥିଲା। ‘ନାକ୍‌’ ମାନ୍ୟତା ହ୍ରାସ ପାଇଁ ଏଭଳି ବିଭିନ୍ନ କାରଣ ଦାୟୀ ବୋଲି କୁଳପତି ପ୍ରକାଶ କରିଥିଲେ। ତେବେ ଏଥିରେ ନିରୁତ୍ସାହିତ ନହୋଇ ସ୍ଥିତିରେ ସୁଧାର ଆଣିବାକୁ ସମସ୍ତଙ୍କ ସହଯୋଗ କାମନା କରି ମିଳିତ ଉଦ୍ୟମ କରାଯିବ ‌ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe