ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ ସମାରୋହ: ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରଫେସର ଦାଶଙ୍କ ପରାମର୍ଶ

Advertisment

ପରିଚୟର ପରିସର ବୃଦ୍ଧି କରନ୍ତୁ ବିଦ୍ୟାର୍ଥୀ: ସୌମ୍ୟରଞ୍ଜନ

ପରିଚୟର ପରିସର ବୃଦ୍ଧି କରନ୍ତୁ ବିଦ୍ୟାର୍ଥୀ: ସୌମ୍ୟରଞ୍ଜନ

ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ ସମାରୋହ: ସ୍ୱପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାକୁ ପ୍ରଫେସର ଦାଶଙ୍କ ପରାମର୍ଶ

କଟକ : ଭଲ ପାଠ ପଢ଼ିବା ସହିତ ବଡ଼ ସ୍ବପ୍ନ ଦେଖ। ଆଉ, ସ୍ବପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କର। ଛାତ୍ରଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଏଆଇପିଏଚ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଆଦିତ୍ୟ ପ୍ରସାଦ ଦାଶ‌। କେଏମ୍‌ବିବି ଉଚ୍ଚ ମାଧ୍ୟମିକ ସ୍କୁଲ ପକ୍ଷରୁ ଆୟୋଜିତ ‘ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୨’ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ଦାଶ‌ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ପାଇଁ ପରାମର୍ଶ ଦେବା ସହିତ ପିତାମାତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥ‌ିଲେ। କେଏମ୍‌ବିବି ଉଚ୍ଚ ମାଧ୍ୟମିକ ସ୍କୁଲ ପକ୍ଷରୁ ଆୟୋଜିତ ମେଧାବୃତ୍ତି କାର୍ଯ୍ୟକ୍ରମର ଭୂୟଂଶୀ ପ୍ରଶଂସା କରିବା ସହିତ ଅନୁଷ୍ଠାନର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ଏଭଳି କାର୍ଯ୍ୟକ୍ରମ ଭଲ ଛାତ୍ରଛାତ୍ରୀମାନଙ୍କୁ ଆଗକୁ ବଢ଼ିବାକୁ ପ୍ରେରଣା ଦେବ ବୋଲି ମୁଖ୍ୟ ଅତିଥି ପ୍ରଫେସର ଦାଶ କହିଥିଲେ।

‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବ୍ରଜବନ୍ଧୁ ମେଧାବୃତ୍ତି-୨୦୨୨ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଏଆଇପିଏଚ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଦାଶ‌ ‌ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ ଟ୍ରଷ୍ଟି ତଲିନା ପଟ୍ଟନାୟକ ଯୋଗଦେଇ କହିଲେ ଯେ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନର ପ୍ରକୃତ ସମ୍ପଦ। ସେମାନଙ୍କ ନିଷ୍ଠା, କଠିନ ପରିଶ୍ରମ ଓ ଦୃଢ଼ ମନୋବଳ ପାଇଁ ‘ସମ୍ବାଦ’ ଭଳି କେଏମ୍‌ବିବି କଲେଜ୍ ରାଜ୍ୟର ଏକ ନମ୍ବର ଶିକ୍ଷାନୁ‌ଷ୍ଠାନ ହେବ। କେଏମ୍‌ବିବି ଅଧ୍ୟକ୍ଷ ଡକ୍ଟର ସୂତାର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା ପିଲାଙ୍କୁ କଠିନ ପରିଶ୍ରମ ଓ ସମୟର ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ମେଡ‌ିକାଲ୍‌ ପାଇଥିବା କେଏମ୍‌ବିବି ଛାତ୍ରଛାତ୍ରୀ ସୌମ୍ୟରଞ୍ଜନ ବାରିକ, ଚନ୍ଦନ ଦଳେଇ, ଚିନ୍ମୟ ପ୍ରିୟଦର୍ଶୀଙ୍କୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ୧୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି ସହ ୨୦୨୧ ଯୁକ୍ତ ଦୁଇ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା କେଏମ୍‌ବିବି ଛାତ୍ରଛାତ୍ର ନିର୍ଲିପ୍ତା ନନ୍ଦିନୀ ପ୍ରଧାନ, ଶ୍ରେଷ୍ଠା ମହାନ୍ତି, ଦୀପ୍ତିରଞ୍ଜନ ମହଲାଙ୍କୁ ଉତ୍ସବରେ ୧୦ହଜାର ଟଙ୍କା ଲେଖାଏ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ଚଳିତବର୍ଷ ବ୍ରଜବନ୍ଧୁ ମେଧାବୃତ୍ତିରେ ରାଜ୍ୟର ପ୍ରଥମ ସ୍ଥାନ ଅଧିକାର କରିଥିବା ସତ୍ୟପ୍ରକାଶ କରଙ୍କୁ ୫୦ହଜାର ଟଙ୍କା, ଦ୍ବିତୀୟ ସ୍ଥାନରେ ଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ପୃଷ୍ଟିଙ୍କୁ ୨୫ହଜାର ଟଙ୍କା, ତୃତୀୟ ସ୍ଥାନରେ ଥିବା ଚିନ୍ମୟ ପାତ୍ରଙ୍କୁ ୧୫ହଜାର ଟଙ୍କା ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ବ୍ୟତୀତ ୩୦ ଜିଲ୍ଲାର ୩୦ଜଣ ଛାତ୍ରଛାତ୍ରୀଙ୍କୁ ବ୍ରଜବନ୍ଧୁ ମେଧାବୃତ୍ତି ସ୍ବରୂପ ୫ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ଅଧ୍ୟ୍ୟାପିକା ରୋମାଲି ସୋନମ୍‌ ସମର୍ପିତା କାର୍ଯ୍ୟକ୍ରମ ସଂ‌ଯୋଜନା କରିଥିବା ବେଳେ ମିନତୀ ପ୍ରଭା ସାହୁ ଧନ୍ୟବାଦ ଦେଇଥିଲେ।

publive-image

ନରଣପୁରସ୍ଥିତ କେଏମ୍‌ବିବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ‘ଉମଙ୍ଗ-୨୨’ ଓ ବ୍ରଜବନ୍ଧୁ ମେଧାବୃତ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ପିଲାମାନେ ଶିକ୍ଷକଙ୍କଠାରୁ ଶୁଣିବା ସହ ବାହାର ଲୋକଙ୍କଠୁ ବି ଶୁଣିବା ଉଚିତ। ବାହାର ଲୋକଙ୍କ ଅନୁଭବ ବି ଜାଣିବା ଉଚିତ। ଅନୁଭବ ଅଧିକ ମୂଲ୍ୟବାନ। ଅନୁଭବ ହିଁ ପ୍ରକୃତ ଶିକ୍ଷା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଜୀବନକୁ ଉପଭୋଗ କରିବା ସହିତ ନିଜ ପରିଚୟର ପରିଧି ବୃଦ୍ଧି କର। କାରଣ ସଂପର୍କ ଓ ପରିଚୟ ଅନେକ ସମୟରେ ଜ୍ଞାନ ଅପେକ୍ଷା ଅଧିକ ସହାୟତା ହୋଇଥାଏ। ପରିଚୟ ପରିସର ବୃଦ୍ଧି କ୍ଷେତ୍ରରେ ଆଗରେ ଥିବା ଛାତ୍ରଛାତ୍ରୀଙ୍କୁ ଆମାଗୀ ଦିନରେ ପୁରସ୍କୃତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଲେଖକ ଦାଶ ବେନହୂର କହିଲେ, ସୁବିଧାସୁ‌ଯୋଗ ନଥିଲେ ବି ଜଣେ ଛାତ୍ର ନିଷ୍ଠା ଓ ପ୍ରବଳ ଇଚ୍ଛାଶକ୍ତି ବଳରେ ଏକଲବ୍ୟ ଭଳି ସଫଳ ହୋଇପାରିବ। ଛାତ୍ର ଜୀବନରେ କଲେଜ ଶିକ୍ଷା ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ପ୍ରତିଦିନ ଦର୍ପଣ ଦେଖି ଦିନ ଆରମ୍ଭ କରିବା ଅପେକ୍ଷା ପ୍ରାର୍ଥନା କରି ଦିନ ଆରମ୍ଭ କରିବା ଓ ଜ୍ଞାନ ଆହରଣର କ୍ଷୁଧାକୁ ବୃଦ୍ଧି କରିବାକୁ ମୁଖ୍ୟ ଅତିଥି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଅନ୍ୟତମ ଅତିଥି ଭାବେ ‘ସମ୍ବାଦ’ ଗ୍ରୁପ୍ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ (ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡା ଓ ଏଚ୍‌ଡିଏଫ୍ ଟ୍ରଷ୍ଟର ସଂପାଦକ ସଞ୍ଜୟ କୁମାର ପାତ୍ର ପିଲାମାନଙ୍କୁ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି କେଏମ୍‌ବିବି ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡକ୍ଟର ବିଜୁନି ଚରଣ ସୂତାର କହିଲେ, ଗୁଣାତ୍ମକ ଶିକ୍ଷାଦାନ ପାଇଁ କେଏମ୍‌ବିବି ସର୍ବଦା ଗୁରୁତ୍ବ ଦେଇଆସିଛି। ଛାତ୍ରଛାତ୍ରୀମାନେ ଅଧ୍ୟାବସାୟ ଓ ଆନ୍ତରିକା ବଳରେ ଜୀବନରେ ସଫଳତା ହାସଲ କରିବାକୁ ଅଧ୍ୟକ୍ଷ ଡକ୍ଟର ସୂତାର ପିଲାଙ୍କୁ ପରାମର୍ଶ ଦେଇଥିଲେ। ଇଂରାଜୀ ବିଭାଗ ମୁଖ୍ୟ ନିରଞ୍ଜନ ପରିଡ଼ା ଧନ୍ୟବାଦ ଦେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe