ବ୍ରଜରାଜନଗର ଉପ ନିର୍ବାଚନ: କାହାକୁ ମିଳିବ ବିଜେଡି ଟିକଟ ?

ବ୍ରଜରାଜନଗର ଉପ ନିର୍ବାଚନ: କାହାକୁ ମିଳିବ ବିଜେଡି ଟିକଟ ?

ଝାରସୁଗୁଡ଼ା: ପଞ୍ଚାୟତ ଓ ପୌର ନିର୍ବାଚନ ସରିବା ପରେ ଏବେ ଝାରସୁଗୁଡ଼ା ଜିଲ୍ଲାରେ ବ୍ରଜରାଜନଗର ଉପ ନିର୍ବାଚନ ଆଡ଼କୁ ମୁହାଁଇଛି ରାଜନୈତିକ ପାଣିପାଗ।  ପଞ୍ଚାୟତ ନିର୍ବାଚନରେ ବିଜେଡିର ସଫଳତା ପରେ ପୌର ନିର୍ବାଚନକୁ ଜିଲ୍ଲାରେ ବିଜେଡି ଅଧିକ ଗୁରୁତ୍ବ ଦେଇଥିଲା। ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦ‌ାସ ନିଜେ ଏଥର ପୌର ନିର୍ବାଚନ ପରିଚାଳନା କରିଥିଲେ। ମନ୍ତ୍ରୀ ଶ୍ରୀ ଦାସ ୱାର୍ଡ ୱାର୍ଡ ବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଉଥିବା ଦେଖାଯାଇଥିଲା। ମନ୍ତ୍ରୀ କଂଗ୍ରେସ ବିଧାୟକ ଥିବା ବେଳେ କେବେ ପୌର ନିର୍ବାଚନ ପାଇଁ ଏତିକି ପରିଶ୍ରମ କରୁ ନଥିବା ବେଳେ ଚଳିତ ପୌର ନିର୍ବାଚନରେ ସେ ଜିଲ୍ଲାର ଝାରସୁଗୁଡ଼ା, ବେଲପାହାଡ଼ ଓ ବ୍ରଜରାଜନଗର ପୌର ପରିଷଦ ପାଇଁ ରାତି ଦିନ ଏକ କରି ପ୍ରଚାର କାର୍ଯ୍ୟରେ ଲାଗିଥିଲେ। ବିଜେଡି ପାଇଁ ମନ୍ତ୍ରୀ ଶ୍ରୀ ଦାସ କଳାହାଣ୍ଡି ପର୍ଯ୍ୟବେକ୍ଷକ  ହୋଇଥିବା ଓ କଳାହାଣ୍ଡିରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଦୁର୍ବଳ ହୋଇଥିବାରୁ  ଏଥର ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲାରେ ବିଜେଡିକୁ  ଶକ୍ତିଶାଳୀ କରିବା ପାଇଁ ସେଠାରେ ଅଧିକରୁ ଅଧିକ ସମୟ ଦେଇଥିଲେ ଓ ସଫଳ ମଧ୍ୟ ହୋଇଥିଲେ।

ଝାରସୁଗୁଡ଼ା ଜିଲ୍ଲାରେ ପୂର୍ବରୁ ପଞ୍ଚାୟତ ନିର୍ବ‌ାଚନ କଂଗ୍ରେସ ସପକ୍ଷରେ ଯାଉଥିବା ବେଳେ ନବ କଂଗ୍ରେସ ନେତୃତ୍ବ ନେଉଥିଲେ। ଏଥର ସେ ବିଜେଡିରେ ଥିବା ବେଳେ ଜିଲ୍ଲାରେ କଂଗ୍ରେସର ସ୍ଥିତି ଅତି ଦୁର୍ବଳ ରହିଛି। ବିଜେପିର ମଧ୍ୟ ଜିଲ୍ଲାରେ ସେଭଳି ପତିଆରା ନାହିଁ। ଫଳରେ  ମନ୍ତ୍ରୀ ଶ୍ରୀ ଦାସ ପଞ୍ଚାୟତ ନିର୍ବାଚନ ସମୟରେ ନିଜ ଜିଲ୍ଲାରେ ବିଜୟ ନେଇ ଦୃଢ଼ ଆତ୍ମ ବିଶ୍ବାସ ରଖି ୯ ରୁ ୯ ଜିଲ୍ଲା ପରିଷଦ ଓ ୫ ରୁ ୫  ପଞ୍ଚାୟତ ସମିତି ବିଜେଡି ସପକ୍ଷରେ ଯିବ ବୋଲି ବହୁ ପୂର୍ବରୁ ଘୋଷଣା କରି ଦେଇଥିଲେ। ତେଣୁ ନିଜ ଜିଲ୍ଲାରେ କାଁ ଭାଁ ପ୍ରଚାରକୁ  ଆସି କଳାହାଣ୍ଡିରେ ଦୃଷ୍ଟି ନି‌କ୍ଷେପ କରିଥିଲେ। ପଞ୍ଚାୟତ ନିର୍ବାଚନ ପରେ କିନ୍ତୁ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲାର ପୌର ପରିଷଦକୁ ଅଧିକ ଗୁରୁତ୍ବ ଦେଇଥିବା ଦେଖା ଯାଇଥିଲା।

ନଗରପାଳ ଟିକଟ ବଣ୍ଟନ ବେଳେ ବିଜେଡିର ତ୍ରିନାଥ ଗୁଆଳ ଅସନ୍ତୁଷ୍ଟ ହୋଇ ବିଜେପି ପକ୍ଷରୁ ଲଢ଼ିବା ବିଜେଡି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ଅପରପକ୍ଷେ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡ଼ ରକ୍ଷା କରିବାକୁ  ମଧ୍ୟ ସେ ଅଧିକ ଗୁରୁତ୍ବ ଦେଇଥିଲେ। ରାଜନୀତି ଗୋଟି ଚାଳାଇବାରେ ମାହିର ମନ୍ତ୍ରୀ ଶ୍ରୀ ଦାସ ପୌର ନିର୍ବାଚନ ଆଗରୁ କିଶୋରଙ୍କ ପୁତ୍ରଙ୍କୁ କିଛି ଦିନ ସାଙ୍ଗରେ ଧରି ବୁଲାଇବା ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଭିନ୍ନ ରାଜନୈତିକ ଦଳରେ ରହି କିଶୋରଙ୍କ ସହିତ ରାଜନୈତିକ ଶତ୍ରୁତା ଲାଗି ରହିଥିବା ଜିଲ୍ଲା ରାଜନୀତିରେ ଏବେ ମଧ୍ୟ ବହୁ କିଶୋର ସମର୍ଥକ ନବଙ୍କୁ ଭିତରେ ବିରୋଧ କରିଥା’ନ୍ତି। କିଶୋରଙ୍କ ବିୟୋଗ ପରେ ନବ ଜିଲ୍ଲା ବିଜେଡିର ସର୍ବମାନ୍ୟ ନେତା ‌ହୋଇ ସାରିଥିବା ବେଳେ ତାଙ୍କ ନେତୃତ୍ବରେ ଦଳ ପରିଚାଳିତ ହୋଇ ଆସୁଛି। ଗୋଟିଏ ଦଳରେ ରହିବା ପରେ କିଶୋର ଓ ନବ ଉଭୟ ନିର୍ବାଚନ ମଣ୍ଡଳୀକୁ ନିଜ ମଧ୍ୟରେ ବଣ୍ଟୁଆରା କରି ଦେଇଥିଲେ।

ବ୍ରଜରାଜନଗର ବ୍ୟାପାରରେ ସେ ମୁଣ୍ଡ ଖେଳାଇବେ ନାହିଁ କି ଝାରସୁଗୁଡ଼ା ବ୍ୟାପାରରେ କିଶୋର ମୁଣ୍ଡ ଖେଳାଇବେ ନାହିଁ ବୋଲି ଉଭୟଙ୍କ ମଧ୍ୟରେ ନିଷ୍ପତ୍ତି ହୋଇଥିଲା। ଏହି କଥା ବିଭିନ୍ନ ସଭାରେ ମଧ୍ୟ ଘୋଷଣା କରାଯାଇଥିଲା। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟସେବା ଏକ ପ୍ରମୁଖ ପ୍ରସଙ୍ଗ ଥିଲା। ବେଲପାହାଡ଼ଠାରେ ଡାକ୍ତରଖାନା, ଲଖନପୁର ଓ ବ୍ରଜରାଜନରଠାରେ ଆମ୍ବୁଲାନ୍‌ସ ସେବା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା। କିଛିଦିନ ହେଲା ଏହି ନିର୍ବାଚନ ମଣ୍ଡଳୀରେ ନବଙ୍କ ମା’-ବପାଙ୍କ ନାମରେ ଥିବା ନରସିଂହ ବିଷ୍ଣୁପ୍ରିୟା ସେବା ଟ୍ରଷ୍ଟ ପକ୍ଷରୁ ଏହି ବ୍ଲକର ତିନ‌ୋଟି ଜୋନ୍‌ରେ ତିନୋଟି ଆମ୍ବୁଲାନ୍‌ସ ଯୋଗାଇ ଦିଆଯାଇଥିଲା। ଏହି ଟ୍ରଷ୍ଟର ମୁଖ୍ୟ ଥିବା ନବଙ୍କ ଝିଅ ଦୀପାଳି ଦାସ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିଛନ୍ତି। ବିରାଟ ଜନସଭା ମାଧ୍ୟମରେ ସେ ମହିଳାଙ୍କୁ ବିଭିନ୍ନ ସେବା ଯୋଗାଇ ଦେବାଠାରୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଟ୍ରଷ୍ଟ ସମସ୍ତ ସହଯୋଗ ଦେବାକୁ ସେ ପ୍ରତିଶ୍ରୁତି ‌ଦେଉଥିବା ଦେଖା ଯାଉଛି। ଲଖନପୁର ବ୍ଲକର ଜଣେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୀପାଳିଙ୍କୁ ବ୍ରଜରାଜନଗର ବିଧାୟକ ଭାବରେ ଏହି ଅଞ୍ଚଳର ଲୋକେ ଚାହୁଥିବା ନେଇ ଘୋଷଣା ମଧ୍ୟ କରିଥିଲେ। ଏହାପରେ ଏଠାରେ ବିଜେଡି ଟିକଟକୁ ନେଇ ବାତାବରଣ ଉଷ୍ମ ହୋଇଥିଲା।

ଗୁରୁବାର ସ୍ବର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହେବାକୁ ତାଙ୍କର ଇଚ୍ଛା ଗଣମାଧ୍ୟମରେ ପ୍ରକାଶ କରିବା ପରେ ନିର୍ବାଚନ ମଣ୍ଡଳୀରେ ରାଜନୀତି ଜୋର ଧରିଛି। ଉଭୟ ଦୀପାଳି ଓ ଅଳକା ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ ପାଇଁ ଆଶାବାଦୀ ଥିବା ଏଥିରୁ ସ୍ପଷ୍ଟ ହୋଇଥିବା ବେଳେ ଉଭୟ କିନ୍ତୁ ହାଇକମାଣ୍ଡଙ୍କ ଉପରେ ତାକୁ ଛାଡ଼ି ଦେଇଛନ୍ତି। ତେବେ ଏହାକୁ ନେଇ ନବ-କିଶୋର ସମର୍ଥକଙ୍କ ମଧ୍ୟରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ସାମାଜିକ ଗଣମାଧ୍ୟମର ବିଭିନ୍ନ ପୋଷ୍ଟରୁ ଜଣାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe