ସଂକଟରେ କଂସା ପିତ୍ତଳ ଶିଳ୍ପ : ଦୁର୍ଦ୍ଦିନରେ ୧୦ ହଜାର କଂସାରୀ ପରିବାର

ଆର୍ଥିକ ପ୍ୟାକେଜ୍‌ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ସଂକଟରେ କଂସା ପିତ୍ତଳ ଶିଳ୍ପ : ଦୁର୍ଦ୍ଦିନରେ ୧୦ ହଜାର କଂସାରୀ ପରିବାର

ଖଣ୍ଡପଡ଼ା : ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ସଂକ୍ରମଣ ରୋକିବା ଲାଗି ରାଜ୍ୟ ଓ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଗାଁ’ରୁ ସହର ଚାରିଆଡ଼େ ଜୀବନଯାତ୍ରା ଠପ୍‌ ହୋଇଯାଇଥିବା ବେଳେ ବ୍ୟବସାୟ ଓ ଅନ୍ୟାନ୍ୟ କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି। ଏପରି ସ୍ଥିତିରେ ଖଣ୍ଡପଡ଼ା ବ୍ଲକ୍‌ର ଖଳିସାହି ଓ କଣ୍ଟିଲୋ ପଞ୍ଚାୟତର ହଜାର ହଜାର କଂସା ଓ ପିତ୍ତଳ କାରିଗର ଜୀବିକା ହରାଇବାକୁ ବସିଛନ୍ତି। ଏ ନେଇ ଆଜି ନିଖିଳ ଉତ୍କଳ କଂସାରି ସମାଜ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଗୁହାରି ଜଣାଇଛନ୍ତି।

publive-image

ସଂଘର କହିବା କଥା ହେଲା ନୟାଗଡ଼, ପୁରୀ, ଗଞ୍ଜାମ, କଟକ, ବରଗଡ଼, ବଲାଙ୍ଗିର, ବୌଦ୍ଧ ଆଦି ୧୦ଟି ଜିଲ୍ଲାର ୧୦ ହଜାରରୁ ଊର୍ଦ୍ଧ୍ବ କଂସାରୀ ପରିବାର ଓ କାରିଗରମାନେ କରୋନା ବିଭୀଷିକା ପାଇଁ ପ୍ରଭାବିତ ହୋଇଛନ୍ତି। ମୁଖ୍ୟତଃ କଞ୍ଚାମାଲ ଅଭାବ, ଅତ୍ୟଧିକ ଦରବୃଦ୍ଧି ସହ ଏହି ଜାତିର ଆର୍ଥିକ ଅନଟନ ସହ ଲକ୍‌ଡାଉନ୍‌ ଯୋଗୁ ଦୁର୍ଦ୍ଦିନରେ ସମୟ ଅତିବାହିତ କରୁଛନ୍ତି। ରାତି ପାହିଲେ ହାତୁଡ଼ି ମାଡ଼ ଓ କଂସା ପିତ୍ତଳ କାମର ଶବ୍ଦ ଆଉ ଶାଳରୁ ଶୁଭୁନାହିଁ। କଂସା ପିତ୍ତଳ ଶିଳ୍ପ ପାଇଁ ପ୍ରତି ଶାଳରେ ୧୦ରୁ ୧୫ ଜଣ କାରିଗର ଦିନତମାମ ନିଆଁ ସହିତ କାମ କରିବା ପରେ ପରିବାର ପ୍ରତିପୋଷଣ ହୋଇଥାଏ। ମାତ୍ର ଲକ୍‌ଡାଉନ୍‌ ପାଇଁ ଗତ ମାସ ୨୩ ତାରିଖରୁ ଏସବୁ ଶାଳରେ ତାଲା ଝୁଲିଛି।

publive-image Abhijna eMuseum

ସେହିପରି ଏହି ଶିଳ୍ପ ସହ ଜଡ଼ିତ ପରିବାରର ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ, ନିର୍ମାଣ ଶ୍ରମିକ ଭଳି କୌଣସି ଗୋଟିଏ ଯୋଜନାରେ ସାମିଲ ନ ଥିବାରୁ ସରକାରୀ ସହାୟତା ସ୍ୱପ୍ନ ପାଲଟିଥିବା କଥା ସୁବାସ ଚନ୍ଦ୍ର ମହାରଣା ନାମକ କାରିଗରଙ୍କଠାରୁ ପ୍ରକାଶ। ନିଖିଳ ଉତ୍କଳ କଂସାରି ସମାଜର କାର୍ଯ୍ୟକାରୀ ସଭାପତି ଅଖିଳ କୁମାର ମହାରଣାଙ୍କ କହିବା କଥା ହେଲା କଂସାରି ସମାଜ ଜଗନ୍ନାଥଙ୍କ ତୃତୀୟ ସେବକ ଭାବରେ ନାନାବିଧ କାର୍ଯ୍ୟ ତୁଲାଉଛନ୍ତି। ମହାପ୍ରଭୁଙ୍କ ଘଣ୍ଟ ଲାଗି ସେବାଠାରୁ ଅନ୍ୟାନ୍ୟ ସେବାରେ ସେମାନଙ୍କର ଅବଦାନ ରହିଛି। ରାଜ୍ୟ ସରକାର ସେବାୟତଙ୍କ ପାଇଁ ଆର୍ଥିକ ପ୍ୟାକେଜ୍‌ ଘୋଷଣା ସହ ଅନ୍ୟ ସୁବିଧା ସୁଯୋଗ ପ୍ରଦାନ କରି, କଂସାପିତ୍ତଳ ଶାଳଗୁଡ଼ିକୁ ତୁରନ୍ତ ଖୋଲିବା ନିମିତ୍ତ ପଦକ୍ଷେପ ଗ୍ରହଣ କରନ୍ତୁ।

ଅନ୍ୟ ପକ୍ଷରେ ସଂଘର ସଭାପତି ବିଜେପୁର ବିଧାୟିକା ରିତା ସାହୁଙ୍କୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ମହାରଣା କହିଛନ୍ତି। ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କଂସାରି ସମାଜ ପକ୍ଷରୁ ଦାବି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ମଧୁସୂଦନ ମହାରଣା, ଅନାଦିଚରଣ ସାହୁ, ପବିତ୍ର ମହାରଣା ପ୍ରମୁଖ କାରିଗର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe