ଦୁର୍ଦ୍ଦିନରେ କଂସା ପିତଳ କାରିଗର: ଆଗଭଳି ଆଉ ଶୁଭୁନାହିଁ ଠୁକ୍‌ଠୁକ୍‌ ଶବ୍ଦ, ବନ୍ଦ ହେବା‌କୁ ବସିଲାଣି ଶାଳଘର

ଦୁର୍ଦ୍ଦିନରେ କଂସା ପିତଳ କାରିଗର: ଆଗଭଳି ଆଉ ଶୁଭୁନାହିଁ ଠୁକ୍‌ଠୁକ୍‌ ଶବ୍ଦ, ବନ୍ଦ ହେବା‌କୁ ବସିଲାଣି ଶାଳଘର

ରାଜସୁନାଖଳା : ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ମଧ୍ୟ ଭାଗରେ ଅବସ୍ଥିତ ରାଜସୁନାଖଳା ଏକ ବ୍ୟାବସାୟିକ ଅଞ୍ଚଳ ହୋଇଥିଲା ବେଳେ ଏଠାକୁ ଦୈନିକ ଶହଶହ ବ୍ୟବସାୟୀ ବ୍ୟବସାୟ କରିବା ପାଇଁ ଆସିଥା’ନ୍ତି। ଏହି ଅଞ୍ଚଳ ମଧ୍ୟ କଂସା ପିତଳ ସାମଗ୍ରୀ ପାଇଁ ମଧ୍ୟ ବେଶ୍ ପ୍ରସିଦ୍ଧ। ତେବେ କରୋନା ବେଳ ଓ ଏହା ପରର ମାନ୍ଦାବସ୍ଥା ପାଇଁ ରାଜସୁନାଖେଳାର କଂସା ପିତଳ କାରିଗର ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ଏଠାରେ ଆଉ ଆଗଭଳି କାରିଗରଙ୍କ ଶାଳଘରୁ ଠୁକ୍ଠୁକ୍ ଶବ୍ଦ ଶୁଣିବାକୁ ମିଳୁନାହିଁ। ଅଧିକାଂଶ ଶାଳଘର ଏବେ ବନ୍ଦ ‌ହୋଇଯାଇଛି କିମ୍ବା ବନ୍ଦ ହେବା‌ ଉପରେ ରହିଛି।

ରଣପୁର ବ୍ଲକ୍‌ର ରାଜସୁନାଖଳା ପଞ୍ଚାୟତ ୧୮ ୱାର୍ଡର ନୀଳାଦ୍ରିପୁର ସାହିରେ ପାଖାପାଖି ୩୦ ପରିବାର କଂସା ପିତଳ ସମଗ୍ରୀ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। କରୋନା ପରଠାରୁ କିନ୍ତୁ ଏଠାକାର ଅନେକ କାରିଗର ଏହି କାମ ଛାଡ଼ି ରାଜ୍ୟ ବାହାରକୁ ଯାଇଛନ୍ତି। ଆଉ କିଛି ଦୁର୍ଦ୍ଦିନରେ ଦିନ କାଟୁଥିବା ଦେଖିବାକୁ ମିଳିଛି। କିଛି ପରିବାର କରୋନା ପରବର୍ତ୍ତୀ ସମୟର ମାନ୍ଦାବସ୍ଥା ଯୋଗୁ ନିଜର କୌଳିକ ବୃତ୍ତିକୁ ଛାଡ଼ି ଅଲଗା ବ୍ୟବସାୟରେ ମନୋନିବେଶ କରିଛନ୍ତି। ହେଲେ ବସନ୍ତ କୁମାର ସାହୁ(୬୪) ନାମକ ଜଣେ ବର୍ଷିୟାନ କା‌ରିଗର ବହୁ ବାଧାବିଘ୍ନ ସତ୍ତ୍ବେ ନିଜ କୌଳିକ ବୃତ୍ତିକୁ ଛାଡ଼ିନାହାନ୍ତି। ଅତୀତରେ ପିତଳରେ ଡିବିରୀ ବତୀ, ଚୁନ ଖାଇ, ପାନବଟା, ଗୁଆକାତି, ଘଣ୍ଟି, ଦୀପ, ରୂଖା ଓ ବିଭିନ୍ନ ପ୍ରକାରର ପୂଜା ଉପକରଣ ସହ ବିଭିନ୍ନ ଘରକରଣା ସାମଗ୍ରୀ ଆଦି ତିଆରି କରି ଗୁଜୁରାଣ ମେଣ୍ଟାଉଥିଲେ ସେ। କାଳକ୍ରମେ ବଜାରରେ ଷ୍ଟିଲ, ଆଲୁମିନିୟମ୍‌ରେ ତିଆରି ଘରକରଣା ଏବଂ ଅନ୍ୟ ସୌଖିନ ସାମଗ୍ରୀ ତଥା ଉପକରଣ ମିଳିବା ପରେ ସଂପ୍ରତି ପିତଳ ତିଆରି ଜିନିଷର ଚାହିଦା ପୂର୍ବାପେକ୍ଷା ଢେର କମିଛି। ଯାହା ଫଳରେ ବସନ୍ତଙ୍କ ସହ ଏହି କାର୍ଯ୍ୟରେ ନିୟୋଜିତ ଥିବା କାରିଗରମାନଙ୍କ ରୋଜଗାର ବି କମିଛି। ଏହାକୁ ବୃତ୍ତି କରି ଚଳିବା ଏବେ ଅନ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଏଣୁ ନୟାଗଡ଼ ଜିଲ୍ଲା ଶିଳ୍ପ ବିଭାଗ ଓ ହସ୍ତଶିଳ୍ପ ବିଭାଗ କର୍ତ୍ତୃପକ୍ଷ ଦୁର୍ଦ୍ଦିନରେ ଥିବା ଏଭଳି କାଂସା ପିତଳ କାରିଗରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ବସନ୍ତ କୁମାର ସାହୁ, ନିରଞ୍ଜନ ମହାରଣା, ନିତ୍ୟାନନ୍ଦ ମହାରଣାଙ୍କ ଭଳି ପତଳ କାରିଗର ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe