Times of India
ଚିତ୍ରଡ଼ା: ମୋରଡ଼ା ବ୍ଲକ୍ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ମଗାଯାଉଥିବା ଅଭିଯୋଗ ହେବାପରେ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି ସ୍ବାସ୍ଥ୍ୟ ବିଭାଗ। ଅଭିଯୋଗ ଅନୁସାରେ ଏହି ବ୍ଲକ୍ ଅଧୀନ ପଚାଖାଳି ଗ୍ରାମର ଦୁର୍ଗା ଚରଣ ମୁର୍ମୁଙ୍କଠାରୁ ଜନ୍ମ ପ୍ରମାଣପତ୍ର ପାଇଁ ପଞ୍ଜୀକରଣ ଦାୟିତ୍ବରେ ଥିବା ସୁପରଭାଇଜର ୫ ଶହ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହାର ଏକ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।
ପରେ ଅଭିଯୋଗକାରୀ ଜଣକ ମିଛରେ ଏଭଳି ଆରୋପ ଲଗାଇଥିବା ନେଇ କହୁଥିବାର ଆଉ ଏକ ଭିଡିଓ ବି ଭାଇରାଲ୍ ହୋଇଥିଲା। ତେବେ ପ୍ରକୃତରେ ଏହି ଅଭିଯୋଗର ସତ୍ୟତା ଅଛି କି ନାହିଁ ତାହାର ତଦନ୍ତ କରିବା ପାଇଁ କିଶାନତାଣ୍ଡି ଡାକ୍ତରଖାନା ଅଧିକାରୀ ହାମ୍ବିରା ମୁର୍ମୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ଏବଂ ଲାଞ୍ଚ ମାଗିଥିବା ସୁପରଭାଇଜର ଉଭୟଙ୍କୁ ତଦନ୍ତ ପରିସରଭୁକ୍ତ କରି ପଚରାଉଚରା କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିଜର ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି ଡା. ମୁର୍ମୁ। ତେବେ କାହା ସପକ୍ଷରେ ତାଙ୍କ ରିପୋର୍ଟ ଯାଇଛି ଜଣାପଡ଼ିନି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ରିପୋର୍ଟ ଆଧାରରେ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ କରାଯିବ ବୋଲି ସେ କହିଛନ୍ତି।
Follow Us