ଜିଏସ୍‌ଟି ଫାଙ୍କିବାକୁ ଲାଞ୍ଚ ମାମଲା: ଜେଲ୍‌ ଗଲେ ଜିଏସ୍‌ଟି ସୁପରିଟେଣ୍ଡେଣ୍ଟ

Advertisment
ସ୍ବତନ୍ତ୍ର ପାରୋଲରେ ମୁକୁଳିବେ ଆଉ ୨୨୧ କଏଦୀ

Photo Credit: Representative Image

ଭୁବନେଶ୍ବର : ଜିଏସ୍‌ଟି ଫାଙ୍କିବା ଅଭିଯୋଗର ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିବାବେଳେ ଗତକାଲି ସିବିଆଇ ଦ୍ବାରା ଗିରଫ ହୋଇଥିବା ଭୁବନେଶ୍ବର ଜିଏସ୍‌ଟି ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଆଜି ଜେଲ୍‌ ଯିବାକୁ ପଡ଼ିଛି। ସିବିଆଇର ସ୍ବତନ୍ତ୍ର କୋର୍ଟରେ ଅଭିଯୁକ୍ତମାନଙ୍କ ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତମାନେ ହେଲେ ଜିଏସ୍‌ଟି ୩ ସୁପରିଟେଣ୍ଡଣ୍ଟ (ଭୁବନେଶ୍ବର ସର୍କଲ)ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଓ ଏନ୍ଏନ୍ ସାହୁ ଏବଂ ଲାଞ୍ଚ ଦେଉଥିବା ଜଟଣୀସ୍ଥିତ ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଆକାଉଣ୍ଟ୍‌ସ ଅଫିସର ଆଶୁତୋଷ ପାଢ଼ୀ। ଗତସନ୍ଧ୍ୟାରେ ଏକ ହୋଟେଲରେ ଏହି ଲାଞ୍ଚ କାରବାର ଚାଲୁଥିବାବେଳେ ଚଢ଼ଉ କରି ସିବିଆଇ ଏମାନଙ୍କୁ ଗିରଫ କରିଥିଲା।

ଆଜି ସିବିଆଇ ଅଧିକାରୀମାନେ ଭୁବନେଶ୍ବର ଜିଏସ୍‌ଟି ଅଫିସ୍‌ରେ ଚଢ଼ଉ କରିଥିଲେ। ଅନ୍ୟ ସହକର୍ମୀଙ୍କୁ ପଚରାଉଚରା କରିଥିଲେ। ଅଭିଯୁକ୍ତମାନଙ୍କ ସହ ଆଉ କେଉଁ ଅଧିକାରୀ ଯୋଗ ସୂତ୍ରରେ ଥିଲେ? ଅଭିଯୁକ୍ତମାନଙ୍କ ନାମରେ ପୂର୍ବରୁ ଏଭଳି ଅଭିଯୋଗ ରହିଛି କି? ସେମାନଙ୍କ ଉପରେ ଏଥିପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କିମ୍ବା ତଦନ୍ତ ହୋଇଛି କି ନାହିଁ? ଅଭିଯୁକ୍ତ ଅଧିକାରୀଙ୍କ ବାବଦରେ ସିବିଆଇ ଏମିତି ଅନେକ ତଥ୍ୟ ସଂଗ୍ରହ କରିଛନ୍ତି। ଏ ନେଇ ଜିଏସ୍‌ଟି ଅତିରିକ୍ତ କମିସନର ଶ୍ରୀବାସ ନାଥ କହିଛନ୍ତି ଏହି ଖବର ମିଳିବା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ତଦନ୍ତ ଆାରମ୍ଭ କରାଯାଇଛି। ପ୍ରମାଣିତ ହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିଭଳି ଗତକାଲି ବିଳମ୍ବିତ ରାତିରେ ଏକ ହୋଟେଲ ପରିସରରେ ସିବିଆଇ ଅଧିକାରୀମାନେ ଚଢ଼ଉ କରି ପଚରା ଉଚରା କରିଥିଲେ। ହୋଟେଲ୍‌ର କିଛି କର୍ମଚାରୀଙ୍କୁ ଜେରା କରି ଅଭିଯୁକ୍ତମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ।

ସୂଚନା ମୁତାବକ, ସେଞ୍ଚୁରିଅନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବିରୋଧରେ ଜିଏସ୍‌ଟି ଫାଙ୍କିବା ନେଇ ଅଭିଯୋଗ ରହିଥିଲା। ଏହାକୁ ସମାଧାନ କରିବା ପାଇଁ ଜିଏସ୍‌ଟିର ଏହି ତିନି ସୁପରିଣ୍ଟେଣ୍ଡେଣ୍ଟ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାକୁ ଡିଲ୍ କରିଥିଲେ। ଶେଷରେ ୧୦ ଲକ୍ଷ ଟଙ୍କାରେ କଥା ଛିଡ଼ିଥିଲା। ଗତକାଲି ସନ୍ଧ୍ୟାରେ ହୋଟେଲରେ ଏହି କାରବାର ହେଉଥିଲା। ପୂର୍ବରୁ ଖବର ଥିବାରୁ ସିବିଆଇର ୬ ଜଣିଆ ଦଳ ଚଢ଼ଉ କରି ଲାଞ୍ଚ ଦାତା ଓ ଗ୍ରହୀତା ସମସ୍ତଙ୍କୁ ଗିରଫ କରିଥିଲେ। ଉଲ୍ଲେଖଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଜିଏସ୍‌ଟି ସର୍କଲ-୧ର ଅଧିକାରୀ ତଥା ସହକାରୀ ବାଣିଜ୍ୟକର ଅଧିକାରୀ ଅଲେଖ ମହାନନ୍ଦ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe