ପ୍ରଶାସନର ନିର୍ଦ୍ଦେଶକୁ ମାନୁନାହାନ୍ତି ଜନପ୍ରତିନିଧି : କରୋନା କଟକଣା ସତ୍ତ୍ୱେ ବେଆଇନ ଭାବେ ଇଟା ଗଢ଼ୁଛନ୍ତି ପ୍ରବାସୀ ଶ୍ରମିକ

Advertisment

କରୋନା ସହାୟତା ହଡ଼ପ ଅଭିଯୋଗ

କରୋନା ସହାୟତା ହଡ଼ପ ଅଭିଯୋଗ

ପ୍ରଶାସନର ନିର୍ଦ୍ଦେଶକୁ ମାନୁନାହାନ୍ତି ଜନପ୍ରତିନିଧି : କରୋନା କଟକଣା ସତ୍ତ୍ୱେ ବେଆଇନ ଭାବେ ଇଟା ଗଢ଼ୁଛନ୍ତି ପ୍ରବାସୀ ଶ୍ରମିକ

କୋଣାର୍କ : ମହାମାରୀ କରୋନାର ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଟକଣା ଜାରି ରହିଛି। ବିଭିନ୍ନ ସ୍ଥାନରେ ଅଟକି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସ୍ଥାନୀୟ ପଞ୍ଚାୟତ ଅଧୀନରେ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ତେବେ କିଛି ପଞ୍ଚାୟତସ୍ତରୀୟ ଜନପ୍ରତିନିଧି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା କରୋନା ସହାୟତାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। କୋଣାର୍କ ଥାନା ଅଧୀନ ଅବଦାନ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପ୍ରବାସୀ ଶ୍ରମିକଙ୍କ ସହାୟତାରେ ଅବଦାନ ପଞ୍ଚାୟତର ସୁଆର ଗାଁ’ ମୁଣ୍ଡରେ ଏବେ ହଜାର ହଜାର ଇଟା ପକାଯାଉଥିବା ଦେଖାଯାଇଛି। ଶ୍ରମିକଙ୍କୁ କରୋନା ସରକାରୀ ସହାୟତା ଦେଇ ଜଣେ ଜନପ୍ରତିନିଧି ନିଜର ବ୍ୟକ୍ତିଗତ ଇଟା ପକାଉ ଥିବା ଭଳି ସଙ୍ଗିନ ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ମୁତାବକ, ଅବଦାନ ପଞ୍ଚାୟତରେ ଇଟା ପକାଇବା ପାଇଁ ସୁଦୂର ଛତିଶଗଡ଼ ଓ ନୂଆପଡ଼ା ଅଞ୍ଚଳର ୩୦ରୁ ଅଧିକ ଶ୍ରମିକ ପରିବାର ସହ ଆସିଥିଲେ। କରୋନା ପୂର୍ବରୁ ଅବଦାନ ପଞ୍ଚାୟତର ଜଣେ ଲୋକପ୍ରତିନିଧିଙ୍କର ଏହି ଇଟା ପକାଯିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ସୁଆର ମୌଜାର ଏକ ସରକାରୀ ଜମିରେ ଏହି ବେଆଇନ ଇଟା ପକାଯାଉଥିବା ଜଣାପଡ଼ିଛି। କରୋନା ପୂର୍ବରୁ ଜାରି ରହିଥିବା ଏହି ଇଟା ପକାଯିବା କାର୍ଯ୍ୟରେ ନିୟୋଜିତ ପ୍ରବାସୀ ଶ୍ରମିକମାନେ କଟକଣା ପାଇଁ ଘରକୁ ଫେରି ପାରିନଥିଲେ। ପରବର୍ତ୍ତୀ ସମୟରେ କରୋନା ଲକ୍‌ଡାଉନ୍‌ ପାଇଁ ସେମାନେ ଉକ୍ତ ସ୍ଥାନରେ ରହି ଆସୁଛନ୍ତି। କରୋନା ପାଇଁ ବେଆଇନ ଇଟା ପକାଉଥିବା ଉକ୍ତ ରାଜନେତା ଜଣଙ୍କ କିଛିଦିନ ଉକ୍ତ ଶ୍ରମିକମାନଙ୍କୁ ନିଜ ପକ୍ଷରୁ ଖାଇବାକୁ ଦେଉଥିଲେ। ମାତ୍ର ସରକାର ପ୍ରବାସୀ ଶ୍ରମିକ ଓ ନିରାଶ୍ରୟମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବାପରେ ସେ ଏହାର ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି। କରୋନା ସହାୟତାରେ ତାଙ୍କ ବ୍ୟକ୍ତିଗତ ଇଟା ପକାଇବାକୁ ଆସିଥିବା ଶ୍ରମିକଙ୍କୁ ସେ ଖାଇବାକୁ ଦେଉଛନ୍ତି। ଅନ୍ୟପକ୍ଷରେ ଉକ୍ତ ଶ୍ରମିକମାନେ ଲକ୍‌ଡାଉନ୍‌ ସତ୍ତ୍ବେ ମଧ୍ୟ ପୂର୍ବବତ ଇଟା ପକାଇବା କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ଉଠିଛି। ଫଳରେ ସରକାରୀ ଧନରେ ଉକ୍ତ ନେତାଙ୍କ ବ୍ୟକ୍ତିଗତ ଇଟା ପକାଯାଉଛି ବୋଲି ଅଭିଯୋଗ ଜୋର ଧରିଛି।

ଏହି ବେଆଇନ ଇଟାପକା କାର୍ଯ୍ୟ ସଂପର୍କରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା। ମାତ୍ର ପଞ୍ଚାୟତର ବିଭିନ୍ନ ବର୍ଗର ଲୋକଙ୍କ ଅଭିଯୋଗର ସ୍ବର ଶାଣିତ ହେବାପରେ ସ୍ଥାନୀୟ ରାଜସ୍ବ ବିଭାଗ ପକ୍ଷରୁ ସଂପୃକ୍ତ ନେତାଙ୍କୁ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଅଦ୍ୟାବଧି ଉକ୍ତ ଜରିମାନା ଦାଖଲ କରିନଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ତାଙ୍କୁ ଉକ୍ତ ସ୍ଥାନରୁ ବେଆଇନ ଇଟା ପକାଇବା ବନ୍ଦ ପାଇଁ ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ତାହାକୁ ବେଖାତିର କରି ସେ ପୂର୍ବବତ ଇଟା ପକାଇ ଚାଲିଛନ୍ତି। ଏ ସଂପର୍କରେ ସ୍ଥାନୀୟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ବିଷୟରେ ଅନୁଧ୍ୟାନ କରିଥିଲେ। ଉକ୍ତ ସ୍ଥାନରେ ଇଟାପକା ବନ୍ଦ କରିବାକୁ ସଂପୃକ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ପୁର୍ନବାର ନୋଟିସ୍‌ କରାଯିବା ସହ ତୁରନ୍ତ ଜରିମାନା ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଥିଲେ। ଏପରିକି ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଉକ୍ତ ଜନପ୍ରତିନିଧି ଜଣଙ୍କ ସାବୁନ, ତେଲ ଓ ପାରିଶ୍ରମିକ ଦେଉନଥିବା ନେଇ ଶ୍ରମିକମାନେ କରୁଥିବା ଅଭିଯୋଗକୁ ଲିଖିତ ଆକାରରେ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe