କବାଟବନ୍ଧ : ବର୍ଷାଋତୁ ଆରମ୍ଭ ହୋଇଯାଇଛି। ଏହାପରେ ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରବେଶ କରିବ। ବନ୍ୟାଜଳ ନିୟନ୍ତ୍ରଣ ପାଇଁ ନଦୀବନ୍ଧ ସୁଦୃଢ଼ ହେବା ଆବଶ୍ୟକ। ମାତ୍ର ବ୍ରାହ୍ମଣୀ ନଦୀବନ୍ଧ ବନ୍ୟାଜଳକୁ କେତେଦୂର ରୋକି ପାରିବ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜାରକା-କବାଟବନ୍ଧ ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକଡ଼ରେ ଅନେକ ଗୁଡ଼ିଏ ବେଆଇନ ଇଟାଭାଟି ଗଢ଼ିଉଠିଛି। ଇଟା ପାଇଁ କଞ୍ଚାମାଲ ଭାବେ ମାଟି ବ୍ୟବହାର ହେଉଥିବାରୁ ଇଟାଭାଟି ଚଳାଇଥିବା ଲୋକମାନେ ନଦୀବନ୍ଧର ଅତିନିକଟରୁ ବିରାଟବିରାଟ ଖାଲ କରି ମାଟି ଉଠାଇ ନେଇଛନ୍ତି। ଫଳରେ ବନ୍ଧ କଡ଼ରେ ଗୋଟିଏଗୋଟିଏ ପୋଖରୀ ସଦୃଶ ଗର୍ତ୍ତ ହୋଇଛି।
ଜେନାପୁର ପଞ୍ଚାୟତ ବରମପୁର ଗ୍ରାମକୁ ସରକାର ବନ୍ୟାପ୍ଳାବିତ ଗ୍ରାମଭାବେ ଘୋଷଣା କରିଛନ୍ତି। ପ୍ରତ୍ୟେକ ବର୍ଷ ବନ୍ୟାଜଳ ଏହି ଗ୍ରାମରେ ପଶିଥାଏ। ହେଲେ ଏହି ଗ୍ରାମ ନିକଟରେ ନଦୀବନ୍ଧର ଅତିନିକଟରୁ ଇଟା ନିର୍ମାଣ ପାଇଁ ମାଟି ଉଠାଯାଇ ବିରାଟବିରାଟ ଖାଲ କରାଯାଇଛି। ସମସ୍ତେ ଜାଣୁଥିଲେ ମଧ୍ୟ କେହି ପାଟି ଖୋଲୁନାହାନ୍ତି। ଏହି ଖାଲ ବନ୍ୟା ସମୟରେ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। କିଛି ମୁଷ୍ଟିମେୟ ଲୋକ ନିଜ ସ୍ବାର୍ଥସାଧନ ପାଇଁ ନଦୀବନ୍ଧ କଡ଼ରୁ ମାଟି ଉଠାଇ ହଜାରହଜାର ଲୋକଙ୍କୁ ବିପଦ ମୁହଁକୁ ଠେଲି ଦେଉଥିବା ଅଭିଯୋଗ ହୋଇଛି। ରାଜସ୍ବ ବିଭାଗ ତଥା ଜଳସେଚନ ବିଭାଗ ଦ୍ବାରା ଏହାର ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us