ଯୌତୁକ ପାଇଁ ନବବଧୂ ହତ୍ୟା : ସ୍ୱାମୀ, ଶ୍ୱଶୁର, ଦେଢଶୁର ଅଟକ

Advertisment
ଯୌତୁକ ପାଇଁ ନବବଧୂ ହତ୍ୟା : ସ୍ୱାମୀ, ଶ୍ୱଶୁର, ଦେଢଶୁର ଅଟକ

Odisha Police

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ପୁଣି ଘଟିଛି ବଧୂହତ୍ୟା। ୨୪ଘଣ୍ଟା ମଧ୍ୟରେ ଆଜି ଦ୍ବିତୀୟ ଘଟଣା ସାମ୍ନାକୁ ଆସିଛି। ଯୌତୁକ ଜୁଇରେ ଜଳି ଯାଇଛନ୍ତି ପୁଣିଜଣେ ନବବଧୂ। ଅଧିକ ଯୌତୁକ ଦାବି କରି ଶ୍ୱଶୁରଘର ଲୋକେ ଝିଅକୁ ହତ୍ୟା କରିଥିବା ନେଇ ବାପା ଅଭିଯୋଗ କରିଛନ୍ତି। ମୃତକଙ୍କ ନାମ କୁନି ବିଶ୍ବାଳ(୨୩) ବୋଲି ପୁଲିସ କହିଛି। କୁନିଙ୍କ ବାପା ନକୁଳ ଜେନାଙ୍କ ଅଭିଯୋଗ କ୍ରମେ ସଦର ଥାନା ପୁଲିସ କେସ୍ ନମ୍ବର ୩୪୯/୨୦ରେ ଯୌତୁକଜନିତ ହତ୍ୟା ମାମଲା ରୁଜୁ କରି ସ୍ବାମୀ, ଶ୍ୱଶୁର, ଦେଢଶୁରକୁ ଅଟକ ରଖିଛି। କୁନି ୩ ମାସର ଗର୍ଭବତୀ ଥିବା ନକୁଳ ତାଙ୍କର ଏତଲାରେ ଦର୍ଶାଇଛନ୍ତି।

publive-image

ସଦର ଥାନା ବାସୁଦେବନଗରରେ ରହୁଥିବା ମାଲେଶୁ ବିଶ୍ୱାଳଙ୍କ ପୁଅ ଲକ୍ଷ୍ମୀନାରାୟଣ ବିଶ୍ୱାଳ ଗତ ପ୍ରାୟ ବର୍ଷେ ତଳେ ଅଯୋଧ୍ୟା ନଗରରେ ରହୁଥିବା ନକୁଳଙ୍କ ଏକମାତ୍ର ଝିଅ କୁନିଙ୍କୁ ବାହା ହୋଇଥିଲେ। ଜ୍ୱାଇଁ ରେଳବାଇରେ ଚାକିରି କରୁଥିବା ଯୋଗୁଁ ଶ୍ୱଶୁର ଘର ଲୋକଙ୍କ ଦାବି ମୁତାବକ ନଗଦ ୫ ଲକ୍ଷ ୫୦ ହଜାର ଟଙ୍କା, ସୁନାଗହଣା, ଝିଅ ନାମରେ ଏକ ପ୍ଲଟ ଓ ଘରକରଣା ସାମଗ୍ରୀ ଦିଆଯାଇଥିଲା। ଏହାସତ୍ତ୍ୱେ ମଧ୍ୟ ଅଧିକ ଯୌତୁକ ଦାବି କରି ପୁଣି ଏକ ପ୍ଲଟ ଦେବାକୁ ଝିଅ ଉପରେ ଚାପ ପ୍ରୟୋଗ କରୁଥିଲେ। ଏପରିକି ଝିଅର ଗର୍ଭ ନଷ୍ଟ କରିବା ପାଇଁ ଜୋର ଜବରଦସ୍ତ କିଛି ଔଷଧ ମଧ୍ୟ ଦେଇଥିବା ବାପା ନକୁଳ ଅଭିଯୋଗ କରିଛନ୍ତି। ଗତକାଲି ସଂଧ୍ୟାରେ ଝିଅ ଗୁରୁତର ଥିବା ନେଇ ଜ୍ବାଇଁ ଫୋନ୍‌ କରିଥିଲେ। ଏହି ଖବର ପାଇ ବାପା ନକୁଳ ତୁରନ୍ତ ବାସୁଦେବନଗର ସ୍ଥିତ ଝିଅ ଘରେ ପହଞ୍ଚିଥିଲେ। ହେଲେ ଝିଅକୁ ଶ୍ୱଶୁର ଘର ଲୋକେ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ କୁନିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। କୁନିଙ୍କ ବେକରେ କଳା ଚିହ୍ନ ରହିଥିବାରୁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ନେଇ ବାପା ନକୁଳ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ଆଜି ସ୍ବାମୀ ସମେତ ଅନ୍ୟମାନଙ୍କୁ ଅଟକ ରଖିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବର ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe