କେସିଙ୍ଗା/ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା-ଥୁଆମୂଲ ରାମପୁର ୪୪ନଂ ରାଜ୍ୟ ରାଜପଥ ଅଟଙ୍ଗଗୁଡ଼ା ଭାଗୀରଥି ପାର୍କ ନିକଟରେ ଥିବା ପୋଲ ଭୁଶୁଡ଼ି ପଡ଼ିଛି। ସେହିସମୟରେ ରାସ୍ତାରେ ଯାଉଥିବା ଦୁଇଟି କାର୍ (ଓଡି ୩୩-୬୮୦୭) ଓ (ଓଡି ୩୩ଟି -୧୦୮୮) ପୋଲ ତଳକୁ ଖସି ପଡ଼ିଥିବା ବେଳେ ଉଭୟ କାର୍ରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ , ଗୋଟିଏ କାର୍ରେ ନବରଙ୍ଗପୁର ଜିଲ୍ଲାର ସାମ୍ବାଦିକ ଅଜିତ ନାୟକ, ତାଙ୍କ ସ୍ତ୍ରୀ ସଂଯୁକ୍ତା, ଝିଅ ପ୍ରତ୍ୟାଶା, ପୁଅ ପ୍ରତ୍ୟୁଷ ଓ ଭାଇ ସଞ୍ଜୀବ ଥିଲେ। ତେବେ ଦୁର୍ଘଟଣାରେ ଝିଅ ପ୍ରତ୍ୟାଶାଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ସେହିପରି ପ୍ରତ୍ୟୁଷଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ପୁଅ ପ୍ରତ୍ୟୁଷ ଭବାନୀପାଟଣା ବିକାଶ କଲେଜରେ ପାଠ ପଢୁଥିବା ବେଳେ ଆଜି ଛୁଟି ଦିନ ଥିବା ଅଜିତଙ୍କ ପରିବାର ତାଙ୍କୁ ଦେଖା କରିବାକୁ ଆସିଥିଲେ। ପରେ ପରିବାର ଲୋକେ ଭବାନୀପାଟଣାସ୍ଥିତ ଏକ ହୋଟେଲରେ ଖାଇ ଫୁର୍ଲିଝରଣ ବୁଲିବାକୁ ଯାଉଥିଲେ। ଏହି ସମୟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ସେହିପରି ଅନ୍ୟ କାର୍ରେ ଭବାନୀପାଟଣା ସହରର ଗଣେଶ ପ୍ରସାଦ ପାଢ଼ୀ, ସସ୍ମିତା ପାଢ଼ୀ ଓ ଅସିତ ପାଢ଼ୀ ରହିଥିଲେ। ସେମାନେ ମଧ୍ୟ ଫୁର୍ଲିଝରଣ ଜଳପ୍ରପାତକୁ ବୁଲିବାକୁ ଯାଉଥିଲେ। ଏହି ଦୁର୍ଘଟଣାରେ ପରିବାରର ସମସ୍ତେ ଆହତ ହୋଇଛନ୍ତି। ପୂର୍ତ୍ତ ବିଭାଗ ଏବେ ନିଜ ଦୋଷ ଖସାଇବାରେ ଲାଗିଛି। ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଅଜିତ ବାବୁ ଦୁର୍ଘଟଣା ପରେ ପୋଲ ନିରୀକ୍ଷଣ କରିଛନ୍ତି।
ବହୁଦିନରୁ ପୋଲ ସ୍ଥିତି ନେଇ ସର୍ଭେ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। କିନ୍ତୁ ଅନୁଦାନ ନଆସିଥିବାରୁ ଏହି ପୋଲ କାମ ହୋଇପାରି ନଥିବା ସଫେଇ ଦେଇଛନ୍ତି। ତେବେ ପୂର୍ତ୍ତ ବିଭାଗ ରିପୋର୍ଟ ଦେଇଥିବା ବେଳେ ସରକାର କାହିଁକି ଏହାକୁ ଗୁରୁତ୍ବର ସହ ନେଲେ ନାହିଁ ବୋଲି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ, ପୋଲ ଭୁଶୁଡ଼ିବା ଫଳରେ ଭବାନୀପାଟଣା-ଥୁଆମୂଳ ରାମପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବ୍ରିଟିଶ୍ ଅମଳର ଏହି ପୋଲ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ବରୁ ପୋଲର ସ୍ଥାୟିତ୍ବ ନେଇ ଅଞ୍ଚଳବାସୀ ବହୁବାର ପ୍ରଶାସନ ଓ ପୂର୍ତ୍ତ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ହେଲେ, ବିଭାଗୀୟ ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବାରୁ ରବିବାର ଏଭଳି ଘଟଣା ଘଟିଥିବା ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି।
Follow Us