ବିଆର୍‌ଏମ୍‌‌ସିଏସ୍‌ ଦୁର୍ନୀତି: ସମବାୟ ସ୍ବତନ୍ତ୍ର ସଚିବଙ୍କ ତଦନ୍ତ

ବେଆଇନ ନିର୍ମାଣ ଉଚ୍ଛେଦ ପରାମର୍ଶ, ଦୁର୍ନୀତିର ହେବ ସ୍ବତନ୍ତ୍ର ଅଡ଼ିଟ!

ବିଆର୍‌ଏମ୍‌‌ସିଏସ୍‌ ଦୁର୍ନୀତି: ସମବାୟ ସ୍ବତନ୍ତ୍ର ସଚିବଙ୍କ ତଦନ୍ତ

ବ୍ରହ୍ମପୁର : ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର‌୍‌ଏମ୍‌ସିଏସ୍‌)ରେ ହୋଇଥିବା ବହୁ କୋଟି ଟଙ୍କାର ଦୁର୍ନୀତିର ପୁଣି ତଦନ୍ତ ଆରମ୍ଭ ହୋଇଛି। ସମବାୟ ବିଭାଗ ସ୍ବତନ୍ତ୍ର ସଚିବ ଭରତ ଚନ୍ଦ୍ର ବେହେରା ଏବଂ ଯୁଗ୍ମ ସଚିବ ସୁଦର୍ଶନ ସେଠୀ ଆଜି ବ୍ରହ୍ମପୁର ଆସି ସମସ୍ତ ଦିଗରୁ ଖୋଳତାଡ଼ କରିଛନ୍ତି। ବ୍ରହ୍ମପୁର ଗୁ୍ଡ୍‌ସ୍‌ ସେଡ୍‌‌ ରୋଡ଼ ସ୍ଥିତ ବିଆର୍‌ଏମ୍‌ସିଏସ୍‌ କାର୍ଯ୍ୟାଳୟ, ଗୁଡ୍‌ସ୍‌ ସେଡ୍‌‌ ରୋଡ୍‌ରେ ରହିଥିବା ବିଆର୍‌ଏମ୍‌ସିଏସ୍‌ର ବିଭିନ୍ନ ଗୋଦାମ ଏବଂ ଦିଗପହଣ୍ଡି ପୁଞ୍ଜିକୟାଁ ଛକ ଓ ବିଭିନ୍ନ ସ୍ଥାନରେ ରହିଥିବା ଗୋଦାମ ଗୃହ ଓ ଜମି ଗୁଡ଼ିକ ବୁଲି ଦେଖିଛନ୍ତି। ବିଆର୍‌ଏମ୍‌ସିଏସ୍‌ ଅଧୀନ ଜମିରେ ହୋଇଥିବା ବେଆଇନ ନିର୍ମାଣ ଗୁଡ଼ିକ ତୁରନ୍ତ ଉଚ୍ଛେଦ କରିବା ଲାଗି ପଦକ୍ଷେପ ନେବାକୁ କହିଛନ୍ତି। ଏଥିସହ ବିଆରଏମ୍‌ସିଏସ୍‌ ଆର୍ଥିକ କାରବାରର ସ୍ବତନ୍ତ୍ର ଅଡ଼ିଟ୍‌ କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିସ କରିବେ ବୋଲି ଜଣାପଡ଼ିଛି। ବିଆରଏମ୍‌ସିଏସ୍‌ ଦୁର୍ନୀତି ସଂକ୍ରାନ୍ତରେ ଗୋଷାଣୀ ନୂଆଗାଁ ଥାନାରେ ଏତଲା ହୋଇଥିଲେ ମଧ୍ୟ ଆଜି ଯାଏ ପୁଲିସ ମାମଲା ରୁଜୁ କରୁନାହିଁ।‌ ଏତଲାରେ କିଛି ସମସ୍ୟା ରହିଥିବାରୁ ପୁଲିସ ମାମଲା ରୁଜୁ କରି ନ ଥିବା ସେମାନେ ଅନୁଧ୍ୟାନ କରିବା ପରେ ଜଣାପଡ଼ିଛି। ତେଣୁ ପୁନଃଏତଲା ଦେବାକୁ ସ୍ବତନ୍ତ୍ର ସଚିବ ଏଆର୍‌ସିଏସ୍‌ଙ୍କ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ଆଞ୍ଚଳିକ ବାଣିଜ୍ୟ ସମବାୟ ସମିତି ଲିଃ (ବିଆର‌୍‌ଏମ୍‌ସିଏସ୍‌) ଜିଲ୍ଲାର ଏକ କେନ୍ଦ୍ରୀୟ ସମବାୟ ସମିତି। ଏହି ସମବାୟ ସ˚ସ୍ଥା ଜିଲ୍ଲାର ୯ଟି ବ୍ଲକ୍‌ର ପ୍ୟାକ୍ସଙ୍କୁ ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଆଦି ଯୋଗାଉଥିଲା। କିନ୍ତୁ ୨୦୧୩-୧୪ ପର ଠାରୁ ଏହି ସ˚ସ୍ଥା ସ୍ଥାଣୁ ଅବସ୍ଥାରେ। ଆର୍ଥିକ ଅନିୟମିତତା, ବେଆଇନ ଜମି ଲିଜ୍‌ ଓ ନିଯୁକ୍ତି ଅନିୟମିତତାରେ ଛନ୍ଦି ହୋଇ ରହିଛି ଏହି ସ˚ସ୍ଥା। ସ˚ସ୍ଥାର କୋଟି କୋଟି ଟଙ୍କାର ଜମିକୁ ବେଆଇନ ଭାବେ ଏବ˚ ଶାଗମାଛ ଦରରେ ଲିଜ୍‌ ଦିଆଯାଇଛି। ବେନିୟମ ଭାବେ ଚାକିରି କରିଥିବା ୬ କର୍ମଚାରୀ ବହିଷ୍କାର ସହ ଅମାନତ ଅର୍ଥ ହଡ଼ପ କରିଥିବା ବ୍ୟକ୍ତି ବିଶେଷଙ୍କ ନାମରେ ଏତଲା ଦାୟର ହୋଇ ମାସକରୁ ଅଧିକ ସମୟ ବିତିଛି। ଡିଆର୍‌ସିଏସ୍‌ଙ୍କ ନିର୍ଦ୍ଦେଶ ସତ୍ତ୍ବେ ଏଯାବତ୍‌ ୬ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇ ନାହିଁ। ଆର୍ଥିକ ଅନିୟମିତତାକୁ ନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆ ଯାଇଥିଲେ ହେଁ ପୁଲିସ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ। ଅନ୍ୟପକ୍ଷରେ ପ୍ରାୟ ୫୦ ଜଣଙ୍କୁ ବେଆଇନ ଭାବେ ଦିଆ ଯାଇଥିବା ଜମି ଲିଜ୍‌ର ତଦନ୍ତ ସରିଛି। କିନ୍ତୁ ବେଆଇନ ଜମି ଲିଜ୍‌କୁ ବାତିଲ ମଧ୍ୟ କରାଯାଇ ନାହିଁ। ଲିଜ୍‌ ନେଇଥିବା ଜମି ଉପରେ ହୋଇଥିବା ଅନଧିକାର ନିର୍ମାଣ ଉଚ୍ଛେଦ ଲାଗି ମଧ୍ୟ ପଦକ୍ଷେପ ନିଆ ଯାଇନାହିଁ। ତେବେ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଏହି କାର୍ଯ୍ୟାନୁଷ୍ଠାନ ଅଟକିଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସବିଶେଷ ରିପୋର୍ଟ ପ୍ରକାଶ ପାଇବା ପରେ ଶିଥିଳ ହୋଇଯାଇଥିବା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe