ଭାଙ୍ଗିଲେ ସିଆରଜେଡ୍‌ ଆଇନ : ବେଳାଭୂମିରେ ଭୋଜି, ବାଜିଲା ଡିଜେ

ଭାଙ୍ଗିଲେ ସିଆରଜେଡ୍‌ ଆଇନ : ବେଳାଭୂମିରେ ଭୋଜି, ବାଜିଲା ଡିଜେ

ପୁରୀ : ବେଳାଭୂମିରେ ଭୋଜି। ରନ୍ଧା ଚାଲିଛି। ତା ସାଙ୍ଗକୁ ପାଞ୍ଚତାରକା ହୋଟେଲ ଷ୍ଟାଣ୍ଡାର୍ଡର ଖାଦ୍ୟପେୟ। ଲାଗିଛି ବଡ଼ ତମ୍ବୁ। ବାଜୁଛି ଡିଜେ। ପ୍ରଚଣ୍ଡ ଶବ୍ଦରେ ଫାଟି ପଡ଼ୁଛି ସମଗ୍ର ବେଳାଭୂମି। ଯିଏ ନାଚ ଶିଖିଛି ନାଚୁଛି ଯିଏ ଶିଖିନି ସିଏ ବି ମସ୍‌ଗୁଲ। ଏଭଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି ହୋଟେଲ ହଲିଡ଼େ ରିସର୍ଟସ୍‍ ପଛପଟେ। ହୋଟେଲର ମାଲିକ ଏହାକୁ ଆୟୋଜନ କରିଥିଲେ। ହୋଟେଲ ମାଲିକଙ୍କ ଜ୍ୱାଇଁଙ୍କର ଜନ୍ମଦିନ ପାର୍ଟି ଚାଲିଥିଲା। ମାଲିକଙ୍କ ବନ୍ଧୁ ଭାବରେ ଏଥିରେ ଯୋଗ ଦେଇଥିଲେ ରାଜ୍ୟ ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର। ପାର୍ଟି ଚାଲିଥିଲା ସମୁଦ୍ର ଲହଡ଼ି ଠାରୁ ମାତ୍ର ୧୦ ମିଟର ଦୂରରେ। ସମ୍ପୂର୍ଣ୍ଣ ବେଳାଭୂମି ବାଲି ଉପରେ ଚାଲିଥିଲା ଏହି ପାର୍ଟି।

publive-image

ସିଆରଜେଡ୍‌ ଅଞ୍ଚଳରେ ଏଭଳି ପାର୍ଟିର ଆୟୋଜନ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ଥିବା ବେଳେ ଏହି ଜନ୍ମଦିନ ପାର୍ଟି ପାଇଁ କୌଣସି ଅନୁମତି ନଥିଲା। ଖୋଦ୍‍ ମନ୍ତ୍ରୀ ସାମିଲ ହୋଇଥିବାରୁ ନା ପୁଲିସ୍‍ ନା ତଥାକଥିତ ପରିବେଶବିତ କେହି ପାଟି ଖୋଲିନଥିଲେ। ମନ୍ତ୍ରୀ ଥିବାରୁ ସମସ୍ତେ ସବୁ ଜାଣି ବି ନିରବ ରହିଥିଲେ। ନିକଟ ଅତୀତରେ ଉପଜିଲ୍ଲାପାଳ ମଧୁସୂଦନ ଦାଶ ଡିଜେକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷଣା କରିଛନ୍ତି। ହେଲେ ଏହି କଟକଣା ମନ୍ତ୍ରୀଙ୍କ ପାଖରେ କାମ ଦେଇନାହିଁ। ମନ୍ତ୍ରୀ ସାମିଲ ହୋଇଥିବାରୁ ଯଥେଷ୍ଟ ପୂର୍ବରୁ ତାଙ୍କ ଗସ୍ତ ସଂପର୍କରେ ପ୍ରଶାସନକୁ ଅବଗତ କରାଯାଇଛି। ଫଳରେ ପ୍ରଶାସନିକ ଅଧିକାରୀଙ୍କ ସହ ପୁଲିସ୍‍ ଅଧିକାରୀ ଘଟଣାସ୍ଥଳକୁ ଯାଇ ନାହାନ୍ତି। କଡ଼ା ସୁରକ୍ଷା ବଳୟରେ ମନ୍ତ୍ରୀ ବେଶ କିଛି ସମୟ ପାର୍ଟିକୁ ଉପଭୋଗ କରିଛନ୍ତି।

ଏ ନେଇ ମନ୍ତ୍ରୀ କହିଛନ୍ତି, ବନ୍ଧୁଙ୍କ ଭୋଜିକୁ ଆସିଥିଲି। ଏଠାରେ ସିଆରଜେଡ୍‌ ଆଇନ ଉଲ୍ଲଂଘନ ହେଉଛି କି ନାହିଁ ତାହା ହୋଟେଲ ମାଲିକ ବୁଝିବେ। ମୁଁ ଜାଣି ନାହିଁ ବୋଲି ସେ କହି ଅସଲ ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe