ରୋଗୀ ସେବାରେ ଦଲାଲି : ଏସ୍‌ସିବିରୁ ୬ ଗିରଫ

Advertisment
ଆଜି ଏସ୍‌ସିବି ଆସିବେ ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ: ଲିଭର ପ୍ରତିରୋପଣ ବ୍ୟବସ୍ଥାର ହେବ ସମୀକ୍ଷା

indianadmissionsguru.com

ଆମ୍ବୁଲାନ୍ସ ଡ୍ରାଇଭର୍, ଆଟେଣ୍ଡାଣ୍ଟ୍ ସାମିଲ୍‌
ଡାକ୍ତର, ନର୍ସିଂହୋମ୍ ମାଲିକଙ୍କ ସଂପର୍କରେ ପୁଲିସ ହାତରେ ତଥ୍ୟ!

କଟକ : କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ପ୍ରଭାବିତ କରି ଘରୋଇ ହସ୍ପିଟାଲକୁ ନେଇ ଯାଉଥିବା ରାକେଟ୍‌ର ପର୍ଦ୍ଦାଫାସ କରିଛି କମିସନରେଟ୍ ପୁଲିସ। ରୋଗୀ ସେବାରେ ଏଭଳି ଦଲାଲି କରୁଥିବା ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏମାନଙ୍କ ପଛରେ ଡାକ୍ତର ବି ରହିଥିବା ସୂଚନା ମିଳିଛି। ପୁଲିସ ଏବେ ଏହି ସୂଚନା ଉପରେ ଅଧିକ ଖୋଳତାଡ଼ କରୁଛି। ପୁଲିସ ହାତରେ ଧରାପଡିଥିବା ଦଲାଲଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଆମ୍ବୁଲାନ୍ସ ଡ୍ରାଇଭର ଓ ୩ ଜଣ ରୋଗୀ ଆଟେଣ୍ଡାଣ୍ଟ୍।

ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଥିବା ଅଭିଯୁକ୍ତମାନେ ହେଲେ ମର୍କତନଗର ସେକ୍ଟର-୭ରେ ରହୁଥିବା ବାଙ୍କୀ ଅଞ୍ଚଳର ଜିତେନ୍ଦ୍ର ନାଥ ରଣା (୪୨), ଜଗତପୁର ଥାନା ନିମପୁରର ପ୍ରଦୀପ ନାୟକ (୪୫), ଅବିନାଶ ବେହେରା (୩୧), ବଡମ୍ବାର ବଳିଆ ନାୟକ (୨୩), କିଶନନଗରର ଲିଟୁଆ ଦାସ (୨୮), ଯାଜପୁର କୋରେଇର ସେକ୍ ସୁଲତାନ (୨୮)। ଅଭିଯୁକ୍ତମାନେ କମ୍ ଖର୍ଚ୍ଚରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବାର ଲୋଭ ଦେଖାଇ ଏସସିବିରୁ ରୋଗୀମାନଙ୍କୁ ଘରୋଇ ହସ୍ପିଟାଲକୁ ପଠାଉଥିବାର ପ୍ରମାଣ ମିଳିଛି। ଅଭିଯୁକ୍ତଙ୍କ ଠାରୁ କେତେକ ଘରୋଇ ହସ୍ପିଟାଲର ଲିଫଲେଟ ଓ ଭିଜିଟିଙ୍ଗ କାର୍ଡ ଇତ୍ୟାଦି ଜବତ ହୋଇଛି।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ କିଛି ଦଲାଲ ଏସ୍‌ସିବି ଆଶୁ ଚିକିତ୍ସା କେନ୍ଦ୍ରରୁ ରୋଗୀ ଚାଲାଣ କରୁଥିଲା ବେଳେ ପୁଲିସ ଟିମ୍‌ ତାଙ୍କୁ କାବୁ କରିଥିଲା। ସେମାନଙ୍କୁ ନେଇ ଜେରା କରାଯିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଥିଲା। ନିର୍ଦ୍ଦିଷ୍ଟ କେତେକ ଘରୋଇ ହସ୍ପିଟାଲ ଓ ନର୍ସି˚ହୋମର ଏଜେଣ୍ଟ, ଆମ୍ବୁଲାନ୍ସ ଡ୍ରାଇଭର ଓ ଏସସିବିରେ ଆଟେଣ୍ତାଣ୍ଟ ଭାବେ କାର୍ଯ୍ୟ କରୁଥିବା କର୍ମଚାରୀ ମିଳିତ ଭାବେ ଏଭଳି ରୋଗୀ ଚାଲାଣ କରୁଛନ୍ତି। ସେମାନଙ୍କ ପଛରେ ଡାକ୍ତର ରହିଥିବା ବେଳେ ରୋଗୀ ପିଛା ଏହି ଦଲାଲଙ୍କୁ ବଟି ମିଳୁଛି। ଧରାପଡିଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସୁଲତାନ, ବଳିଆ ଓ ଲିିଟୁଆ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲାବେଳେ ଅବିନାଶ, ଜିତେନ୍ଦ୍ର ଓ ପ୍ରଦୀପ ଠିକାରେ ଆଟେଣ୍ତାଣ୍ଟ ଭାବେ କାର୍ଯ୍ୟ କରନ୍ତି। ସେମାନେ ନିୟମିତ ଭାବେ ମେଡିକାଲ ପରିସରରେ ବୁଲିବା ସହ ବାହାର ଅଞ୍ଚଳର ରୋଗୀଙ୍କୁ ଠାବ କରି ସେମାନଙ୍କୁ ଫୁସଲାଇ ନର୍ସିଂହୋମକୁ ଚାଲାଣ କରୁଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଆଇପିସିର ୪୧୯, ୪୨୦, ୩୪ ଦଫାରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏଭଳି ଘଟଣା ସଂପର୍କରେ ଡିସିପି ପ୍ରତୀକ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଆଗକୁ ଏପରି ଚଢଉ ଆହୁରି ଜୋରଦାର କରାଯିବ ବୋଲି ମଙ୍ଗଳବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe