ପର୍ଯ୍ୟଟନ ଋତୁରେ ମାତିଲେଣି ଦଲାଲ

ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ଅଭିଯାଗ, ପର୍ଯ୍ୟଟନ ପୁଲିସର ଭୂମିକା ନେଇ ପ୍ରଶ୍ନ

ପର୍ଯ୍ୟଟନ ଋତୁରେ ମାତିଲେଣି ଦଲାଲ

ବ୍ରହ୍ମଗିରି : କରୋନା କଟକଣା ଯୋଗୁ ପର୍ଯ୍ୟଟନସ୍ଥଳୀ ଦୀର୍ଘ ଦିନ ବନ୍ଦ ରହିଥିଲା। କଟକଣା ହଟିବା ପରେ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ ଚିଲିକାକୁ ପର୍ଯ୍ୟଟକଙ୍କ ଭିଡ ଲାଗିଛି। ପ୍ରତି ଦିନ ଶହ ଶହ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସୁଛନ୍ତି। ଦେଶ ତଥା ଦେଶ ବାହାରୁ ପର୍ଯ୍ୟଟକଙ୍କ ଭିଡ ଚିଲିକାକୁ ଲାଗିଲାଣି। ସାତପଡା ସହିତ ଚିଲିକା କୂଳରେ ଥିବା ବିଭିନ୍ନ ଜେଟିକୁ ପର୍ଯ୍ୟଟକଙ୍କ ଭିଡ ବଢିବାରେ ଲାଗିଛି। ଏହାରି ଭିତରେ ଦଲାଲ ସକ୍ରୀୟ ହୋଇଛନ୍ତି।

publive-image

ଚିଲିକା କୂଳରେ ରହିଛି ସାତପଡ଼ା, ଆଳୁପାଟଣା, ବାଘମୁଣ୍ତାନୂଆଗାଁ, ସିପକୁଦା, ବନମାଳୀପୁର, ଗଙ୍ଗାଧରପୁର, ମିର୍ଜାପୁର, ରାୟପୁର ଓ ଗବକୁଣ୍ତ ରହିଛି ଜେଟି। ଏହି ଜେଟିରୁ ପର୍ଯ୍ୟଟକ ଡଙ୍ଗା ଯୋଗେ ଚିଲିକା ବୁଲିବାକୁ ଯାଇଥାନ୍ତି। କିନ୍ତୁ ଏହି ସବୁ ଜେଟିକୁ ଯିବା ପାଇଁ ଦଲାଲ ଏବେ ସକ୍ରୀୟ ହୋଇଛନ୍ତି। ବ୍ରହ୍ମଗିରି ଥାନା ଠାରୁ କିଛି ଦୁରରେ ଦଲାଲ ବାଇକ ଧରି ପର୍ଯ୍ୟଟକଙ୍କ ଗାଡିକୁ ଛକି ବସୁଛନ୍ତି। ହରିଆଣା, ଛତିଶଗଡ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଦିଲ୍ଲୀ ପ୍ରଭୃତି ନମ୍ବର ଥିବା ଗାଡିକୁ ପିଛା କରୁଛନ୍ତି। ରାଜପଥ ଉପରେ ପର୍ଯ୍ୟଟକଙ୍କ ଗାଡିକୁ ନେବାକୁ ଦଲାଲଙ୍କ ପ୍ରତିଯୋଗିତା ଚାଲିଛି। ଏହିଭଳି ପ୍ରତିଯୋଗିତା ରାଜପଥରେ ପ୍ରତି ଦିନ ଚାଲିଛି। ୧୫ କିଲୋମିଟର ପର୍ଯ୍ୟନ୍ତ ଗାଡିକୁ ଗୋଡାଉଛନ୍ତି ଦଲାଲ। ଅନେକ ସମୟରେ ଦଲାଲଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ କଥା ବି ଯାଉଛି। ଜୋରଜବରଦସ୍ତ ମଧ୍ୟ ପର୍ଯ୍ୟଟକଙ୍କ ଗାଡିକୁ ବିଭିନ୍ନ ଜେଟିକୁ ନିଆଯାଉଛି। ଫଳରେ ଅନେକ ସମୟରେ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି। ଏମିତିକି ଅନେକ ଥର ଥାନା ଓ ଫାଣ୍ତି ପର୍ଯ୍ୟନ୍ତ କଥା ଯାଇଛି।

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପର୍ଯ୍ୟଟନ ପୁଲିସ ରହିଛି। ଏହି ପୁଲିସ ପାଖରେ ସ୍ବତନ୍ତ୍ର ଗାଡି ରହିଛି। ଅଫିସର ଓ ପୁଲିସ କର୍ମଚାରି ନିଯୁକ୍ତ ରହିଛନ୍ତି। ସୁରକ୍ଷିତ ଭାବରେ ପର୍ଯ୍ୟଟନସ୍ଥଳୀ ବୁଲିବା ସହିତ ସେମାନେ କିଭଳି ଶୋଷଣର ଶିକାର ହେବେ ନାହିଁ ସେଥିପ୍ରତି ଏହି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। କିନ୍ତୁ ରାଜପଥ ଉପରେ ଦଲାଲ ସକ୍ରୀୟ ହୋଇ ପର୍ଯ୍ୟଟକଙ୍କୁ ଶୋଷଣ କରୁଥିବା ଅଭିଯାଗ ଉଠୁଥିବା ବେଳେ ପର୍ଯ୍ୟଟନ ପୁଲିସର ଭୂମିକା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe