Representative image
ଫୁଲବାଣୀ: ଦଶହରା ପାଇ ଭଉଣୀ ଘରକୁ ବୁଲିବାକୁ ଆସିଥିଲେ ଭାଇ। ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡ଼ିଯାଇ ଭାଇର ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ମୃତକ ହେଲେ ଗୁମାନ ସିଂହ।
ସୂଚନା ଅନୁସାରେ ଦୁର୍ଗାପୂଜା ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଗୁମାନ ସିଂ ସାହାଣୀ ନିଜ ଭଉଣୀ ଘର ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁକୁ ଆସିଥିଲେ। ସେ ଆଜି ସକାଳେ ସାଙ୍ଗମାନଙ୍କ ସହିତ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ମାତ୍ର ଗାଧଉଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ। ତାଙ୍କ ସାଙ୍ଗରେ ଯାଇଥିବା ଅନ୍ୟ ସାଙ୍ଗମାନେ ଗୁମାନଙ୍କୁ ପାଣିରେ ବହୁ ଖୋଜିଥିଲେ। କିନ୍ତୁ ଗୁମାନ ସିଂହଙ୍କ କୌଣସି ପତ୍ତା ମିଳି ନ ଥିଲା। ପୋଖରେୀରେ ଥିବା ଅନ୍ୟ ଲୋକମାନେ ଏବାବଦରେ ଗୁମାନଙ୍କ ଭଉଣୀ ଓ ଭିଣୋଇଙ୍କୁ ଖବର ଦେଇଥିଲେ।
ଗୁମାନଙ୍କ ପରିବାର ଲୋକଙ୍କ ଠାରୁ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚିଥିଲେ। ଅଳ୍ପ ସମୟ ପରେ ଗୁମାନଙ୍କ ମୃତଦେହ ପୋଖରୀରୁ ଉଦ୍ଧାର ହୋଇଥିଲା। ସେ ପୋଖରୀ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଫିରିଙ୍ଗିଆ ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ମୃତଦେହ ଜବତ କରିଛି। ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇ ଘଟଣାର ଅଧିକ ତଦନ୍ତ କରୁଛି।
  
 Follow Us