ଶ୍ମଶାନରେ ଶବ ଛାଡ଼ି ଚାଲିଗଲା ଭାଇ: ପୁଲିସ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ

Advertisment
ଶ୍ମଶାନରେ ଶବ ଛାଡ଼ି ଚାଲିଗଲା ଭାଇ: ପୁଲିସ ଉପସ୍ଥିତିରେ ଶେଷକୃତ୍ୟ ସଂପନ୍ନ

ନବରଙ୍ଗପୁର: ଅକାଳରେ ସାନଭାଇର ମୃତ୍ୟୁ ହେଲା। ଏହାପରେ ଯଥାରୀତି ଶେଷକୃତ୍ୟ କରିବା ପରିବର୍ତ୍ତେ ବଡ଼ଭାଇ ଶ୍ମଶାନରେ ଶବକୁ ଛାଡ଼ି ଚାଲିଗଲା। ଶ୍ମଶାନରେ ଅଜଣା ଶବକୁ ନେଇ ଆଜି ସକାଳେ ନବରଙ୍ଗପୁର ସହରରେ ଚାଞ୍ଚଲ୍ୟ ଖେଳାଇବା ପରେ ଆରମ୍ଭ ହୋଇଥିଲା ତନାଘନା। ଶେଷରେ ମୃତକ ତେନ୍ତୁଳିଖୁଣ୍ଟି ବ୍ଲକ ତୁରୁଞ୍ଜି ଗାଁର ସୁଶାନ୍ତ ସୌରା(୩୩) ବୋଲି ଜଣାପଡ଼ିଥିଲା।

ସୂଚନା ଅନୁସାରେ ସୁଶାନ୍ତ ଏବଂ ତାଙ୍କ ବଡ଼ଭାଇ ଈଶ୍ବର କାମ ସନ୍ଧାନରେ ଗାଁ ଛାଡ଼ିବା ପରେ ନବରଙ୍ଗପୁର ସହରରେ ଆସି ରହୁଥିଲେ। କିଛିଦିନ ତଳେ ଦୁଇଭାଇ ମୀନାବଜାରରେ କାମ କରିବାକୁ ନୂଆପଡ଼ା ଜିଲ୍ଲାର ଖରିଆରକୁ ଯାଇଥିଲେ। ଗତକାଲି ସେଠାରେ ଏକ ପୋଖରୀରେ ଗାଧୋଇବା ସମୟରେ ସୁଶାନ୍ତ ବୁଡ଼ି ଯିବାରୁ ମୃତ୍ୟୁବରଣ କରିଥିଲେ। ଏ ନେଇ ଖରିଆର ଥାନାରେ ଅପମୃତ୍ୟୁ ମାମଲା (୨୮/୨୩) ରୁଜୁ ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶେଷକୃତ୍ୟ ନିମନ୍ତେ ଶବକୁ ଗୋଟିଏ ଆମ୍ବୁଲାନ୍ସରେ ନବରଙ୍ଗପୁର ପଠାଇ ଦିଆଯାଇଥିଲା। ଈଶ୍ବର ଗତକାଲି ଭୋର ପ୍ରାୟ ୩ଟାରୁ ୪ଟା ମଧ୍ୟରେ ନବରଙ୍ଗପୁର ପହଞ୍ଚିବା ପରେ ସୁଶାନ୍ତଙ୍କ ଶବକୁ ସ୍ଥାନୀୟ ଛତ୍ରଭଟ ଶ୍ମଶାନକୁ ଆଣିଥିଲେ। ଏହାପରେ ଶେଷକୃତ୍ୟ କରିବା ବଦଳରେ ଶ୍ମଶାନରେ ଶବକୁ ଛାଡ଼ି କେଉଁ ଆଡ଼େ ଚାଲି ଯାଇଥିଲେ।

ଆଜି ସକାଳୁ ସ୍ଥାନୀୟ ଲୋକେ ଶ୍ମଶାନରେ ଧଳା କପଡ଼ା ଘୋଡ଼ାହୋଇଥିବା ଶବ ଦେଖିଥିଲେ। ପାଖରେ କେହି ନଥିବାରୁ ସନ୍ଦେହ ହୋଇଥିଲା। ମୃତଦେହର କୌଣସି ପରିଚୟ ନମିଳିବାରୁ ସ୍ଥାନୀୟ କାଉନସିଲର ଅମିତ ପ୍ରଧାନଙ୍କୁ ଖବର ଦେଇଥିଲେ। ଅମିତ ଶ୍ମଶାନରେ ପହଞ୍ଚି ଘଟଣା ସଂପର୍କରେ ଟାଉନ ପୁଲିସକୁ ଜଣାଇଥିଲେ। ଥାନା ଅଧିକାରୀ ସମ୍ବିତ କୁମାର ବେହେରା ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପୁଲିସର ତତ୍ପରତା ବଢ଼ିବା ପରେ ସକାଳ ୯ଟାରେ ସାନଭାଇର ଶବକୁ ଛାଡ଼ି ଚାଲି ଯାଇଥିବା ଈଶ୍ବର ଆପେଆପେ ଶ୍ମଶାନକୁ ଚାଲି ଆସିଥିଲେ। ଖରିଆରେ କିଭଳି ସାନଭାଇର ମୃତ୍ୟୁ ହେଲା ଜଣାଇଥିଲେ। ତେବେ କେଉଁ ପରିସ୍ଥିତିରେ ଶବକୁ ଛାଡ଼ି ଚାଲିଗଲେ ତାହାର ସ୍ପଷ୍ଟ ଉତ୍ତର ଦେଇନଥିଲେ। ପରବର୍ତ୍ତୀ ସମୟରେ ସୁଶାନ୍ତ ଏବଂ ଈଶ୍ବରଙ୍କ ସଂପର୍କୀୟଙ୍କୁ ଯୋଗାଯୋଗ କରାଯାଇଥିଲା। ସଂପର୍କୀୟ ପହଞ୍ଚିବାରୁ ପୁଲିସ ଓ ପୌରପାଳିକା ସହାୟତାରେ ସୁଶାନ୍ତଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe