ରାଜ୍ୟ ଅର୍ଥନୀତିର ବିକଳ ଚେହେରା : ପ୍ରଥମ ୩ ମାସରେ ଆଣିଲେଣି ୫ ହଜାର କୋଟି ଟଙ୍କାର ଋଣ

Advertisment
କେନ୍ଦ୍ରରୁ ଓଡ଼ିଶାକୁ ମିଳିଲା ଅତିରିକ୍ତ ୨୦୮୩ କୋଟି

The Financial Express

ଆଗକୁ ଆହୁରି ଆଣିବେ, ଟିକସ କମିଛି, କେନ୍ଦ୍ରୀୟ ଅନୁଦାନ ବି
ଆସନ୍ତା ଅଧିବେଶନରେ ଆସିପାରେ ପ୍ରଥମ ଅତିରିକ୍ତ ବଜେଟ୍

ଭୁବନେଶ୍ୱର : ରାଜ୍ୟ ସରକାର ୫ ହଜାର କୋଟି ଟଙ୍କା ଋଣ କରିସାରିଲେଣି। ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ତିନିମାସର ଏ ଚିତ୍ର ରାଜ୍ୟ ଅର୍ଥନୀତିର ବିକଳ ଚେହେରାକୁ କେବଳ ସାମ୍ନାକୁ ଆଣୁଛି ତା ନୁହେଁ, କରୋନା ମାଡ଼ରେ ଓଡ଼ିଶାର ଆର୍ଥିକ ମେରୁଦଣ୍ଡ କିଭଳି ଦୋହଲିଗଲାଣି ତାହା ପ୍ରତିପାଦିତ କରୁଛି।

ଅନ୍ୟପକ୍ଷରେ ଜିଏସଟି ବାବଦରେ କେନ୍ଦ୍ର ସରକାର ଗତବର୍ଷର ବକେୟା ୧୦୦୦ କୋଟି ଟଙ୍କା ଦେବା ଦୂରେ ଥାଉ, ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ ବାବଦରେ ଏଯାବତ୍ ଟଙ୍କାଟିଏ ଦେଇନାହାନ୍ତି। ଗୋଟିଏ ପଟେ ରାଜସ୍ବ ହ୍ରାସ ପାଇବାରେ ଲାଗିଛି ଓ ଅନ୍ୟପଟରେ କେନ୍ଦ୍ରୀୟ ଅନୁଦାନ ଓ ପ୍ରାପ୍ୟ କମିବା କାରଣରୁ ରାଜ୍ୟ ଅର୍ଥନୀତି ପ୍ରତି ଘୋର ବିପର୍ଯ୍ୟୟ ମାଡ଼ି ଆସୁଥିବା କୁହାଯାଉଛି।

ଯାହା ଆଶଙ୍କା ଉପୁଜିଥିଲା, ତାହା ଏବେ ବାସ୍ତବ ରୂପ ନେବାକୁ ଯାଉଛି। ୨୦୨୦-୨୧ ଆର୍ଥିକବର୍ଷ ଲାଗି ରାଜ୍ୟ ସରକାର ଯେଉଁ ୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବଢ଼ାଚଢ଼ା ବଜେଟ୍ ପ୍ରସ୍ତୁତ କରିଥିଲେ, ତାହା ପୁସ୍ତିକା ଭିତରେ ରହିଯାଇପାରେ। ଏଥିରୁ ଅଧିକାଂଶ ପ୍ରକଳ୍ପର କାର୍ଯ୍ୟାନ୍ବୟନ ହେବା ସମ୍ଭାବନା ବହୁତ କ୍ଷୀଣ। କିଛି ପ୍ରକଳ୍ପ କେବଳ ନାମକୁ ମାତ୍ର ଚାଲିବ।

ଏଣୁ ପରିସ୍ଥିତିକୁ ନଜରରେ ରଖି ସରକାର ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା ବିଧାନସଭା ଅଧିବେଶନରେ ପ୍ରଥମ ଅତିରିକ୍ତ ବଜେଟ୍ ପ୍ରସ୍ତାବ ଆଗତ କରିବା ସହିତ ମୂଳ ବଜେଟରେ ସଂଶୋଧନ ଆଣିବା ସମ୍ଭାବନା ଅଧିକ ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ହିସାବ କରୁଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକର ନିଷ୍ପତ୍ତି ବି ଏମିତି ସଙ୍କେତ ଦେଉଛି।

ରାଜ୍ୟ ସରକାରଙ୍କର ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ କରୋନାର ସିଧାସଳଖ ପ୍ରଭାବ ଏବେ ରାଜ୍ୟ ଅର୍ଥନୀତି ଉପରେ ପଡ଼ିଛି। ଯଦିଓ ସରକାର ଉଚ୍ଚ ପଦାଧିକାରୀଙ୍କ ଦରମା କାଟ୍, ମହଙ୍ଗା ଭତ୍ତା ପ୍ରଦାନ ସହିତ ଆର୍ଥିକ କଟକଣା ଜାରି କରିଛନ୍ତି, ତଥାପି ଏତିକି ନିଷ୍ପତ୍ତିରେ ବି ଦୁଃସ୍ଥିତି ଭିତରୁ ବାହାରିବା ସମ୍ଭାବନା କମ୍। ଏଇଥିପାଇଁ ଯେ ରାଜ୍ୟର ରାଜସ୍ବ ସଂଗ୍ରହ ହାର ହାରାହାରି ୨୨.୯୪ ପ୍ରତିଶତ ହ୍ରାସ ପାଇଛି। ପୂର୍ବବର୍ଷ ତୁଳନାରେ ବଜେଟ୍ ଆକାର ୧୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଯଦି ଏହାର ଦୁଇଗୁଣାରୁ ଅଧିକ ପରିମାଣର ରାଜସ୍ବ ହାନି ଘଟେ, ତେବେ ଭୀଷଣ ପରିସ୍ଥିତି ସୃଷ୍ଟି ହେବା ସ୍ବାଭାବିକ।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ଯୋଜନାରେ େକନ୍ଦ୍ରୀୟ ଅର୍ଥ ପରିମାଣ କମିବା ସହିତ ଜିଏସଟି ପ୍ରାପ୍ୟ ମିଳିନାହିଁ। ଖଣି ନିଲାମରୁ ଯାହା ମିଳିବ ବୋଲି କୁହାଯାଉଛି, ତାହା ବର୍ତ୍ତମାନର ସଙ୍କଟ ସମାଧାନରେ ବଡ଼ ଭୂମିକା ନିଭାଇବା ସମ୍ଭାବନା କମ୍। ଖଣି କ୍ଷେତ୍ର ଯେଉଁଠାରୁ ଅଧିକ ଅର୍ଥ ମିଳେ, ତାହା ସ୍ବାଭାବିକ ହୋଇପାରୁନାହିଁ। ପେଟ୍ରୋଲ, ଡିଜି ବିକ୍ରି କମିଛି, ଯାନବାହାନ କିଣାବିକା ବି।

ଏଣୁ ସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ସରକାର ଖୋଲାବଜାରରୁ ଏବେ ସୁଦ୍ଧା ୩ ହଜାର କୋଟି ଟଙ୍କା ଋଣ ଆଣିସାରିଛନ୍ତି। ସ୍ଥିର ହୋଇଛି, ଓମବାଡ୍‌ସିରୁ ଏବର୍ଷ ୧୨ ହଜାର କୋଟି ଟଙ୍କା ଋଣ ଅଣାଯିବ। ଏଥିରୁ ଏବେ ସୁଦ୍ଧା ୨ହଜାର କୋଟି ଟଙ୍କା ଉଠା ଯାଇଛି। ଏହାଦ୍ବାରା ଖୋଲାବଜାର ତୁଳନାରେ ୧ରୁ ୧.୫% କମ ସୁଧରେ ସରକାର ଟଙ୍କା ପାଇପାରିବେ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସମ୍ଭବତଃ ପ୍ରଥମ ତିନିମାସରେ ପୂର୍ବରୁ କେବେ ଏତେ ପରିମାଣରେ ସରକାର ଋଣ କରିନଥିଲେ। ଏବେ ଋଣରେ ସରକାର ଚାଲିଛନ୍ତି। ଆଉ ବାଟ ବି କିଛି ନାହିଁ। ଖୁବ୍ ଶୀଘ୍ର ସ୍ଥିତିରେ ବଡ଼ ଧରଣର ପରିବର୍ତ୍ତନ ଭଳି ଦିଶୁନାହିଁ।

ସେପଟେ ଜଣାପଡିଛି ଯେ କେବଳ ଓଡ଼ିଶାରେ ଏଭଳି ସ୍ଥିତି ହୋଇଛି, ତା ନୁହେଁ, ଦେଶର ଅନ୍ୟ ସବୁ ରାଜ୍ୟରେ ମଧ୍ୟ ଏହାଠାରୁ ଆହୁରି ଗମ୍ଭୀର ଚିତ୍ର ସାମ୍ନାକୁ ଆସୁଛି। ଏପ୍ରିଲ-ଜୁନ ମଧ୍ୟରେ ବିଭିନ୍ନ ରାଜ୍ୟ ସରକାର ପ୍ରାୟ ୧ଲକ୍ଷ ୬୭ ହଜାର କୋଟି ଟଙ୍କା ଖୋଲାବଜାରରୁ ଋଣ ଉଠାଇସାରିଲେଣି, ଯାହା ଗତବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ। ତାମିଲନାଡୁ ସରକାର ଏ କ୍ଷେତ୍ରରେ ଦୁଇପାଦ ଆଗରେ ଅଛନ୍ତି। ସେମାନେ ପାଖାପାଖି ୨୮ ହଜାର କୋଟି ଟଙ୍କାର ଋଣ କରିଛନ୍ତି, ଯାହାକୁ ଆସନ୍ତା ୧୦ବର୍ଷ ମଧ୍ୟରେ ପରିଶୋଧ କରିବେ। ମହାରାଷ୍ଟ୍ର, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ, ପଶ୍ଚିମବଙ୍ଗ ବି ସମାନ ରାସ୍ତାରେ ଚାଲିଛନ୍ତି। ଯେତିକି ଋଣ ଆସିଛି, ତାର ୮୬% କେବଳ ୧୨ଟି ରାଜ୍ୟ ନେଇଛନ୍ତି।
ପୁଣି ଯାହା ସୂଚନା ମିଳୁଛି, ଜୁଲାଇ ମାସରେ ରାଜ୍ୟମାନେ ୫୪ ହଜାର ୮୫୩କୋଟି, ଅଗଷ୍ଟମାସରେ ୫୬ ହଜାର ୩୬୦ କୋଟି ଓ ସେପ୍ଟେମ୍ବରରେ ୬୭ ହଜାର ୬୦ କୋଟି ଟଙ୍କା ଋଣ କରିବେ ବୋଲି ଜଣାଇସାରିଲେଣି। ଏହା ହିଁ ସୂଚାଇ ଦେଉଛି ଯେ ଆସନ୍ତା ୩ମାସ ମଧ୍ୟରେ କୌଣସି ରାଜ୍ୟ ତାଙ୍କ ଆର୍ଥିକ ଚିତ୍ରରେ ବେଶି କିଛି ଉନ୍ନତି ଦେଖିପାରୁନାହାନ୍ତି।

ଅର୍ଥନୀତିଜ୍ଞମାନଙ୍କର କହିବା କଥା ହେଉଛି, ରାଜ୍ୟ ସରକାର ଖୋଲାବଜାରରୁ ଋଣ ଆଣି ଦରମା ବା ପେନସନ୍ ବାବଦରେ ଖର୍ଚ୍ଚ କରିପାରିବେ ନାହିଁ କି ଋଣ ସୁଝିପାରିବେ ନାହିଁ। ଏଣୁ ରାଜସ୍ବ ଆଦାୟରେ ଯଦି ସୁଧାର ନ ଆସିବ, ତେବେ ଦରମା ଓ ପେନସନ୍ ଉପରେ ବି ବର୍ଷ ଶେଷ ଆଡ଼କୁ ମାଡ଼ ପଡ଼ିବା ବିଚିତ୍ର ନୁହେଁ। ଚଳିତବର୍ଷ ବଜେଟରେ ସରକାର ଏକାଧିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ, ଯାହା ରାଜ୍ୟରେ ଭିତ୍ତିଭୂମିର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା। ଏବେ ଏସବୁଥିରେ ସରକାରଙ୍କୁ ବୁଝାମଣା କରିବାକୁ ହେବ। ଏଣୁ ସେପ୍ଟେମ୍ବରରେ ଯଦି ସରକାର ମୂଳ ବଜେଟରେ ସଂଶୋଧନ ନ କରନ୍ତି, ତେବେ ସ୍ଥିତି ନଭେମ୍ବର ବେଳକୁ ଆର୍ଥିକ ରଣନୀତି ଅଧିକ ବିଗିଡ଼ିଯିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe