ଶିଶୁଙ୍କ ଶବରେ ବ୍ରାଉନ୍‌ସୁଗାର ଚାଲାଣ, ଅବକାରୀ ଗୁଇନ୍ଦା ବିଭାଗର ବାର୍ଷିକ ରିପୋର୍ଟ

Advertisment

ବର୍ଷକରେ ଦୁଇ କୋଟି ମାଲ୍‌ ଜବତ ୪ ଜିଲ୍ଲାରେ ୧୩ ଡିଲର୍‌

ବର୍ଷକରେ ଦୁଇ କୋଟି ମାଲ୍‌ ଜବତ ୪ ଜିଲ୍ଲାରେ ୧୩ ଡିଲର୍‌

ଶିଶୁଙ୍କ ଶବରେ ବ୍ରାଉନ୍‌ସୁଗାର ଚାଲାଣ, ଅବକାରୀ ଗୁଇନ୍ଦା ବିଭାଗର ବାର୍ଷିକ ରିପୋର୍ଟ

କଟକ: ନବଜାତ ଶିଶୁଙ୍କ ଶବ ପେଟରେ ସୀମା ପାର୍‌ ହେଉଛି ବ୍ରାଉନ୍‌ସୁଗାର। ଏହାକୁ କୋର୍ଡ ଓ୍ଵାର୍ଡରେ ମୁଖ୍ୟତଃ ‘ଗାରେଗାରେ’ କୁହାଯାଉଛି। ଚାଲାଣରେ ଟ୍ରେନିଂ ନେଇଥିବା ଦେଶୀ କୁକୁରଙ୍କୁ ବ୍ୟବହାର କରାଯାଉଛି। ମୁଖ୍ୟତଃ ବାଂଲାଦେଶ ସୀମାରେ ଭାୟା ପଶ୍ଚିମବଙ୍ଗ ରାସ୍ତାରେ ଓଡ଼ିଶା ଆସୁଛି କୋଟି କୋଟି ଟଙ୍କାର ବ୍ରାଉନ୍‌ସୁଗାର। ୨୦୧୭ ବର୍ଷରେ ରାଜ୍ୟର ୫ ପ୍ରମୁଖ ସହରରୁ ଜବତ ହୋଇଥିବା ଏକ କୋଟି ୮୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ବାଂଲାଦେଶରୁ ଚାଲାଣ ହୋଇଛି। କଟକର କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୨୦୧୭ ବର୍ଷର ବାର୍ଷିକ ରିପୋର୍ଟ ଅନୁଶୀଳନରେ ଏଭଳି ରୋଚକ ତଥ୍ୟ ସାମ୍‌ନାକୁ ଆସିଛି। ବ୍ରାଉନ୍‌ସୁଗାର ବେପାରୀଙ୍କ ଉପରେ ଅଧିକ ନଜର ରଖିବାକୁ ଆଗାମୀ ଦିନରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବାକୁ ଯୋଜନା କରାଯାଉଛି। କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ୨୦୧୭ ବର୍ଷରେ ମୋଟ ୭ ବ୍ରାଉନ୍‌ସୁଗାର ଏଜେଣ୍ଟ ଏବଂ ୬ ବେପାରୀଙ୍କୁ ଗିରଫ କରିଛି। ରାଜ୍ୟ ଭିତରେ ବ୍ରାଉନ୍‌ସୁଗାର ଚାଲାଣ ବେଳେ ସେମାନଙ୍କ ନିକଟରୁ ମୋଟ ୧୭୩୪ ଗ୍ରାମର ବ୍ରାଉନ୍‌ସୁଗାର ଜବତ କରିଛି। ଜବତ ବ୍ରାଉନ୍‌ସୁଗାରର ମୁଲ୍ୟ କୋଟିଏ ୮୦ ଲକ୍ଷ ଟଙ୍କା। ତା’ ସହିତ ସେମାନଙ୍କ ନିକଟରୁ ମୋଟ ୬ ହଜାର ୯୦ ଟଙ୍କା, ଦୁଇଟି ଗାଡ଼ି ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ମୁଖ୍ୟତଃ ବାଲେଶ୍ୱର, କଟକ, ଭଦ୍ରକ, ଖୋର୍ଧା, ଭୁବନେଶ୍ୱର ଇତ୍ୟାଦି ଅଞ୍ଚଳରୁ ଧରାପଡ଼ିଛନ୍ତି। ଚାଲାଣ ଏବଂ ଉତ୍ପାଦନ ସମ୍ପର୍କରେ ଚମାକାଇଲା ଭଳି ତଥ୍ୟ ଏବେ ସାମ୍‌ନାକୁ ଆସିଛି। ମୁଖ୍ୟତଃ ବ୍ରାଉନ୍‌ସୁଗାର ଭାରତରେ ଉତ୍ତରପ୍ରଦେଶର ବରେଲୀ ଅଞ୍ଚଳରେ ଉତ୍ପାଦନ କରଯାଉଛି। କିନ୍ତୁ ପାକିସ୍ତାନ ଏବଂ ବାଂଲାଦେଶରେ ବ୍ରାଉନ୍‌ସୁଗାରର କାରଖାନା ଖୋଲାଯାଇଛି । ପାକିସ୍ତାନରୁ ଉତ୍ପାଦିତ ହେଉଥିବା ବ୍ରାଉନ୍‌ସୁଗାର ରାଜସ୍ଥାନ ସୀମା ଦେଇ ଓ ବାଂଲାଦେଶରୁ ପଶ୍ଚିମବଙ୍ଗ ରାସ୍ତାରେ ଭାରତକୁ ପ୍ରବେଶ ହେଉଛି। ସୀମାରେ ମୁଖ୍ୟତଃ ବ୍ରାଉନ୍‌ସୁଗାର ଦଲାଲ୍‌ମାନେ ଗୋରୁ ଏବଂ ପ୍ରଶିକ୍ଷଣ ନେଇଥିବା କୁକୁରଙ୍କୁ ବ୍ୟବହାର କରୁଛନ୍ତି। ଗୋରୁ ମୁଣ୍ଡରେ ନକଲି ସିଂଘ ଲଗାଇ ପାଖାପାଖି ୫୦୦ ଗ୍ରାମ ବ୍ରାଉନ୍‌ ସୁଗାର ଥରକେ ଚାଲାଣ ହେଉଥିବା ବେଳେ ମଲା ଶିଶୁଙ୍କ ଶବକୁ ଚିରି ତା’ ପେଟ ଭିତରେ ବ୍ରାଉନ୍‌ସୁଗାର ଭର୍ତ୍ତି କରାଯାଉଛି। ବିଶେଷ ଭାବେ ମଲା ଶିଶୁର ଶବକୁ କୁକୁର ପାଟିରେ କାମୁଡ଼ି ସୀମା ପାର୍‌ ହେଉଛି। ଦେଶରେ ଏବେ ବ୍ରାଉନ୍‌ସୁଗାର ଚାଲାଣରେ ନାଁ କମେଇଥିବା ରାଜ୍ୟ ତାଲିକାରେ ଓଡ଼ିଶା ସମେତ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ଦିଲ୍ଲୀ ଏବଂ ଜାମ୍ମୁ ଓ କାଶ୍ମୀର ରହିଛି। ଓଡ଼ିଶା ଭିତରେ ପୂର୍ବରୁ ଟ୍ରେନ୍‌ ଯୋଗେ ବ୍ରାଉନ୍‌ସୁଗାର ଚାଲାଣ ହେଉଥିବା ବେଳେ ଚାଲାଣର ତରିକା ବଦଳାଇଲେଣି ବେପାରୀ। ଏବେ ଅବକାରୀ ବିଭାଗର ନଜର ହଟାଇବାକୁ ବାଇକ୍‌, ଚାରି ଚକିଆ ଗାଡ଼ିରେ ଓଡ଼ିଶା ଭିତରେ ଚାଲାଣ କରାଯାଉଛି। ବ୍ରାଉନ୍‌ସୁଗାର ଚାଲାଣରେ ଏଜେଣ୍ଟ ଭାବେ ସାଧାରତଃ କଲେଜ ଛାତ୍ର ଏବଂ ମହିଳାଙ୍କୁ ହିଁ ବ୍ୟବହାର କରାଯାଉଛି। ବିଶେଷ ଭାବେ ମହିଳାମାନେ ନିଜ ଅନ୍ତବସ୍ତ୍ର ଏବଂ କଲେଜ ଛାତ୍ରମାନେ ଏୟାର ବ୍ୟାଗ୍‌ରେ ଚାଲାଣ କରୁଛନ୍ତି।

ଅନୁସନ୍ଧାନରୁ ମିଳିଥିବା ତଥ୍ୟ ମୁତାବକ, ଓଡ଼ିଶାରେ ମୋଟ ୬୮ ଜଣ ବ୍ରାଉନ୍‌ସୁଗାର ବେପାରୀ ସକ୍ରିୟ ଅଛନ୍ତି। ଲକ୍ଷ୍ମୀସାଗରରେ ୨୫ ଜଣ, ପୁରୀରେ ୪ ଜଣ, ଖୋର୍ଧାରେ ୯ ଜଣ, କଟକରେ ୩ ଜଣ, ବାଲେଶ୍ୱର ଜିଲ୍ଲାରେ ୨୨ ଜଣ ଏବଂ ଭଦ୍ରକରେ ୫ ଜଣ ଥିବା ଜଣାପଡ଼ିଛି। ଅନ୍ୟପଟେ ଏବେ ରାଜ୍ୟର ବ୍ରାଉନ୍‌ସୁଗାର ପେଣ୍ଠ ଭାବେ ୭ଟି ସ୍ଥାନ ଚର୍ଚ୍ଚାକୁ ଆସିଛି। ସେଗୁଡ଼ିକ ମଧ୍ୟରେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ, ପୁରୀ ସମୁଦ୍ର ବେଳାଭୂମୀ, ଖୋର୍ଧା ଟାଉନ୍‌, କଟକ ଜିଲ୍ଲା ମାଛୁଆ ବଜାର, ବୋସ୍‌ ସ୍କୁଲ କ୍ୟାମ୍ପସ ପାଖ, ବାଲେଶ୍ୱରର ଅରଡ଼ ବଜାର, ଭଦ୍ରକ ଚରମ୍ପା ଷ୍ଟେସନ୍‌ ପ୍ରମୁଖ ରହିଛି। ଅନ୍ୟପଟେ ବ୍ରାଉନ୍‌ସୁଗାର ମୂଲ୍ୟ କଥା ଯଦି କୁହାଯାଏ, ତେବେ ଅନ୍ତର୍ଜାତୀୟ ବଜାରରେ ବ୍ରାଉନ୍‌ସୁଗାରର ଗ୍ରାମ ପିଛା ମୂଲ୍ୟ ପ୍ରାୟ ୨୦୦୦ ହଜାର ଟଙ୍କା ଥିବା ବେଳେ ଓଡ଼ିଶାରେ ୫ ହଜାର ଟଙ୍କାରେ ବିକ୍ରି ହେଉଥିବା କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe