ବରମୁଣ୍ଡାରୁ ୧.୨୩କୋଟିର ଧଳାଜହର ଜବତ, ଅନ୍ତଃରାଜ୍ୟ ନିଶାମାଫିଆ ସମେତ ୨ଗିରଫ

Advertisment
ବରମୁଣ୍ଡାରୁ ୧.୨୩କୋଟିର ଧଳାଜହର ଜବତ, ଅନ୍ତଃରାଜ୍ୟ ନିଶାମାଫିଆ ସମେତ ୨ଗିରଫ

ପୁଲିସ ପୋଷାକପିନ୍ଧା ଫଟୋ, ଡାକ୍ତରୀ ପରିଚୟପତ୍ର ଜବତ
ନଦିଆରୁ ଭୁବନେଶ୍ବର ପର୍ଯ୍ୟନ୍ତ ଲମ୍ବିଛି ଚେର

ଭୁବନେଶ୍ବର : ରାଜଧାନୀରୁ ପୁଣିଥରେ କୋଟିଏରୁ ଊର୍ଧ୍ବ ଟଙ୍କାର ବ୍ରାଉନସୁଗାର ଧରାପଡ଼ିଛି। ଗତକାଲି ସଂଧ୍ୟାରେ ୨ ଜଣ ବେପାରୀ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ, ପଶ୍ଚିମବଙ୍ଗ ନଦିଆର କପିଳଦେବ ମଜୁମଦାର ଓ ଖୋର୍ଦ୍ଧା ଡମଣଭୂଇଁର ରଶ୍ମିରଂଜନ ଭୋଳ। ପୁଲିସ ସେମାନଙ୍କ ଠାରୁ ୧କେଜି ୨୩୮ଗ୍ରାମ୍‌ର ଧଳାଜହର (ବ୍ରାଉନ ସୁଗାର) ଜବତ କରିଛି। ଏହାର ବଜାର ମୂଲ୍ୟ ୧ କୋଟି ୨୩ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହାସହ ଦୁହିଁଙ୍କଠାରୁ ନଗଦ ୧୭ ହଜାର ଟଙ୍କା, ନକଲି ଏମ୍ସ ଡାକ୍ତର ପରିଚୟପତ୍ର, ଇଭେଣ୍ଟ ଆଇକାର୍ଡ, ପୁଲିସ୍‌ ପୋଷାକ ପିନ୍ଧା କିଛି ଜେରକ୍ସ ଫଟୋ, ବୁଲେଟ୍ ଓ ୨ଟି ଲାପଟପ୍‌ ଜବତ କରାଯାଇଛି। ଏହି ଦୁଇ ଅଭିଯୁକ୍ତ ପଶ୍ଚିମବଙ୍ଗ ନଦିଆରୁ ବ୍ରାଉନସୁଗାର ଆଣି ଭୁବନେଶ୍ବର ଆସିଥିଲେ ବୋଲି ଏସ୍‌ଟିଏଫ୍‌ କହିଛି।

ଏସ୍‌ଟିଏଫ୍‌ ସୂଚନାନୁଯାୟୀ, କପିଳ ଓ ରଶ୍ମି ନାଁରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନିଶା କାରାବାର ଜନିତ ମାମଲା ନାହିଁ। କିନ୍ତୁ ଉଭୟ ପେସା‌ଦାର ନିଶା ବେପାରୀ। ୨ରୁ ୩ ବର୍ଷ ହେବ, ଦୁହେଁ ନିଶା କାରବାରରେ ଲିପ୍ତ ଅଛନ୍ତି। ନିକଟରେ କପିଳ ନଦିଆରୁ ଧଳାଜହର ଆଣି ଭୁବନେଶ୍ବର ଆସିଥିଲା। ଏଠାରେ ରଶ୍ମି ସହ ମିଶି ନିର୍ଦ୍ଦିଷ୍ଟ ଏକ ବସ୍ତିରେ ଧଳାଜହର ବିକ୍ରି କରିଥା’ନ୍ତା।

publive-image

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କପିଳ ବ୍ରାଉନସୁଗାର ଆଣି ରାଜଧାନୀରେ ପହଞ୍ଚିବା ପରେ ରଶ୍ମି ତାକୁ ବୁଲେଟ୍‌ରେ ବରମୁଣ୍ଡାରୁ ଆଣିବାକୁ ଯାଇଥିଲା। ଏପରିକି ଯେପରି କେହି ତା’ ବୁଲେଟ୍‌କୁ ଅଟକାଇ‌ବେ ନାହିଁ, ସେଥିପାଇଁ ନମ୍ବର‌ ପ୍ଲେଟ୍‌ରେ ‘ପୁଲିସ୍‌’ ଚିହ୍ନ ମାରିଥିଲା।

ତେଣୁ ରଶ୍ମିର ବୁଲେଟ୍ ଜବତ କରିବା ପରେ ଏସ୍‌ଟିଏଫ୍‌ର ସନ୍ଦେହ ବଢ଼ିଥିଲା। ପୁଲିସ ଚାକିରି ନ କରି ପୁଲିସ ଚିହ୍ନ ବ୍ୟବହାର କରିବା ନେଇ ଖୋଳତାଡ଼ କରାଯିବାରୁ ଏସ୍‌ଟିଏଫ୍ ଚାଞ୍ଚଲ୍ୟକର ତଥ୍ୟ ହାତରେ ଲାଗିଥିଲା। ସେ ଗାଡ଼ିରେ ପୁଲିସ୍‌ ଚିହ୍ନ ବ୍ୟବହାର କରିବା ସହ ଓଡ଼ିଶା ପୁଲିସର ଜଣେ ଇନ୍ସପେକ୍ଟର ବା ଏସିପି ରାଙ୍କ୍‌ର ଅଧିକାରୀ ଭଳି ନକଲି ଖାକି ପୋଷାକପିନ୍ଧା ଏକ ଫଟୋ ନିଜ ପାଖରେ ରଖି ବୁଲୁଥିଲା। ଖାଲି ସେତିକି ନୁହେଁ, ଭୁବନେଶ୍ବର ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ବୋଲି ଏକ ନକଲି ପରିଚୟପତ୍ର ଓ ସ୍ବସ୍ତିକା ଇଭେଣ୍ଟ ଲିମିଟେଡ୍ ନାଁରେ ମଧ୍ୟ ନକଲି ପରିଚୟପତ୍ର ତିଆରି କରି ପାଖରେ ରଖିଥିଲା। ‌ତେଣୁ ଏସବୁ ନକଲି ପରିଚୟପତ୍ର ବ୍ୟବହାର କରି ସେ ରାଜ୍ୟ ବାହାରୁ ଆସୁଥିବା ନିଶା ମାଫିଆଙ୍କୁ ଏସକର୍ଟ କରି ନେଉଥିଲା ବୋଲି ଏସ୍‌ଟିଏଫ୍ ସନ୍ଦେହ କରୁଛି। ସେହିପରି ନିଶା କାରବାର ବ୍ୟତୀତ ବିଭିନ୍ନ ଠକେଇରେ ମଧ୍ୟ ରଶ୍ମି ଲିପ୍ତ ଥିବ ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe