ସାଢ଼େ ୩ ଲକ୍ଷର ବ୍ରାଉନସୁଗାର ସହ ବାଇକ୍‌ ଜବତ, ୨ ବେପାରୀ ଗିରଫ 

Advertisment

 ଏକ ଗ୍ରାମ୍‌ରେ ହେଉଥିଲା ୧୦ ପ୍ୟାକେଟ୍‌, ପ୍ୟାକେଟ୍‌ ପିଛା ବିକୁଥିଲେ ୩୦୦ ଟଙ୍କା

 ଏକ ଗ୍ରାମ୍‌ରେ ହେଉଥିଲା ୧୦ ପ୍ୟାକେଟ୍‌, ପ୍ୟାକେଟ୍‌ ପିଛା ବିକୁଥିଲେ ୩୦୦ ଟଙ୍କା

ସାଢ଼େ ୩ ଲକ୍ଷର ବ୍ରାଉନସୁଗାର ସହ ବାଇକ୍‌ ଜବତ, ୨ ବେପାରୀ ଗିରଫ 

ରାଉରକେଲା: ଧଳା ଜହର କବଳରେ ସ୍ମାର୍ଟସିଟି ରାଉରକେଲା। ଚେର ଲମ୍ବିଛି ରାଉରକେଲାରୁ କଲିକତାର ହାୱଡା। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ସେମିତି ଏକ ବ୍ରାଉନସୁଗାର ଚୋରା କାରବାର ଗ୍ୟାଙ୍ଗର ଦୁଇ ବେପାରୀକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ବେପାରୀମାନେ ହେଲେ ଭୁବନେଶ୍ବର ପୋଖରୀପୁଟର ଦୀପକ କୁମାର ଦାସ ଓରଫ ଲିପନ୍‌ (୨୪)। ସମ୍ପତି ସେ ଜଗଦାରେ ରହୁଛନ୍ତି। ଅନ୍ୟ ଜଣେ ହେଉଛି ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଆର୍‌ଡିଏ ବିଲ୍‌ଡିଂ ନିକଟ ବସ୍ତିର ତାରିକ୍‌ ଅନୱାର (୨୯)। ଏମାନଙ୍କ ନିକଟରୁ ୪୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ବଜାର ମୂଲ୍ୟ ସାଢ଼େ ୩ ଲକ୍ଷ ଟଙ୍କାରୁ ଅଧିକ। ଏଥିସହ ସେମାନେ ବ୍ୟବହାର କରୁଥବା ମୋଟରବାଇକ୍‌ (ଓଡି ୧୪ଆର୍‌-୭୭୩୬) ଜବତ ହୋଇଛି ବୋଲି ଆଜି ପ୍ଲାଣ୍ଟସାଇଟ୍‌ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଏହି ସୂଚନା ଦେଇଥିଲେ। ସେ କହିଛନ୍ତି, ଆଜି ସକାଳେ ଗିରଫ ଦୁଇ ବେପାରୀ ପାୱାର ହାଉସ୍‌ ନିକଟ ରିଂ ରୋଡରେ ବ୍ରାଉନ୍‌ସୁଗାର ଧରି ବୁଲାବୁଲି କରୁଥିବା ସୂଚନା ମିଳିଥିଲା।

ପ୍ଲାଣ୍ଟସାଇଟ୍‌ ପୁଲିସ ସାଧା ପୋଷାକରେ ଦୁହିଁଙ୍କୁ ଧରି ଥାନାକୁ ଆଣିଥିଲା। ପରେ ସେମାନଙ୍କ ପକେଟ୍‌ ଯାଞ୍ଚ କରିବାରୁ ଦୁଇଟି ପ୍ୟାକେଟ୍‌ରେ ଭର୍ତ୍ତି ୪୮ ଗ୍ରାମ ଓଜନର ବ୍ରାଉନ୍‌ସୁଗାର ବାହାରିଥିଲା। ଗିରଫ ଦୁଇ ବେପାରୀ ହାୱଡାରୁ ବେପାରୀମାନଙ୍କ ଠାରୁ ବ୍ରାଉନ୍‌ସୁଗାର କିଣୁଥିଲେ। ଟ୍ରେନ୍‌ରେ ସାଧାରଣ ଯାତ୍ରୀଙ୍କ ପରି ଟିକେଟ୍‌ କାଟି ରାଉରକେଲାରେ ପହଞ୍ଚୁଥିଲେ। ପରେ ସେଗୁଡ଼ିକୁ ଛୋଟ ଛୋଟ ପ୍ୟାକେଟ୍‌ କରି ସହର ବିଭିନ୍ନ ସ୍ଥାନରେ ଡିଲରମାନଙ୍କୁ ଦେଇଥିଲେ। କେବଳ ଡିଲର ନୁହେଁ କିଛି ଦୋକାନୀଙ୍କୁ ମଧ୍ୟ ଦେଉଥିଲେ। ଗୋଟିଏ ଗ୍ରାମ୍‌ ବ୍ରାଉନ୍‌ ସୁଗାରକୁ ୧୦ ରୁ ଅଧିକ ପ୍ୟାକେଟ୍‌ କରୁଥିଲେ। ଛୋଟ ଛୋଟ ପ୍ୟାକେ୍‌ଟଗୁଡ଼ିକୁ ୩୦୦ ଟଙ୍କା ‌ଲେଖାଏଁ ବିକୁଥିଲେ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ଧରି ସହରର ଷ୍ଟେସନ ଏରିଆ, ନୂଆ ବସଷ୍ଟାଣ୍ଡ, ଡେଲିମାର୍କେଟ, ରାଉରକେଲା ମୁଖ୍ୟ ମାର୍କେଟ ସମେତ ଜନଗହଳିପୂର୍ଣ୍ଣ ସ୍ଥାନରେ ଧଳ ଜହର ବେପାରୀ ବୁଲୁଛନ୍ତି। ବେପାରୀମାନେ ବିଶେ‌ଷ କରି ଯୁବପିଢ଼ୀମାନଙ୍କୁ କେବଳ ବ୍ରାଉନ୍‌ସୁଗାର ନୁହେଁ ଡ୍ରଗ୍‌ସ ମଧ୍ୟ ବିକ୍ରି କରିଥାନ୍ତି। ଧଳା ଜହର ନିଶାରେ ଯୁବପିଢ଼ୀ ଓ କିଛି ନିଶାଖୋର ବ୍ୟକ୍ତି ବେପାରୀମାନଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଖୋଜି ଥାନ୍ତି। ସେପେଟ ବ୍ରାଉନ୍‌ସୁଗାର ବେପାରୀମାନେ ଧରା ନ ପଡିବାକୁ ପୁଲିସ ଚକ୍‌ମା ଦେଇ ଭୋରୁ, ଅପରାହ୍ନ ଓ ବିଳମ୍ବିତ ରାତିରେ ଏସବୁ କାରକାର କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe