ଭୁବନେଶ୍ବର: ରାଜଧାନୀ ଓ ଭୁବନେଶ୍ବର ଓ ଏହାର ଉପକଣ୍ଠରେ ନିଶା ବେପାରୀ କାୟା ବିସ୍ତାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବାଇପାସ ନିକଟରେ ଜଣେ ନିଶା ବେପାରୀକୁ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍ଟିଏଫ୍) କାବୁ କରିଛି। ଗିରଫ ଅଭିଯୁକ୍ତ ହେଲା ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ। ଏସ୍ଟିଏଫ୍ ଅଭିଯୁକ୍ତ ଠାରୁ ୨କିଲୋରୁ ଊର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି, ଯାହାର ମୂଲ୍ୟ ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ।
ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଖୋର୍ଦ୍ଧା ଜିଲ୍ଲା ପୁଲିସର ସହାୟତାରେ ଭୁବନେଶ୍ବର ଏସ୍ଟିଏଫ୍ ଜଟଣୀ ବାଇପାସ୍ ନିକଟରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳର ଅନ୍ଧାରୁଆ ଗାଁର ଦୁଖୀଶ୍ୟାମ ସାମନ୍ତରାୟଙ୍କ ପୁଅ ରାକେଶ ସାମନ୍ତରାୟ ଓ ରାକାକୁ ଗିରଫ କରିଥିଲା। ରାକା ପାଖରୁ ଏସ୍ଟିଏଫ୍ ୨୦୨୦ ଗ୍ରାମ ବ୍ରାଉନ୍ସୁଗାର ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ପୁଲିସ କହିଛି। ଏତଦ୍ ବ୍ୟତୀତ ରାକା ନିକଟରୁ ପୁଲିସ ଏକ ଛୁରୀ ଓ ଅନ୍ୟ ସାମଗ୍ରୀ ଜବତ କରିଥିଲା। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ, ରାକେଶ ଓରଫ ରାକା ଏକ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲା। ୨୦୧୮ ମସିହାରେ ସେ ଖଣ୍ଡଗିରି ପୁଲିସ ଦ୍ୱାରା ଗିରଫ ହୋଇଥିଲା। ନିକଟରେ ଜାମିନରେ ଆସି ପୁଣି ନିଶା କାରବାର ଚଳାଇଥିଲା।
ବେଆଇନ୍ ନିଶା କାରବାର ବିରୋଧରେ ଏସ୍ଟିଏଫ୍ ପକ୍ଷରୁ ସ୍ପେଶାଲ ଡ୍ରାଇଭ ଚାଲିଛି। ୨୦୨୦ରୁ ଆଜି ଯାଏଁ ୬୧ କିଲୋ ବ୍ରାଉନସୁଗର ଓ ହେରୋଇନ, ୨୦୨ ଗ୍ରାମ୍ କୋକାଇନ୍, ୧୧୧ କୁଇଣ୍ଟାଲ ଗଞ୍ଜେଇ ଓ ୭୫୦ ଗ୍ରାମ୍ ଅଫିମ ଜବତ କରିଛି। ଏହି ସବୁ ମାମଲାରେ ଏସ୍ଟିଏଫ୍ ୧୬୩ ଜଣଙ୍କୁ ଗିରଫ କରିଛି।
Follow Us