ପରକୀୟା ପ୍ରୀତିରୁ ଜଘନ୍ୟ ହତ୍ୟାକାଣ୍ଡ: ଜିଅନ୍ତା ଜାଳିଦେଲେ ପତ୍ନୀ, ପୁଅ, ପଞ୍ଚରିଡ଼ା ବନପାଳ ଥିଲେ ମୃତ ଶିଶିର

ଅନୈତିକ ପ୍ରେମ ସଂପର୍କର ପରିଣାମ କେତେ ଭୟଙ୍କର ହୋଇପାରେ ତାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୟାଗଡ଼ ସହର ବାରମାସୀ ଦଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ପଞ୍ଚରିଡ଼ା ବନପାଳ ଶିଶିର କୁମାର ସାହୁ (୫୩)ଙ୍କୁ ତାଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ....

sfsffsfs

ନୟାଗଡ଼: ଅନୈତିକ ପ୍ରେମ ସଂପର୍କର ପରିଣାମ କେତେ ଭୟଙ୍କର ହୋଇପାରେ ତାହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ନୟାଗଡ଼ ସହର ବାରମାସୀ ଦଣ୍ଡା ସାହିରେ। ଗତକାଲି ବିଳମ୍ବିତ ରାତିରେ ପଞ୍ଚରିଡ଼ା ବନପାଳ ଶିଶିର କୁମାର ସାହୁ (୫୩)ଙ୍କୁ ତାଙ୍କ ପତ୍ନୀ ନମିତା ଓ ପୁଅ ଅଭିଷେକ ଜିଅନ୍ତା ଜାଳି ଦେଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ମାମଲାରେ କାହାରିକୁ ଗିରଫ ଦର୍ଶାଇ ନଥିଲେ ମଧ୍ୟ ପତ୍ନୀ ନମିତା ଓ ଅଭିଷେକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ନମିତାଙ୍କ ବାମ ପାଦରେ ସାମାନ୍ୟ ଆଘାତ ଲାଗିଥିବା ବେଳେ ଅଭିଷେକ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ପ୍ରାଥମିକ ତଦନ୍ତରୁ ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ମୃତ ଶିଶିରଙ୍କ ଘର ମାନପୁର। କିନ୍ତୁ ସେ ନୟାଗଡ଼ ସହରର ବାରମାସୀ ଦଣ୍ଡାରେ ଘର କରି ସ୍ତ୍ରୀ ଓ ପୁଅଙ୍କ ସହ ରହୁଥିଲେ। ପୁଅ ସ୍ନାତକ ଶେଷ କରି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛି। ପରିବାର ସହ ଶିଶିରଙ୍କର ସୁସମ୍ପର୍କ ନଥିଲା। ଏମିତିକି ଅଧିକାଂଶ ସମୟ ସେ ଘରକୁ ଆସୁନଥିଲେ। ତାଙ୍କର ଆଉ ଜଣେ ମହିଳାଙ୍କ ସହ ଥିବା ସମ୍ପର୍କକୁ ନେଇ ପରିବାରରେ ସର୍ବଦା ଅଶାନ୍ତି ଲାଗି ରହୁଥିଲା। ଯେତେବେଳେ ବି ଶିଶିର ଘରକୁ ଆସନ୍ତି ଏହି କଥାକୁ ନେଇ ପତ୍ନୀ ନମିତାଙ୍କ ସହ ତାଙ୍କର ଝଗଡ଼ା ହୁଏ। ପୁଅ ଅଭିଷେକ ମଧ୍ୟ ନମିତାଙ୍କ ସମର୍ଥନରେ ଶିଶିରଙ୍କୁ ପ୍ରବଳ ବିରୋଧ କରନ୍ତି। ଗତକାଲି ରାତି ପ୍ରାୟ ୧୨ଟାରେ ଶିଶିର ଘରକୁ ଆସିଥିଲେ। ସେ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ତାଙ୍କ ମୋବାଇଲକୁ ନମିତା ଛଡ଼ାଇ ନେଇଥିଲେ। ମୋବାଇଲରେ କାହା କାହାର ଫଟୋ ଅଛି, ତାକୁ ଯାଞ୍ଚ କରୁଥିବା ବେଳେ ନମିତାଙ୍କ ସହ ଶିଶିରଙ୍କର ପାଟିତୁଣ୍ଡ ଓ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ଘରେ ଏକ ପ୍ଲାଷ୍ଟିକ୍ ଜାର୍‌ରେ ଥିବା ପେଟ୍ରୋଲ ଆଣି ଶିଶିରଙ୍କ ଉପରେ ନମିତା ଢାଳି ଦେଇ ଦିଆସିଲି ମାରି ଦେଇଥିଲେ। ଶିଶିର ହୁତୁହୁତୁ ହୋଇ ଜଳୁଥିବା ବେଳେ ଘର କବାଟ ବନ୍ଦ କରି ନମିତା ଓ ଅଭିଷେକ ବାହାରକୁ ପଳାଇ ଆସିଥିଲେ। ଫଳରେ ଶିଶିରଙ୍କ ଦେହରୁ ନିଆଁ ଲାଗି ଘରେ ଥିବା ଏକ ସ୍କୁଟି ଓ କିଛି ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏହି ସମୟରେ ବାହାରେ ଥିବା ନମିତା ଘରେ ନିଆଁ ଲାଗିଗଲା ବୋଲି ଚିତ୍କାର କରିବା ସହ ପଡ଼ୋଶୀଙ୍କୁ ଡାକିଥିଲେ।

ଏ ସମସ୍ତ କାମରେ ମା’ଙ୍କୁ ଅଭିଷେକ ସହାୟତା କରିଥିବା ଜଣାପଡ଼ିଛି। ନମିତା ଓ ଅଭିଷେକଙ୍କ ଚିତ୍କାର ଶୁଣି ପଡ଼ୋଶୀ ପ୍ରଥମେ ଅଗ୍ନିଶମ ବିଭାଗକୁ ଫୋନ୍ କରି ଡାକିଥିଲେ। ପରେ ଖବର ପାଇ ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚିଥିଲା। ସେତେବେଳକୁ ଶିଶିର ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ତାଙ୍କ ଦଗ୍ଧ ଶରୀର ଖଟ ଉପରେ ପଡ଼ିଥିଲା। ପୁଲିସ ସାମାନ୍ୟ ଆହତ ହୋଇଥିବା ନମିତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ ଓ ଅଭିଷେକଙ୍କୁ ଥାନାରେ ଅଟକ ରଖିଥିଲା। ଆଜି ସକାଳେ ନୟାଗଡ଼ ଏସ୍‌ଡିପିଓ ଶ୍ରୀ ସାମନ୍ତରାୟ, ଥାନା ଇନ୍ସପେକ୍ଟର ରଶ୍ମିରଂଜନ ମହାପାତ୍ର ଓ ସାଇଣ୍ଟିଫିକ୍ ଟିମ୍ ଉକ୍ତ ଘରେ ପହଞ୍ଚି ଛାନ୍‌ଭିନ୍ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶିଶିରଙ୍କୁ ହତ୍ୟା କରାଯାଇଥିବା ନେଇ ତାଙ୍କ ବଡ଼ଭାଇ ଶରତଚନ୍ଦ୍ର ସ‌ାହୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ପ୍ରବଳ ଭିଡ଼ ହୋଇଥିଲା। ଶିଶିରଙ୍କୁ ଜିଅନ୍ତା ଜାଳି ଦେବା ପରେ ନମିତା, ଅଭିଷେକଙ୍କ ଆଚରଣ ଓ ଉଚ୍ଚାରଣ ନୟାଗଡ଼ରେ ଏବେ ଆଲୋଚ୍ୟ ପ୍ରସଙ୍ଗ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe