ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ବଣ୍ଡାଘାଟିର ମୁଦୁଲିପଡା ଏବଂ ଅଣ୍ଡ୍ରାହାଲ ଠାରେ ଅବସ୍ଥାପିତ ହୋଇଥିବା ଦୁଇଟି ବିଏସ୍ଏଫ୍ କ୍ୟାମ୍ପକୁ ଆଜି ବୁଲି ଦେଖିଛନ୍ତି ବିଏସ୍ଏଫ ଏଡିଜି ଏସ୍.ଏଲ୍. ଥାଓସେନ। ବିଏସ୍ଏଫ୍ ଏଡିଜିଙ୍କ ସହ ସ୍ବତନ୍ତ୍ର ଵିଙ୍ଗସର ଡିଆଇଜି ରାଜେଶ ପଣ୍ଡିତ, ଡିଆଇଜି ଅପରେସନ ଅଖିଲେଶ୍ବର ସିଂହ, କୋରାପୁଟ ଡିଆଇଜି ପି.କେ.ମିଶ୍ର, ଏସ୍ପି ରିଶିକେଷ ଖିଲାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଟିମ ଏଠାରେ ଅବସ୍ଥାପିତ ବିଏସ୍ଏଫ କ୍ୟାମ୍ପର ଯବାନଙ୍କ ସହ ଭେଟି ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ। ମାଓବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ହୋଇଥିବା ଅସୁବିଧା ଗୁଡିକକୁ ମଧ୍ୟ ପଚାରି ବୁଝିଥିଲେ। ଏଥିସହ ବଣ୍ଡାଘାଟିରେ ମାଓବାଦୀଙ୍କ ପତିଆରା ଦିନକୁ ଦି ବଢୁଥିବାରୁ ଏହି ଦୁଇ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଯାହାଫଳରେ ନକ୍ସଲ ଏବେ ଏହି ଅଂଚଳକୁ ଆଉ ପୂର୍ବପରି ମାଡୁନଥିବା କୁହାଯାଇଛି। ଏକ ରୁଦ୍ଧଦ୍ବାର ବୈଠକରେ ବିଏସ୍ଏଫ ଏଡିଜି ଶ୍ରୀ ଥାଓସେନ ବିଏସ୍ଏଫର ସମସ୍ତ ଉଚ୍ଚ ପଦାଧିକାରୀ ଏବଂ ପୁଲିସର ଉଚ୍ଚ ପଦାଧିକାରୀ ମାନଙ୍କ ସହ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।
Sambadବଣ୍ଡାଘାଟିରେ ବାସ କରୁଥିବା ଆଦିମ ଜନଜାତିଙ୍କୁ ଯେପରି ନକ୍ସଲ ଟାର୍ଗେଟ ନକରନ୍ତି ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି। ବଣ୍ଡାଘାଟିକୁ ଗତ କିଛି ଦିନ ତଳେ ପୁଲିସ ଜିଡି ଅଭୟ କୁମାର ପହଞ୍ଚି ଯବାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
୨୯ ବର୍ଷ ପରେ ପୁଲିସ ଡିଜି ବଣ୍ଡାଘାଟି ଗସ୍ତ କରିଥିବାରୁ ସେ ଖୁସି ଜାହିର କରିଥିଲେ। ସେହିପରି ବିଏସ୍ଏଫ ଡିଜି ଠାରୁ ଆରମ୍ଭ କରି ଡିଆଇଜି ପର୍ଯ୍ୟନ୍ତ ଗସ୍ତକରି ଯବାନଙ୍କ ମନବଳ ଦୃଢ କରୁଥିବା ଦେଖିବାକୁ ମିଳିଛି। ସମୁଦ୍ର ପତନ ଠାରୁ ୫ ହଜାର ଫୁଟ ଉପରେ ରହିଥିବା ଏହି ଘାଟିରେ ଯବାନ ଦିନରାତି ପଇଁତରା ମାରୁଥିବା ଦେଖିବାକୁ ମିଳୁଛି। ନକ୍ସଲଙ୍କ ଗଡ କୁହାଯାଉଥିବା ବଣ୍ଡାଘାଟି ଏବେ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଇଛି। ତେବେ ପୁଲିସ ଏବଂ ବିଏସଏଫ ମିଳିତ ଭାବେ ମାଓଦମନରେ ଦୁହେଁ ଦୁହିଁଙ୍କୁ ସହଯୋଗ କରିବେ ବୋଲି ଆଲୋଚନା ହୋଇଥିଲା।
Follow Us