ବିଏସ୍‌କେୱାଇ କେଳେଙ୍କାରୀ: ଶୋଭା ନର୍ସିଂହୋମ୍‌ର ସ୍ବୀକୃତି ପ୍ରତ୍ୟାହାର

Advertisment

ଜେ.ଏମ୍‌. କେୟାର୍‌ ବି ବିଏସ୍‌କେୱାଇ ପାଇଁ କରିଥିଲା ଆବେଦନ, କଟକରେ ୪ନର୍ସଂହୋମ୍‌ର କଟିଲାଣି ସ୍ବୀକୃତି

ଜେ.ଏମ୍‌. କେୟାର୍‌ ବି ବିଏସ୍‌କେୱାଇ ପାଇଁ କରିଥିଲା ଆବେଦନ, କଟକରେ ୪ନର୍ସଂହୋମ୍‌ର କଟିଲାଣି ସ୍ବୀକୃତି

ମତଦାନରେ ନିୟୋଜିତ କର୍ମଚାରୀଙ୍କୁ ରାଜ୍ୟର ଘରୋଇ ଡାକ୍ତରଖାନାରେ ବିଏସ୍‌କେୱାଇ ଅଧୀନରେ ମିଳିବ କ୍ୟାସଲେସ୍ ଚିକିତ୍ସା

କଟକ : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍‌କେୱାଇ) କେଳେଙ୍କାରୀ ଘଟଣାରେ ସମ୍ପୃକ୍ତ ଶୋଭା ନର୍ସଂହୋମ୍‌ର ସ୍ବୀକୃତିକୁ ପ୍ରତ୍ୟାହାର କରିଛି ସ୍ବାସ୍ଥ୍ୟ ବିଭାଗ। କେବଳ ସେତିକି ନୁହେଁ ଜେ.ଏମ୍‌. କେୟାର୍‌ ହସ୍ପିଟାଲ୍‌ ମଧ୍ୟ ବିଏସ୍‌କେୱାଇ ସ୍ବୀକୃତି ପାଇଁ ଆବେଦନ କରିଥିଲା ଓ ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏହାକୁ ଯାଂଚ କରି ବିଭାଗକୁ ପଠାଯାଇଥିଲା। ହେଲେ ଏବେ ହସ୍ପିଟାଲ୍‌ର କେଳେଙ୍କାରୀ ଧରାପଡ଼ିବା ଓ ଏହାକୁ ସିଲ୍ କରାଯିବା ପରେ ବିଏସ୍‌କେୱାଇ ଆବେଦନ ଉପରେ ହସ୍ପିଟାଲ୍‌କୁ ସ୍ବୀକୃତି ଦିଆଯିବନି ବୋଲି ବିଭାଗ ସ୍ପଷ୍ଟ କରିଛି। ବର୍ତ୍ତମାନ ସୁଦ୍ଧା କଟକ ଜିଲ୍ଲାର ସାଉଥ୍‌ ପଏଣ୍ଟ, ଆଠଗଡ଼ର ପଣ୍ଡା, ମାହାଙ୍ଗା ଛତ୍ରତୋଟାର ସାଇ ଆରେଗ୍ୟ ହସ୍ପିଟାଲ ଏଣ୍ଡ ଡାଇଗ୍ନୋଷ୍ଟିକ୍‌ ଓ ଏବେ ପାଗାସ୍ଥିତ ଶୋଭା ନର୍ସିଂହୋମ୍‌ର ବିଏସ୍‌କେୱାଇ ଅନୁବନ୍ଧନ କଟିଛି।

କଟକରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଚାଲିଥିବା ପୁଣି ଏକ ବଡ଼ କେଳେଙ୍କାରୀ ସାମନାକୁ ଆସିଥିଲା। ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗର ତଦନ୍ତ କରିବାକୁ ଯାଇ ମଧୁପାଟଣା ଥାନା ପୁଲିସ ଏହି କେଳେଙ୍କାରୀର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି। ରୋଗୀଙ୍କୁ ଗୋଟିଏ ସ୍ଥାନରେ ଚିକିତ୍ସା କରାଯାଉଥିବା ବେଳେ ତାଙ୍କ ନାମ ଅନ୍ୟ ହସ୍ପିଟାଲ୍‌ର ରେକର୍ଡରେ ଦର୍ଶାଇ ବିଏସ୍‌କେୱାଇ ଅର୍ଥ ଉଠାଯିବା ଭଳି ଚାଞ୍ଚଲ୍ୟକର ଘଟଣା ଧରା ପଡିଛି। ଭିତ୍ତିଭୂମି ନଥିବା ହସ୍ପିଟାଲ୍‌କୁ ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧିତ କରାଯାଉଛି। ସେଠାକାର ରେକର୍ଡରେ ରୋଗୀଙ୍କ ଚିକିତ୍ସା କରାଯାଉଥିବା ଦର୍ଶାଯାଉଥିଲେ ବି ଅନ୍ୟ ସ୍ଥାନରେ ଅସ୍ତ୍ରୋପଚାର କରାଇ ବିଲ୍ ଟଙ୍କା ଉଠାଯାଉଛି। ବିଏସ୍‌କେୱାଇ ଯୋଜନାରେ ଏଭଳି କେଳେଙ୍କାରୀକୁ ନେଇ ଦୀର୍ଘଦିନ ହେଲା ଅଭିଯୋଗ ହୋଇଆସୁଥିବା ବେଳେ ମଧୁପାଟଣା ଥାନା ପୁଲିସ ଏହାର ପର୍ଦ୍ଦାଫାସ କରିଥିଲା।

publive-image

ତଥ୍ୟ ଅନୁଯାୟୀ, କଟକ ଜିଲ୍ଲାରେ ୧୩୫ଟି ଘରୋଇ ନର୍ସିଂହୋମ୍‌ ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧିତ ହୋଇଛନ୍ତି। ସେଥିରୁ ସହରରେ ୯୩ଟି ଓ ଗ୍ରାମାଞ୍ଚଳରେ ୪୨ଟି ନର୍ସିଂହୋମ୍‌ ରହିଛି। ନର୍ସିଂହୋମ୍‌କୁ ବିଏସ୍‌କେୱାଇ ଅନୁବନ୍ଧନ ସ୍ବୀକୃତି ଦେବା ପାଇଁ କଟକ ସିଡିଏମ୍ଓଙ୍କ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ଯେଉଁମାନେ ଆବେଦନ କରିବେ ସେହି ଟିମ୍‌ ଯାଂଚ ପାଇଁ ଯିବ ଓ ରିପୋର୍ଟ ପ୍ରଦାନ କରିବ। ସେହି ରିପୋର୍ଟ ଆଧାରରେ ନର୍ସିଂହୋମ୍‌କୁ ବିଏସ୍‌କେୱାଇ ଯୋଜନାରେ ଅନୁବନ୍ଧନ ମିଳିବ। କଟକରେ ଏମିତି ଅନେକ ନର୍ସିଂହୋମ ରହିଛନ୍ତି, ଯେଉଁମାନଙ୍କର ଭିତ୍ତିଭୂମି ନାହିଁ। ଅଥଚ ସେମାନେ ବିଏସ୍‌କେୱାଇ ଅନୁବନ୍ଧିତ ହୋଇଥିବାରୁ ଏବେ ସଂପୂର୍ଣ୍ଣ ପ୍ରକ୍ରିୟାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବିଏସ୍‌କେୱାଇ ଯୋଜନାରେ ଉପଯୁକ୍ତ ତଦାରଖ, ସମନ୍ବୟ ଅଭାବରୁ ସରକାରଙ୍କର କୋଟି କୋଟି ଟଙ୍କା ଚିକିତ୍ସା ନାଁରେ ହରିଲୁଟ୍‌ ହେଉଛି। ଅନ୍ୟପଟେ ପ୍ରତି ସ୍ବୀକୃତିପ୍ରାପ୍ତ ନର୍ସିଂହୋମ୍‌ରେ ସ୍ବାସ୍ଥ୍ୟମିତ୍ର, ଜିଲ୍ଲାରେ ବିଏସ୍‌କେୱାଇ ସଂଯୋଜକ ନିୟୋଜିତ ଥିଲେ ବି ସେମାନଙ୍କ କାର୍ଯ୍ୟକଳାପ ବି ଏବେ ସନ୍ଦେହଘେରକୁ ଚାଲି ଆସିଛି।

ଅନ୍ୟପଟେ ଗତକାଲି ଚଢ଼ଉ ସମୟରେ ଜେ.ଏମ୍‌. କେୟାର୍‌ ହସପିଟାଲ୍‌ର ଟ୍ରେଡ୍‌ ଲାଇସେନ୍ସ, ହୋଲଡିଂ ଟିକସ, ୟୁଜର୍ସ ଫି, ଏନ୍‌ଓସି ଏବଂ ପ୍ଲାନ୍‌ ଅନୁମୋଦନ ଇଦ୍ୟାଦି କାଗଜପତ୍ର କର୍ତ୍ତୃପକ୍ଷ ଦେଖାଇବାରେ ଅସମର୍ଥ ହୋଇଥିଲେ। ତେଣୁ ହସପିଟାଲ୍‌ ସିଲ୍ କରାଯାଇଛି। ଆସନ୍ତା ତିନିଦିନ ମଧ୍ୟରେ ଉପଯୁକ୍ତ କାଗଜପତ୍ର ସିଏମ୍‌ସି ନିକଟରେ ଦାଖଲ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଏହି ଅବଧି ମଧ୍ୟରେ ଦାଖଲ କରି ନପାରିଲେ ହସ୍ପିଟାଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯିବାକୁ ଚେତାବନୀ ଦିଆଯାଇଛି। ସେହିପରି ସାଲେପୁର ପାଗାସ୍ଥିତ ଶୋଭା ନର୍ସିଂହୋମ୍‌କୁ ମଧ୍ୟ ଆଜି ସାଲେପୁର ତହସିଲଦାରଙ୍କ ପକ୍ଷରୁ ସିଲ୍ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe