ପୁରୀ/ରାଉରକେଲା: ସହପାଠୀଙ୍କ ସହ ବୁଲିଯାଇଥିବା ରାଉରକେଲାର ଜଣେ ବିଟେକ୍ ଛାତ୍ର ଚିନ୍ମୟ ସାମଲ (୨୭)ଙ୍କ ଶବ ଆଜି ପୁରୀର ଏକ ହୋଟେଲ୍ ରୁମ୍ରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି। ହୋଟେଲ୍ ରୁମ୍ରେ ଚିନ୍ମୟଙ୍କ ସହ ରହୁଥିବା ଅନ୍ୟ ତିନି ସାଙ୍ଗ ଫେରାର ହୋଇ ଯାଇଛନ୍ତି। ପୁରୀ ପୁଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଛି। ପରିବାର ଲୋକେ ଆଜି ସନ୍ଧ୍ୟାରେ ରାଉରକେଲାରୁ ପୁରୀ ଅଭିମୁଖେ ବାହାରିଛନ୍ତି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି। ଚିନ୍ମୟଙ୍କ ମୋବାଇଲ ମିଳୁ ନଥିବାରୁ ତାଙ୍କୁ ଯୋଜନାବଦ୍ଧ ଭାବେ ନିଶା ଖୁଆଇ ହତ୍ୟା କରାଯାଇଛି ବୋଲି ପିତା ଶୁଭେନ୍ଦୁ ସାମଲ ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଚିନ୍ମୟଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
୩ ସାଙ୍ଗ ଘଟଣାସ୍ଥଳରୁ ଫେରାର
ମିଳୁନି ମୃତକଙ୍କ ମୋବାଇଲ
ହତ୍ୟା ଅଭିଯୋଗ ଆଣିଲେ ପରିବାର
ରାଉରକେଲା ଲେବର ଟେନାମେଣ୍ଟ ଅଞ୍ଚଳର ଶୁଭେନ୍ଦୁ ସାମଲଙ୍କ ପୁଅ ଚିନ୍ମୟ କଟକ ଟାଙ୍ଗୀସ୍ଥିତ ଗାନ୍ଧୀ ଇଞ୍ଜିନିୟରିଂ କଲେଜରେ ବି.ଟେକ୍ କରୁଥିଲେ। ଗତକାଲି ଚିନ୍ମୟ ତାଙ୍କ ତିନି ସହପାଠୀଙ୍କ ସହ ଭୁବନେଶ୍ବର ବାଲିଅନ୍ତାରେ ବାଲିଯାତ୍ରା ଦେଖିବାକୁ ଯାଉଛି ବୋଲି ବାପା ଶୁଭେନ୍ଦୁଙ୍କୁ କଲ୍ କରିଥିଲେ। ପରେ ସହପାଠୀଙ୍କ ସହ ମିଶି ପୁରୀ ବୁଲିବାକୁ ଯାଇଥିଲେ। ପୁରୀ ଖୁଣ୍ଟିଆସାହିର ରାଧାକୃଷ୍ଣ ନିବାସର ରୁମ୍ ନଂ ୩୦୨ରେ ରହିଥିଲେ। ଗତକାଲି ସନ୍ଧ୍ୟା ସାଢ଼େ ୭ଟାରେ ଚିନ୍ମୟ ବାପା ଶୁଭେନ୍ଦୁଙ୍କ ସହ ଶେଷଥର କଥା ହୋଇଥିଲେ। ପରବର୍ତ୍ତୀ ସମୟରେ ଶୁଭେନ୍ଦୁ କଲ୍ କରିଥିଲେ ହେଁ ଚିନ୍ମୟଙ୍କ ମୋବାଇଲ୍ ସୁଇଚ୍ଅଫ୍ ଦେଖାଇଥିଲା। ଆଜି ଅପରାହ୍ଣ ୫ଟାରେ ପୁରୀ ପୁଲିସ ହୋଟେଲ ରୁମ୍ରୁ ଚିନ୍ମୟଙ୍କ ଶବ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲା।
Follow Us