ଇତିହାସ ପାଲଟିବ ବିଟିଏମ୍‌: ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ

Advertisment
ଇତିହାସ ପାଲଟିବ ବିଟିଏମ୍‌: ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ପ୍ରତିଷ୍ଠା ହୋଇଥିବା ଭାସ୍କର ଟେକ୍ସଟାଇଲ୍‌ ମିଲ୍‌(ବିଟିଏମ୍‌) ପ୍ରାୟ ୩ ଦଶନ୍ଧି ଧରି ବନ୍ଦ ହୋଇପଡ଼ିଛି। ଏହି ସୂତାକଳ ପୁଣିଥରେ ଚାଲୁହେବା ନେଇ ଝାରସୁଗୁଡ଼ାବାସୀଙ୍କ ମଧ୍ୟରେ ବଞ୍ଚିଥିବା ଆଶା ଟିକକ ଏବେ ଶେଷନିଃଶ୍ବାସ ଗଣୁଛି। କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ଆଦେଶମତେ ବିଟିଏମ୍‌ ସୂତାକଳର ନିଲାମ ପାଇଁ ଗତ ୬ ତାରିଖରୁ ବିଜ୍ଞପ୍ତି ଜାରି ହେଲାଣି। ମଙ୍ଗଳବାର ଏଥିପାଇଁ କ୍ଷେତ୍ର ପରିଦର୍ଶନ ଥିବା ବେଳେ ୨୧ ତାରିଖ ସୁଦ୍ଧା ଇ-ବିଡ୍‌ ଦାଖଲ ହେବ। ଆସନ୍ତା ୨୪ ତାରିଖରେ ବିଟିଏମ୍‌ ସୂତାକଳ ନିଲାମ ହେବା ସହିତ ଝାରସୁଗୁଡ଼ା ଇତିହାସରୁ ଗୋଟିଏ ପୃଷ୍ଠା ସମ୍ପୂର୍ଣ୍ଣ ଲୋପ ପାଇଯିବ।

ଏହି ନିଲାମରେ ବିଟିଏମ୍‌ର ୮୮,୨୭୦ ବର୍ଗ ମିଟର ଜମି, କୋଠା, ପ୍ଲାଣ୍ଟ, ଯନ୍ତ୍ରାଂଶ ରହିଛି। ଏହି ମିଲ୍‌ ପାଇଁ ସଂରକ୍ଷିତ ଦର ୫୯ କୋଟି ୭୧ ଲକ୍ଷ ୩୬ ହଜାର ଟଙ୍କା ମଧ୍ୟ ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଏହି ମିଲ୍‌ ପାଇଁ ଲିକ୍ବିଡିଟର ବା ସମାପନ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ କର୍ମଚାରୀଙ୍କର ବକେୟା ପାଉଣା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି) ଗତବର୍ଷ ଜାନୁଆରି ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ନିଯୁକ୍ତ କରିଥିବା ସମାପନ ଅଧିକାରୀ କାର୍ଯ୍ୟରେ ଯୋଗ ନଦେବାରୁ ପୁଣି ଦ୍ବିତୀୟ ନିଯୁକ୍ତି ଆଦେଶ ବାହାରିଥିଲା। ପରେ ଉକ୍ତ ଆଦେଶ ବଦଳି ଅନ୍ୟ ଜଣେ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଉକ୍ତ ଲିକ୍ବିଡିଟର କାର୍ଯ୍ୟରେ ଯୋଗଦେବା ପରେ ବିଟିଏମ୍‌ ପକ୍ଷରୁ ରହିଥିବା ବକେୟା ଟଙ୍କାର ଆକଳନ କରାଯାଇ ଏହାର ନିଲାମ୍‌ ପାଇଁ ବିଜ୍ଞପ୍ତି ବାହାରିଥିବା ଜଣାପଡ଼ିଛି। ୧୯୬୪ ମସିହାରେ ଝାରସୁଗୁଡ଼ା ସହରରେ ସ୍ଥାପିତ ଏହି ଘରୋଇ ମିଲ୍‌ ଉତ୍ପାଦନ ଆରମ୍ଭ କରିଥିଲା। ୧୯୮୨ ମସିହା ଅକ୍ଟୋବର ୨ ତାରିଖରୁ ମିଲ୍‌ରେ କାର୍ଯ୍ୟ ବନ୍ଦ ହେବାସହ ୧୯୮୩ ଜାନୁଆରି ୧୦ ତାରିଖରେ ଉତ୍ପାଦନ ବନ୍ଦ ହୋଇଯାଇଥିଲା। କୋର୍ଟ ଏହି ଲକ୍‌ ଆଉଟ୍‌କୁ ବେଆଇନ୍‌ ଘୋଷିତ କରିବା ସହ ୨୧ ଦିନର ପାଉଣା କର୍ମଚାରୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ୧୯୮୫ ଯାଏ କମ୍ପାନି କର୍ତ୍ତୃପକ୍ଷ ମିଲ୍‌ ଖୋଲି ନ ଥିଲେ। କର୍ମଚାରୀଙ୍କର ବୃହତ୍‌ ସ୍ବାର୍ଥକୁ ଆଖି ଆଗରେ ରଖି ୧୯୮୫ ମସିହା ଅଗଷ୍ଟ ୧୩ ତାରିଖରେ ଏହାକୁ ରାଜ୍ୟ ସରକାର ଅଧିଗ୍ରହଣ କରି ଓଡ଼ିଶା ରାଜ୍ୟ ହସ୍ତତନ୍ତ ସମବାୟ ଲିମିଟେଡ୍‌ ଆରମ୍ଭ କରିଥିଲେ। ମିଲ୍‌ରେ ଆବଶ୍ୟକ ମରାମତି, ପରିବର୍ତ୍ତନ ପରେ ରାଜ୍ୟ ସରକାର ସେହି ବର୍ଷ ଅକ୍ଟୋବର ୨ ତାରିଖରୁ ମିଲ୍‌ରୁ ଉତ୍ପାଦନ ବି ଆରମ୍ଭ କରିଥିଲେ। କିନ୍ତୁ ‌ସେହିବର୍ଷ ବିଜୁଳି ବିଲ ବାବଦକୁ ଟଙ୍କା ନଦେବା କାରଣରୁ ମିଲ୍‌କୁ ବିଦ୍ୟୁତ୍‌ ସଂଯୋଗୀକରଣ ବନ୍ଦ ହୋଇଯାଇଥିଲା।

ଏହାପରେ ରାଜ୍ୟ ସରକାର ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ବୈଠକ କରି ୧୫ ଲକ୍ଷ ଟଙ୍କା ବିଜୁଳି ବିଲ୍‌ ବାବଦକୁ ଦେଲେ। ୧୯୯୪ ଏପ୍ରିଲ ଯାଏ ମିଲ୍‌ ଚାଲିବା ପରେ ପୁଣିଥରେ ବନ୍ଦ ହେଲା। ଏହାପରେ ରାଜ୍ୟ ସରକାର ୧ କୋଟି ୭୪ ଲକ୍ଷ ଟଙ୍କା ବିଭିନ୍ନ ପାଉଣା ବାବଦକୁ ଦେଇଥିଲେ। ତେବେ, ୧୯୯୫ଜୁଲାଇରୁ କମ୍ପାନି ପୁଣି ଉତ୍ପାଦନ ଆରମ୍ଭ କରିଥିଲେ ହେଁ ୧୯୯୭ ସେପ୍ଟେମ୍ବରରୁ ପୁଣି ବନ୍ଦ ହୋଇଗଲା। ଏହା ପରଠାରୁ ଆଉ ଦିନକ ପାଇଁ ବି ଖୋଲିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe