ମିଳିଲା ଭଗ୍ନ ସ୍ତୂପ, ବୁଦ୍ଧଙ୍କ ମୂର୍ତ୍ତି

Advertisment

ଝଡ଼ିଅମ୍ବାରେ ସରିଲା ଏଏସ୍‌ଆଇର ଉତ୍‌ଖନନ

ଝଡ଼ିଅମ୍ବାରେ ସରିଲା ଏଏସ୍‌ଆଇର ଉତ୍‌ଖନନ

ମିଳିଲା ଭଗ୍ନ ସ୍ତୂପ, ବୁଦ୍ଧଙ୍କ ମୂର୍ତ୍ତି

ଭୁବନେଶ୍ୱର : କେବଳ ଉପକୂଳ ନୁହେଁ, ଆଭ୍ୟନ୍ତରୀୟ ଓଡ଼ିଶାରେ ବି ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହୋଇଥିଲା। ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ପରି ଜିଲ୍ଲାରେ ବୌଦ୍ଧ ଧର୍ମାବଲମ୍ବୀ ବସବାସ କରୁଥିଲେ। ବୁଦ୍ଧଙ୍କ ମୂର୍ତ୍ତି ପୂଜାର୍ଚ୍ଚନା କରୁଥିଲେ। ଏଭଳି ତଥ୍ୟ ହାସଲ କରିଛି ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)ର ଉତ୍‌ଖନନ ଶାଖା-୪। ଦେଢ଼ ମାସ ଧରି ଅନୁଗୁଳ ଜିଲ୍ଲା ତାଳଚେର ନିକଟ ଝଡ଼ିଅମ୍ବା ଗ୍ରାମରେ ଉତ୍‌ଖନନ କରିବା ପରେ ଏଭଳି କୀର୍ତ୍ତିରାଜିର ସନ୍ଧାନ ମିଳିଛି।

ଗତ ନଭେମ୍ବର ୩ ତାରିଖରୁ ଏଏସ୍‌ଆଇର ଏକ ୧୪ ଜଣିଆ ପ୍ରତିନିଧିଦଳ ଝଡ଼ିଅମ୍ବା ଅଞ୍ଚଳରେ ଉତ୍‌ଖନନ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ୪୦ରୁ ଅଧିକ ଲୋକ ବି ସାମିଲ ହେବା ପରେ କାର୍ଯ୍ୟ ଆଗେଇ ଥିଲା। ଦେଢ଼ ମାସ ଧରି ଉତ୍‌ଖନନ କରିବା ପରେ ବୌଦ୍ଧ କୀର୍ତ୍ତିରାଜିର ସନ୍ଧାନ ପାଇଛନ୍ତି। ଦେଢ଼ ଫୁଟ୍‌ ଗଭିରକୁ ଖନନ କରିବା ପରେ ବୌଦ୍ଧ ସ୍ତୂପ ମିଳିଛି। ଅନେକ ବୁଦ୍ଧ ମୂର୍ତ୍ତି ମଧ୍ୟ ଭଗ୍ନ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। କେତେକ ମୂର୍ତ୍ତିରେ ବୁଦ୍ଧ ଧ୍ୟାନ କରୁଥିବାର ଦୃଶ୍ୟ ନଜରକୁ ଆସିଛି। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ ଅନୁଗୁଳ ଜିଲ୍ଲାରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ହୋଇଥିଲା। ସବୁଠାରୁ ବଡ଼ କଥା ହେଉଛି ଯେ ଏହି ଅଞ୍ଚଳରେ ସହରୀ ସଭ୍ୟତା ବି ଗଢ଼ି ଉଠିଥିଲା। ସହର ଢାଞ୍ଚାରେ ଏଠାରେ ବି ଲୋକେ ବସବାସ କରୁଥିଲେ ବୋଲି ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି।

ଉତ୍‌ଖନନ ଶାଖା-୪ର ସୁପରିଟେଣ୍ଡେଣ୍ଟ ଆର୍କୋଲୋଜିଷ୍ଟ ଡ. ଡି.ବି. ଗଡ଼ନାୟକ କହିଛନ୍ତି ଯେ ଉତ୍‌ଖନନ କାର୍ଯ୍ୟ ଶେଷ ହୋଇଛି। ଏହି ଅଞ୍ଚଳରେ ବୌଦ୍ଧ କୀର୍ତ୍ତିରାଜି ଥିଲା କି ନାହିଁ ତାହା ଉପରେ ଅନୁସନ୍ଧାନ କରାଯାଇଥିଲା। ଦେଢ଼ ଫୁଟ ଗଭୀର ପର୍ଯ୍ୟନ୍ତ ଖୋଳାଯିବା ପରେ ଚିତ୍ର ସ୍ପଷ୍ଟ ହୋଇଛି। ତେଣୁ ଏହା ଭିତରକୁ ଆଉ ଅଧିକ ଖୋଳାଯିବାର ନାହିଁ। ଯାଜପୁର, କଟକ, ଖୋର୍ଧା ଜିଲ୍ଲା ପରି ଆଭ୍ୟନ୍ତରୀଣ ଓଡ଼ିଶାର ଲୋକେ ବି ବୌଦ୍ଧ ଧର୍ମ ଉପରେ ବିଶ୍ୱାସ କରୁଥିଲେ। ବୁଦ୍ଧଙ୍କ ମୂର୍ତ୍ତି ପୂଜା କରୁଥିଲେ।

ସୂଚନାଯୋଗ୍ୟ ଯେ ଗତ ଜୁଲାଇ ମାସରେ ଏଏସ୍‌ଆଇର ପ୍ରତିନିଧିଦଳ ବ୍ରାହ୍ମଣୀ ନଦୀ କୂଳରେ ବୌଦ୍ଧ ଧର୍ମ ସମ୍ପର୍କିତ ବିଭିନ୍ନ ମୂର୍ତ୍ତି, ସ୍ତୂପ ସମେତ କୀର୍ତ୍ତିରାଜିର ସନ୍ଧାନ ପାଇଥିଲେ। ପ୍ରାରମ୍ଭିକ ଅନୁସନ୍ଧାନ ପରେ ଉତ୍‌ଖନନ ଲାଗି ଏଏସ୍‌ଆଇ ମହାନିର୍ଦେଶକଙ୍କଠାରୁ ଅନୁମତି ଲୋଡ଼ାଯାଇଥିଲା। ଅନୁମତି ମିଳିବା ପରେ ଖନନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe