ବଜେଟ ପ୍ରତିକ୍ରିୟା

Advertisment
ବଜେଟ ପ୍ରତିକ୍ରିୟା

Photo by : indianexpress.com

ସଫଳ ବଜେଟ୍‌

୨୦୧୮ ବଜେଟରେ ଏନ୍‌ଡିଏ ସରକାର ଲୋଭର ବଶବର୍ତ୍ତୀ ହୋଇ ଶସ୍ତା ଓ ମାଗଣା ବିଭିନ୍ନ ପଦାର୍ଥ ନ ବାଣ୍ଟିବା ଓ ଅର୍ଥନୀତିର ମୂଳ ଭିତ୍ତିକୁ ଦୃଢ଼ କରିବା ପାଇଁ ଚେଷ୍ଟା କରୁଥିବାରୁ ୨୦୧୮ ବଜେଟ୍‌ଟିକୁ ଏକ ସଫଳ ବଜେଟ୍‌ ବୋଲି କୁହାଯାଇପାରିବ । ସ୍ୱାସ୍ଥ୍ୟ ସେବା ଯୋଗାଇବା, ସମସ୍ତଙ୍କୁ ପକ୍କା ଓ ବିଦ୍ୟୁତ, ଶୌଚାଳୟ ଯୋଗାଇବା ଦେଶର ବାସ୍ତବ ଦାରିଦ୍ର୍ୟ ଦୂରୀକରଣ ପାଇଁ ପ୍ରଚେଷ୍ଟା କରୁଛନ୍ତି।
- ଐର ଖାରବେଳ ସ୍ୱାଇଁ, ଅଧ୍ୟକ୍ଷ, ଉତ୍କଳ ଭାରତ

କର୍ପୋରେଟ ସପକ୍ଷବାଦୀ ବଜେଟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଚଳିତ ବର୍ଷର ବଜେଟ ମହାକାଳ ଫଳ ସଦୃଶ। ଉପର ଦେଖିବାକୁ ସୁନ୍ଦର ଲାଗୁଥିଲେ ବି ଏଥିରେ ଗରିବଙ୍କୁ ହତାଦାର କରାଯାଇଛି। କୃଷକଙ୍କ ଆୟ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ଯେଉଁ ଆଶା ଦେଖାଇଛନ୍ତି ତାହା ପ୍ରବଞ୍ଚନା ଛଡ଼ା ଆଉ କିଛି ନୁହେଁ। କାରଣ ଧାନ କିମ୍ବା ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇନାହିଁ। କର୍ପୋରେଟ ହାଉସ୍‌ଗୁଡ଼ିକୁ ଟିକସ ଛାଡ଼ କରାଯାଇଥିବା ବେଳେ ଗରିବ ଓ ମଧ୍ୟବିତ୍ତଙ୍କୁ ଖାଲି ଆଶା ଦେଖାଯାଇଛି। କେନ୍ଦ୍ର ସରକାର ୯୦୦ ବିମାନ କିଣିବାକୁ ଯୋଜନା କରିଥିଲା ବେଳେ ନୂତନ ଟ୍ରେନ୍‌ ଚଳାଚଳ କରି କୋଟି କୋଟି ସାଧାରଣ ଯାତ୍ରୀଙ୍କ ସୁବିଧା କିଛି ବ୍ୟବସ୍ଥା କରି ନାହାନ୍ତି।
- ଦିବାକର ନାୟକ, ରାଜ୍ୟ ସମ୍ପାଦକ (ସିପିଆଇ)

ପ୍ରତିଶ୍ରୁତି ପାଳନର ଶେଷ ସୁଯୋଗକୁ ହାତଛଡ଼ା

ନିଜ ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାର ଶେଷ ସୁଯୋଗଟିକୁ ହାତଛଡା କରି ମୋଦି ସରକାର ଦେଶବାସୀଙ୍କୁ ପ୍ରତାରିତ କରିଥିବା କହିଛି ସିପିଏମ। ବଜେଟ କୃଷକମାନଙ୍କ ପାଇଁ ଧୂଆଁବାଣ ହୋଇଥିବା ବେଳେ ବେକାର ଯୁବକ ଯୁବତୀଙ୍କ ପାଇଁ ବିଶ୍ୱାସଘାତକତା ପରି ହୋଇଛି। ବର୍ଷକୁ ୨ କୋଟି କର୍ମନିଯୁକ୍ତି ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ସେହିପରି ପେଟ୍ରୋଲ ଓ ଡିଜେଲ ସମେତ ପେଟ୍ରୋଲିୟମ୍‌ ଦ୍ରବ୍ୟ ଉପରେ ଆଦାୟ କରାଯାଉଥିବା ଟିକସ୍‌ର ପରିମାଣ ଅପରିବର୍ତ୍ତିତ ରଖାଯାଇଛି। ଯାହା ସାଧାରଣ ଲୋକଙ୍କୁ ଲୁଣ୍ଠନ କରାଯିବାର ଏକ ମାଧ୍ୟମ ପାଲଟିଛି। ଚଳିତ ବର୍ଷର କେନ୍ଦ୍ର ବଜେଟ ସମ୍ପୂର୍ଣ୍ଣ ରୂପେ ଜନବିରୋଧୀ, ପ୍ରତାରଣାପୂର୍ଣ୍ଣ ଓ ରାଷ୍ଟ୍ର ନିୟନ୍ତ୍ରଣମୁକ୍ତ ନୂତନ ଉଦାରବାଦୀ ନୀତି ଉପରେ ଆଧାରିତ।
-ସନ୍ତୋଷ ଦାସ(ସିପିଆଇଏମ)

ଫମ୍ପା ବଜେଟ୍‌

ମୋଦି ସରକାର ଦେଶବାସୀଙ୍କୁ ହତାଶ କରିଛନ୍ତି। ଏହା ସମ୍ପୂର୍ଣ୍ଣ ଫମ୍ପା ବଜେଟ୍‌। ଏହି ବଜେଟ୍‌ର କୌଣସି ବାସ୍ତବତା ନାହିଁ।
- ରବି ବେହେରା, ରାଜ୍ୟ ସଭାପତି, ସମାଜବାଦୀ ପାର୍ଟି

ନିର୍ବାଚନୀ ସର୍ବସ୍ୱ ବଜେଟ୍‌

ଭୁବନେଶ୍ୱର : ସଂସଦରେ ଉପସ୍ଥାପିତ ଚଳିତ ବର୍ଷର କେନ୍ଦ୍ର ବଜେଟ ଭୋଟ ସର୍ବସ୍ୱ ପ୍ରମାଣିତ ହୋଇଛି। ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ବଜେଟ ଆଗତ କରି ବାଃବାଃ ନେଉଥିବା ମୋଦି ସରକାର କିନ୍ତୁ ପ୍ରକୃତପକ୍ଷେ ମଧ୍ୟମ ବର୍ଗ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ କିଛି ସୁବିଧା କରିନାହାଁନ୍ତି। ରୋଜଗାରଭିତ୍ତିକ ଅର୍ଥ ବ୍ୟବସ୍ଥା, କୃଷିର ବିକାଶ ଓ ଶ୍ରମିକମାନଙ୍କ କଲ୍ୟାଣ ଲାଗି ଆଖିଦୃଶିଆ ବ୍ୟବସ୍ଥା ନାହିଁ। ଇପିଏଫ ମାଲିକମାନଙ୍କ ରାଶି କମାଇ ଦିଆଯାଇଛି। ଏହି ବଜେଟ ଶୁଣିବାକୁ ତ ଖୁବ ଭଲ ଲାଗୁଛି ମାତ୍ର ଏହାର କୌଣସି ପ୍ରଭାବ ପଡିବନି। ତେବେ ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ଚଳିତ ବର୍ଷର କେନ୍ଦ୍ର ବଜେଟ ଏକ ବଡ ଧୋକା।
- ରାଧାକାନ୍ତ ସେଠୀ, ମହେନ୍ଦ୍ର ପରିଡା (ଏଆଇସିସିଟିୟୁ)

ସ୍କିମ୍‌ ଶ୍ରମିକ ସ୍ୱାର୍ଥ ବିରୋଧୀ ବଜେଟ୍‌

୨୦୧୮-୧୯ ବଜେଟ୍‌ରେ ସମନ୍ଵିତ ଶିଶୁ ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଓ ମଧ୍ୟାହ୍ନ ଭୋଜନ ବାବଦରେ ଆବଶ୍ୟକୀୟ ବ୍ୟୟବରାଦ କରାଯାଇନଥିବାରୁ ଏହା ଏକ ସ୍କିମ୍‌ ଶ୍ରମିକ ସ୍ୱାର୍ଥ ବିରୋଧୀ ବଜେଟ୍‌ ବୋଲି ଅଙ୍ଗନଓ୍ଵାଡି କର୍ମଚାରୀ ୟୁନିୟନ, ସଂଯୁକ୍ତ ମୋର୍ଚା ସମାଲୋଚନା କରିଛି।ଏହା ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଗଠନର ଆବାହକ ବିଜୟ ଜେନା, ସାଧାରଣ ସମ୍ପାଦକ ହରପ୍ରିୟା ସ୍ୱାଇଁ, ପ୍ରଶାନ୍ତ କୁମାର ପାଢ଼ୀ ପ୍ରମୁଖ କହିଛନ୍ତି।
- ସଂଯୁକ୍ତ ମୋର୍ଚା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe