ବଜେଟ୍‌ ୨୦୨୪: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ବଜେଟ୍‌ ୨୦୨୪: ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ବଜେଟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାକୁ ବିକାଶମୁଖୀ ଓ ଦୂରଦୃଷ୍ଟି ସମ୍ପନ୍ନ ବଜେଟ ବୋଲି ବର୍ଣ୍ଣନା କରି ସେ କହିଛନ୍ତି ଯେ ଏଥିରେ ଗରିବ, ମହିଳା, ଯୁବବର୍ଗ ଓ ଅନ୍ନଦାତାଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ବଜେଟରେ କୃଷି ଉତ୍ପାଦକତା, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।

କୃଷି କ୍ଷେତ୍ରକୁ ୨ଲକ୍ଷ ୫୨ ହଜାର କୋଟି, ମହିଳାଙ୍କ ଲାଗି ଉଦ୍ଦିଷ୍ଟ ଯୋଜନା ପାଇଁ ୩ଲକ୍ଷ କୋଟି ଟଙ୍କାର ଆବଣ୍ଟନ, ଚାଷୀ ଓ ମହିଳାଙ୍କ ସର୍ବାଙ୍ଗୀନ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି। ବଜେଟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଗାମୀ ୫ବର୍ଷରେ ୩କୋଟି ନୂତନ ଗୃହ ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟୟ ବରାଦ ବୃଦ୍ଧି କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ଜନସାଧାରଣ ବିଶେଷ ଉପକୃତ ହେବେ। ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ନାମରେ ଏକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହା ୫କୋଟି ଆଦିବାସୀଙ୍କୁ ଉପକୃତ କରୁଥିବା ୬୩ହଜାର ଗାଁକୁ ସାମିଲ କରାଯିବ। ଏହାଦ୍ୱାରା ଓଡ଼ିଶାର ଜନଜାତି ଭାଇ ଓ ଭଉଣୀମାନେ ବିଶେଷଭାବେ ଉପକୃତ ହେବେ। ସେହିପରି ଆସନ୍ତା ୫ବର୍ଷ ଭିତରେ ୪କୋଟି ୧୦ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ଦକ୍ଷତା ବିକାଶ ଓ ଅନ୍ୟାନ୍ୟ ସୁଯୋଗ ସୃଷ୍ଟି ପାଇଁ ୨ଲକ୍ଷ କୋଟିର ଖର୍ଚ୍ଚ ପାଇଁ ଯୋଜନା ହୋଇଛି। ଏହାଦ୍ୱାରା ଓଡ଼ିଶାର ଯୁବବର୍ଗ ବିଶେଷ ଭାବରେ ଲାଭବାନ ହେବେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ବଜେଟରେ ରାଜ୍ୟମାନଙ୍କୁ ପୁଞ୍ଜି ଖର୍ଚ୍ଚ ପାଇଁ ସହାୟତା ରାଶିକୁ୧ଲକ୍ଷ ୫୦ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ଓଡ଼ିଶାକୁ ପ୍ରାୟ ୧ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ମିଳିବ। ପ୍ରାକ୍‌ ବଜେଟ ଆଲୋଚନାରେ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କ ପାଖରେ ଏଥିପାଇଁ ଦାବି କରାଯାଇଥିଲା। ଏହି ଦାବି ଗ୍ରହଣ କରିଥିବାରୁ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ରାଜ୍ୟର ପର୍ଯ୍ୟଟନ ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ସ୍ୱତନ୍ତ୍ର ସହାୟତା ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ‘ପୂର୍ବୋଦୟ’ ଯୋଜନାରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ପୁଞ୍ଜି ନିବେଶ ଓ ଶିଳ୍ପ ବିକାଶରେ ସହାୟକ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe