ମିଲେଟ୍ ମିସନ୍‌ ପାଇଁ ବଜେଟ୍‌: ୭ ବର୍ଷରେ ବଢ଼ିଛି ୫୦ ଗୁଣା

Advertisment

ଅନ୍ତର୍ଜାତୀୟ ମିଲେଟ୍ ଦିବସ ପାଳନ ପାଇଁ ମିଳିଛି ୨୩ କୋଟି, ଆସନ୍ତା ବର୍ଷରୁ ସରଗମ, ବାଜରା ଚାଷ

ଅନ୍ତର୍ଜାତୀୟ ମିଲେଟ୍ ଦିବସ ପାଳନ ପାଇଁ ମିଳିଛି ୨୩ କୋଟି, ଆସନ୍ତା ବର୍ଷରୁ ସରଗମ, ବାଜରା ଚାଷ

ମିଲେଟ୍ ମିସନ୍‌ ପାଇଁ ବଜେଟ୍‌: ୭ ବର୍ଷରେ ବଢ଼ିଛି ୫୦ ଗୁଣା

curioski.com

ଭୁବନେଶ୍ବର : ରାଜ୍ୟରେ ମିଲେଟ୍‌ ମିସନ୍‌‌ର ବଜେଟ୍‌ ୭ବର୍ଷରେ ୫୦ ଗୁଣା ବୃଦ୍ଧି ପାଇଛି। ମିଲେଟ୍‌ ମିସନ୍‌ ଗଠନ ବର୍ଷ, ୨୦୧୭ରେ ଏଥିପାଇଁ ବଜେଟ୍ ୧୧.୪୧ କୋଟି ରହିଥିବା ବେଳେ ୨୦୨୩ରେ ତାହା ୫୭୯.୧୭ କୋଟି ଛୁଇଁଛି। ୨୦୧୮ ମସିହାରେ ଏହି ବଜେଟ୍ ୬୩.୧୯ କୋଟି, ୨୦୧୯ରେ ୯୮.୦୧ କୋଟି, ୨୦୨୦ରେ ୧୨୧.୮୫ କୋଟି, ୨୦୨୧ରେ ୨୧୧.୪୦ କୋଟି ଓ ୨୦୨୨ରେ ୩୬୧.୬୧ କୋଟି ରହିଥିଲା ବୋଲି ଓଡ଼ିଶା ମିଲେଟ୍ ମିସନ୍‌ ତଥା କୃଷି ବିଭାଗର ଯୁଗ୍ମନିର୍ଦ୍ଦେଶକ ଶୈଳେନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ୨୦୨୬-୨୭ ପର୍ଯ୍ୟନ୍ତ ମିଲେଟ୍ ବଜେଟ୍‌ ବର୍ତ୍ତମାନଠାରୁ ପ୍ରସ୍ତୁତ ହୋଇସାରିଛି। ଏହାବାଦ୍‌ ଅନ୍ତର୍ଜାତୀୟ ମିଲେଟ୍ ଦିବସ ଅବସରରେ ମିଲେଟ୍‌ର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ଏବଂ ୨୩ ମସିହାରେ ଅତିରିକ୍ତ ୨୩କୋଟି ଟଙ୍କା ଅନୁମୋଦିତ ରହିଛି। ଏଥିରେ ମିଲେଟ୍ ଗୀତ ପ୍ରସ୍ତୁତ ସହିତ ବିଭିନ୍ନ ପ୍ରକାର ମାର୍କେଟିଂ ପାଇଁ ଖର୍ଚ ହେଉଛି।

ମାଣ୍ଡିଆ, ସୁଆଁ, କାଙ୍ଗୁ, ଜହ୍ନା, ବାଜରା, କୋଦୋ, ଚିନ୍ନ ଏବଂ ଖିରା ଆଦି ପୁଷ୍ଟି ଶସ୍ୟକୁ ମିଲେଟ୍ କୁହାଯାଏ। ବିଶେଷଜ୍ଞଙ୍କ ସୂଚନାନୁସାରେ, ଭାରତରେ ସୁବଜ ବିପ୍ଳବ ହେବା ପରେ ଦକ୍ଷିଣ ଓଡ଼ିଶା ଏବଂ ପାହାଡ଼ିଆ ଅଞ୍ଚଳ ବ୍ୟତୀତ ଅନ୍ୟ ଜିଲ୍ଲାରେ ମିଲେଟ୍‌ର ଉତ୍ପାଦନ ପ୍ରାୟତଃ ବନ୍ଦ ହୋଇଯାଇଥିଲା। ଯେଉଁ କେତେକ ଅଞ୍ଚଳରେ ଜବାର, ବାଜରା ଓ ମାଣ୍ଡିଆ ହେଉଥିଲା, ୨୦୧୦ ମସିହା ବେଳକୁ ତାହା ପୂରାପୂରି ହ୍ରାସ ପାଇଗଲା। ତେବେ ୨୦୧୭ରେ ମିଲେଟ୍‌ ମିସନ୍‌ ଗଠନ ହେବା ପରେ ମିଲେଟ୍‌ ଉତ୍ପାଦନରେ ଢେର୍‌ ଉନ୍ନତି ଆସିଥିଲେ ହେଁ ୮୦ ଦଶକର ପରିମାଣ (ପ୍ରାୟ ୩ ଲକ୍ଷରୁ ଊର୍ଧ୍ବ ହେକ୍ଟର୍‌ ମାଣ୍ଡିଆ ଚାଷ)ର ଉପଲବ୍ଧିକୁ ରାଜ୍ୟ ଏପର୍ଯ୍ୟନ୍ତ ହାସଲ କରିପାରିନାହିଁ। ତେବେ ଖୁବ୍‌ଶୀଘ୍ର ଓଡ଼ିଶା ଏହି ମାଇଲ୍‌ ଖୁଣ୍ଟ ଅତିକ୍ରମ କରିବ ବୋଲି କୃଷି ବିଭାଗ ଆଶାବାଦୀ ରହିଛି।

publive-image Smart Food

ଅପରପକ୍ଷେ, ଚଳିତବର୍ଷ ପ୍ରଥମଥର ପାଇଁ ଦୁବାଇକୁ ମାଣ୍ଡିଆ ରପ୍ତାନି କରିବାରେ ଓଡ଼ିଶା ସଫଳତା ହାସଲ କରିଛି। ମିଲେଟ୍ ମିସନ୍‌ ଅନ୍ତର୍ଗତରେ ଚାଷ କାର୍ଯ୍ୟକ୍ରମ କାର୍ଯ୍ୟକାରୀ, ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ ଏବଂ ପିଡିଏସ୍‌ରେ ବିତରଣରେ ଖର୍ଚ୍ଚ ହୋଇଛି। ରାଜ୍ୟରେ ଆଜି ପର୍ଯ୍ୟନ୍ତ ମିଲେଟ୍ ମିସନ କେବଳ ମାଣ୍ଡିଆକୈନ୍ଦ୍ରିକ ହୋଇ ରହିଆସିଛି। ଅର୍ଥାତ୍‌ ସମୁଦାୟ ମିଲେଟ୍ ଚାଷର ୮୫ପ୍ରତିଶତ ମାଣ୍ଡିଆ, ୧୦ପ୍ରତିଶତ ସୁଆଁ ଏବଂ ବାକି ଅନ୍ୟପ୍ରକାର ଚାଷ କରାଯାଉଛି। ୨୦୨୨ ମସିହାର କୃଷି କାର୍ଯ୍ୟକ୍ରମରେ ୨ଲକ୍ଷ ୫ହଜାର ହେକ୍ଟର୍‌ ଜମିରେ ମାଣ୍ଡିଆ ଏବଂ ୪୫ ହଜାର ହେକ୍ଟର ଜମିରେ ସୁଆଁ ଚାଷ ହୋଇଥିଲା। ୨୦୨୧ ମସିହାରେ ୧୫ଟି ଜିଲ୍ଲାର ୮୪ ବ୍ଲକ୍‌ରେ ୧ଲକ୍ଷ ୮୩ ହଜାର ହେକ୍ଟର୍‌ ଚାଷ ହୋଇଥିଲା। ପ୍ରତିବର୍ଷ ଡିଟିସିସିଓଏଲ୍‌ ପକ୍ଷରୁ ମଣ୍ଡିରେ ଏମ୍‌ଏସ୍‌ପିରେ ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରାଯାଏ। ସୁଆଁର ଆର୍ଥିକ ମୂଲ୍ୟାୟନ ନେଇ ପ୍ରାଥମିକ ପର୍ଯ୍ୟାୟ ରିପୋର୍ଟ ଓୟୁଏଟି ପକ୍ଷରୁ ଦାଖଲ କରିଛି। ଏହା ରାଜ୍ୟ ସରକାରଙ୍କ ଅନୁମୋଦନର ଅପେକ୍ଷାରେ ରହିଛି। ଆସନ୍ତା ବର୍ଷରୁ ୩୫୦୦ ହେକ୍ଟର ଜମିରେ ବାଜରା ଏବଂ ୫ ହଜାର ହେକ୍ଟର ଜମିରେ ସରଗମ କରାଯିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

କୃଷି ବିଭାଗର ସୂଚନା ଅନୁସାରେ, ପୂର୍ବରୁ ୧୯ ଜିଲ୍ଲାରେ ମିଲେଟ୍ ମିସନ୍‌ କାର୍ଯ୍ୟକାରୀ ହେଉଥିଲା। ଚଳିତ ବର୍ଷ ଏହା ୩୦ ଜିଲ୍ଲାକୁ ବୃଦ୍ଧି ପାଇଛି। ମିଲେଟ୍ ମିସନ୍‌ର ୫୭୯କୋଟି ଟଙ୍କାର ବଜେଟ୍‌ ମୁଖ୍ୟତଃ ନୂତନ ଜିଲ୍ଲାରେ ଯୋଜନା କାର୍ଯ୍ୟକାରୀରେ ଖର୍ଚ୍ଚ ହେବ। ପ୍ରତ୍ୟେକ ନୂତନ ଜିଲ୍ଲାରେ ଅନ୍ୟୁନ ୨ଶହ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଉଛି। ଆସନ୍ତା ବର୍ଷରୁ ସରଗମ, ବାଜରା ଚାଷ ଏଥିରେ ଯୋଡ଼ି ହେବ। ହେକ୍ଟର୍‌ ପିଛା ଚାଷୀଙ୍କୁ ପ୍ରୋତ୍ସାହନ ରାଶି ସ୍ବରୂପ ୨୬ ହଜାର ୫୦୦ ଟଙ୍କା ଦିଆଯାଉଛି। ପ୍ରତି ବ୍ଲକ୍‌ରେ ୨ଲକ୍ଷ ଟଙ୍କାରେ ଗୋଟିଏ ବିହନ କେନ୍ଦ୍ର କରାଯାଉଛି। ତେଣୁ ମିଲେଟ୍ ମିସନ୍‌ରେ କାର୍ଯ୍ୟକାରୀ ହେଉଥିବା ଜିଲ୍ଲା ସଂଖ୍ୟା ବଢ଼ିଲେ ସେହି ଅନୁଯାୟୀ ଖର୍ଚ୍ଚ ବଢ଼ିବ ବୋଲି କୁହାଯାଇଛି।

publive-image

ବର୍ତ୍ତମାନ ମିଲେଟ୍ ମିସନ କାର୍ଯ୍ୟକାରୀ ୧୯ଜିଲ୍ଲାରେ ପିଡିଏସ୍‌ରେ ମାଣ୍ଡିଆ ବିତରଣ ହେଉଛି। ଆଗାମୀ ଦିନରେ ସବୁ ଜିଲ୍ଲାରେ ମିଲେଟ୍‌ ଉତ୍ପାଦିତ ହେଲେ ୩୦ଟି ଜିଲ୍ଲାରେ ପିଡିଏସ୍‌ରେ ସ୍ଥାନୀୟ ଅଧିବାସୀ ମାଣ୍ଡିଆ ପାଇପାରିବେ। ମିଲେଟ୍ ମିସନ୍‌ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟରେ ୱାସନ୍‌ ଏବଂ ଜିଲ୍ଲା, ବ୍ଲକ୍‌ସ୍ତରରେ ଅନେକ ସାମାଜିକ ସଙ୍ଗଠନ କୃଷି ବିଭାଗ ସହ ଯୋଡ଼ି ହୋଇଛନ୍ତି। ସାମାଜିକ ସଙ୍ଗଠନଗୁଡ଼ିକୁ ଦିଆଯାଉଥିବା ଅନୁଦାନରେ ମଧ୍ୟ ଲକ୍ଷାଧିକ ଖର୍ଚ୍ଚ ହେଉଛି। ମିଲେଟ୍ ପାଇଁ ସରକାର ଯେତେ ଖର୍ଚ୍ଚ କରୁଛନ୍ତି, ଏହି ପୁଷ୍ଟିକର ଶସ୍ୟ ଖାଦ୍ୟ ସବୁ ବର୍ଗ ନିର୍ବିଶେଷରେ ଲୋକଙ୍କ ରୋଷେଇ ଘରଠାରୁ ହୋଟେଲ, ପାର୍ଟିରେ ନ ପହଞ୍ଚିଲେ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe