ଫେବ୍ରୁଆରି ତୃତୀୟ ସପ୍ତାହରେ ବଜେଟ୍‌!

Advertisment
ବଢ଼ିବ ବଜେଟ୍‌ ନିଅଣ୍ଟ, ସତର୍କ କଲେ ଅଧିକାରୀ

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ହେବା ପରେ ଆସନ୍ତା ଫେବ୍ରୁଆରି ମାସ ୩ୟ ସପ୍ତାହରେ ରାଜ୍ୟ ବଜେଟ୍‌ ଉପସ୍ଥାପନ ହୋଇପାରେ। ଆଜି ସଚିବସ୍ତରୀୟ ବୈଠକରେ ମୁଖ୍ୟଶାସନ ସଚିବ ଏପରି ସୂଚନା ଦେଇଛନ୍ତି। କେବଳ ସେତିକି ନୁହେଁ, ଆସନ୍ତା ଏପ୍ରିଲ ୧୫ ତାରିଖ ସୁଦ୍ଧା ପଞ୍ଚଦଶ ଅର୍ଥ କମିସନଙ୍କୁ ତଥ୍ୟ ପ୍ରଦାନ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ସରକାରଙ୍କ ୪୩ ବିଷୟ, ୨୪ଟି ସିଡ୍ୟୁଲ୍‌, ୭ଟି ସ୍ୱୟଂଶାସିତ କାର୍ଯ୍ୟକ୍ଷେତ୍ର ଉପରେ କମିସନଙ୍କୁ ତଥ୍ୟ ଓ ସୂଚନା ଦିଆଯିବ। ଏହାବ୍ୟତୀତ, ନିୟମିତ ରୂପେ ବିଭାଗୀୟ ପଦୋନ୍ନତି (ଡିପିସି) ଆୟୋଜନ କରିବା ସହ ନିଲମ୍ବନ ମାମଲାଗୁଡ଼ିକର ସମୀକ୍ଷା କରିବାକୁ ଆଜି ସଚିବମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଅନ୍ୟପକ୍ଷରେ ୨୦୧୭ ଡିସେମ୍ବର ସୁଦ୍ଧା ରାଜସ୍ୱ ଆଦାୟ ଅଭିବୃଦ୍ଧି ୨୩.୩୩ ପ୍ରତିଶତ ହୋଇଥିବା ବେଳେ ଏହି ସମୟ ସୁଦ୍ଧା ଖର୍ଚ୍ଚ ବି ୫.୫୨ ପ୍ରତିଶତ ବଢ଼ିଛି। ୨୦୧୬ ଡିସେମ୍ବର ମାସ ତୁଳନାରେ ଏହି ଅଭିବୃଦ୍ଧି ସାଧିତ ହୋଇଛି।

ଏପ୍ରିଲ ୧୫ ସୁଦ୍ଧା ଅର୍ଥ କମିସନଙ୍କୁ ତଥ୍ୟ ପ୍ରଦାନ ହେବ
୯ମାସରେ ରାଜସ୍ୱ ସଂଗ୍ରହ ୨୩% ବୃଦ୍ଧି, ଖର୍ଚ୍ଚର୍ ବି ବଢ଼ିଛି

ସୂଚନା ମୁତାବକ ୨୦୧୭-୧୮ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ନିଜସ୍ୱ ଟିକସ ସୂତ୍ରରୁ ୧୯ ହଜାର ୭୨୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଛି। ସେହିପରି ଅଣଟିକସ ସୂତ୍ରରୁ ରାଜସ୍ୱ ସଂଗ୍ରହ ହୋଇଛି ୫ ହଜାର ୨୯୧ କୋଟି। ଗତ ଆର୍ଥିକ ବର୍ଷରେ ଏହି ସମୟରେ ନିଜସ୍ୱ ଟିକସ ସୂତ୍ରରୁ ୧୫ ହଜାର ୨୩୯ କୋଟି, ଅଣଟିକସ ସୂତ୍ରରୁ ୫ ହଜାର ୪୨ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ ହୋଇଥିଲା। ଚଳିତ ଆର୍ଥିକ ବର୍ଷରେ ଉଭୟ ଟିକସ ଏବଂ ଅଣଟିକସ ସୂତ୍ରରୁ ୨୫ ହଜାର ୧୩ କୋଟିର ରାଜସ୍ୱ ସଂଗ୍ରହ ହୋଇଥିଲା ବେଳେ ଗତବର୍ଷ ଆଦାୟ ହୋଇଥିଲା ୨୦ ହଜାର ୨୮୨ କୋଟି। ମୋଟ ଅର୍ଥ ବ୍ୟୟ ବା ଖର୍ଚ୍ଚ ହିସାବକୁ ନେଲେ ଗତ ଆର୍ଥିକ ବର୍ଷରେ ୫୬ ହଜାର ୪୫୬ କୋଟି ଟଙ୍କା ଖର୍ଚ୍ଚର୍ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ଏହି ସଂଖ୍ୟା ୫୯ ହଜାର ୫୭୨ କୋଟି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶ୍ରମ ଓ ଇଏସ୍‌ଆଇ. ପଞ୍ଚାୟତିରାଜ, ମହିଳା ଓ ଶିଶୁବିକାଶ, ଉଚ୍ଚଶିକ୍ଷା, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ନିରାପତ୍ତା ଭଳି ବିଭାଗଗୁଡ଼ିକ ମାଧ୍ୟମରେ ସାମାଜିକ କ୍ଷେତ୍ରରେ ୨୪୯୬୫ କୋଟି ଖର୍ଚ୍ଚ ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଖର୍ଚ୍ଚ ହୋଇଛି ୮୮୨୧ କୋଟି।
ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷତା କରି ବଜେଟ୍‌ ଏବଂ ଅଣବଜେଟ୍‌ ସମ୍ବଳ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ସହିତ ଉପଲବ୍ଧ ସମ୍ବଳର ସୁବିନିଯୋଗ ଉପରେ ଗୁରୁତ୍ୱ ଦେବାକୁ ସଚିବମାନଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ କୃଷି ଉତ୍ପାଦନ କମିସନର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବ, ସ୍ୱତନ୍ତ୍ର ସଚିବମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe