ରେବଣା ଜଙ୍ଗଲରେ ବାଘ ଆତଙ୍କ: ପୁଣି ମଇଁଷି ଶିକାର କଲା ମହାବଳ

ରେବଣା ଜଙ୍ଗଲରେ ବାଘ ଆତଙ୍କ: ପୁଣି ମଇଁଷି ଶିକାର କଲା ମହାବଳ

Image Courtesy of India Today

ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମ ନିକଟ ରେବଣା ସଂରକ୍ଷିତ ଜଙ୍ଗଲରେ ପୁଣି ମହାବଳ ବାଘ ଆତଙ୍କ ଖେଳାଇଛି। ଗତ କିଛିଦିନ ଧରି ମଇଁଷି ମାରୁଥିବା ମହାବଳଟି ପୁଣି ଏକ ମଇଁଷି ଶିକାର କରିଛି। ଗତ ୩ ତାରିଖ ରାତିରେ ମହାବଳ ବାଘ ଆକ୍ରମଣରେ କହ୍ନେଇଗୋଳା ଗ୍ରାମର ଅଭିମନ୍ୟୁ ଖମଣିଆଙ୍କର ଏକ ମଇଁଷିର ମୃତ୍ୟୁ ହୋଇଥିଲା। ବୁଲାରି ମହକୁଡ଼ଙ୍କ ଏକ ମଇଁଷି ଗଭୀର ଭାବେ କ୍ଷତାକ୍ତ ହୋଇଛି।
ଗତ ଦୁଇମାସ ଭିତରେ ମହାବଳଟି ରେବଣା ସଂରକ୍ଷିତ ଜଙ୍ଗଲର ବଡ଼ଝାର, ସାନଜେମେଇଁ, ବଡ଼ଜେମେଇଁ, ନୋଲ, ବାଉଁରୁ, କହ୍ନେଇଗୋଳା ଗ୍ରାମ ନିକଟରୁ ୯ ଟି ମଇଁଷି ମାରିଥିବା ଖବର ରହିଛି। ଏହି ଜଙ୍ଗଲରେ ମହାବଳ ବାଘଟି ବୁଲୁଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।

ଏ ସଂପର୍କରେ ଆନନ୍ଦପୁର ବନଖଣ୍ଡର ଏସିଏଫ୍‌ ଉମାକାନ୍ତ ଦାସଙ୍କୁ ପଚାରିବାରୁ କହିଥିଲେ, ମହାବଳ ବାଘଟି ଅନ୍ୟ ଜଙ୍ଗଲରୁ ରେବଣା ସଂରକ୍ଷିତ ଜଙ୍ଗଲକୁ ଚାଲିଆସିଛି। ଏହି ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘଟି ଖାଦ୍ୟ ପାଉଥିବାରୁ ସେ ଆଉ ଫେରୁନାହିଁ। ତେଣୁ ମଇଁଷି ଓ ଅନ୍ୟ ଗୃହପାଳିତ ପ୍ରାଣୀଙ୍କୁ ଜଙ୍ଗଲକୁ ନଛାଡ଼ିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଉଛି। ଏହାସତ୍ତ୍ୱେ ଚାଷୀମାନେ ସେମାନଙ୍କ ଗୃହପାଳିତ ପ୍ରାଣୀକୁ ଜଙ୍ଗଲକୁ ଖୋଲା ଛାଡ଼ି ଦେଉଛନ୍ତି। ଜଙ୍ଗଲରେ ଖାଦ୍ୟ ନମିଳିଲେ ମହାବଳ ବାଘଟି ରେବଣା ସଂରକ୍ଷିତ ଜଙ୍ଗଲ ଛାଡ଼ି ଅନ୍ୟଆଡ଼େ ଚାଲିଯିବ ବୋଲି ସେ ସୂଚନା ଦେଇଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ ୭ ଦିନ ମଧ୍ୟରେ ସରକାରୀ ସହାୟତା ଯୋଗାଇ ଦିଆଯାଉଛି ବୋଲି ଏସିଏଫ ଶ୍ରୀ ଦାସ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe