ବିଲ୍‌ଡରଙ୍କୁ ପିଟିପିଟି ମାରିଦେଲେ: କାଜୁ ଜଙ୍ଗଲରୁ ମିଳିଲା ମୃତଦେହ, ୩ ସନ୍ଦିଗ୍ଧ ଅଟକ

ଏୟାର୍‌ଫିଲ୍‌ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ମୃତକ ହେଲେ ଭୁବନେଶ୍ବର ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଜଣାଶୁଣା ବିଲ୍‌ଡର ସସ୍ମିତ ବିଶ୍ବାଳ ଓରଫ ଚିନୁ (୪୨)।

frshfsfhf

ଭୁବନେଶ୍ବର: ଏୟାର୍‌ଫିଲ୍‌ଡ ଥାନା ଅନ୍ତର୍ଗତ ଜାମୁକୋଳି କାଜୁ ଜଙ୍ଗଲରେ ଜଣେ ଯୁବକଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ସଂଘବଦ୍ଧ ଆକ୍ରମଣର ଶିକାର ହୋଇଥିବା ମୃତକ ହେଲେ ଭୁବନେଶ୍ବର ୟୁନିଟ୍‌-୬ ଅଞ୍ଚଳରେ ରହୁଥିବା ଜଣାଶୁଣା ବିଲ୍‌ଡର ସସ୍ମିତ ବିଶ୍ବାଳ ଓରଫ ଚିନୁ (୪୨)। ତାଙ୍କୁ ଦୁର୍ବୃତ୍ତମାନେ ରଡ୍‌ ଓ ଲାଠିରେ ପିଟିପିଟି ହତ୍ୟା କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ସ୍ପଷ୍ଟ ହୋଇଛି। ଏୟାର୍‌ଫିଲ୍‌ଡ ଥାନା ପୁଲିସ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଛି। ଏହି ହତ୍ୟା ଘଟଣାରେ ସ୍ଥାନୀୟ ପ୍ରଧାନସାହି ଅଞ୍ଚଳର କିଛି ଯୁବକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଜମିବାଡ଼ି କିଣାବିକା ଓ ଦଖଲ ନେବା ଭଳି ସମସ୍ୟାକୁ ନେଇ ଚିନୁଙ୍କ ସହ କିଛି ଯୁବକଙ୍କ ବିବାଦ ଲାଗି ରହିଥିଲା ଏବଂ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା। ତେଣୁ ସେହି ଯୁବକମାନେ ଯୋଜନାବଦ୍ଧ ଭାବେ ତାଙ୍କୁ କାଜୁ ଜଙ୍ଗଲକୁ ଡାକି ନେଇ ହତ୍ୟା କରିଥିବା ଆଲୋଚନା ଜୋର୍‌ ଧରିଛି। ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ପୁଲିସ ୩ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ଏବଂ ଅନ୍ୟ ୪ଜଣ ଫେରାର ଥିବା ଜଣାପଡ଼ିଛି। ଏକଦା ଜମିବାଡ଼ି କାରବାରରେ ଚିନୁଙ୍କ ପାର୍ଟନର୍‌ ଥିବା ପ୍ରଧାନସାହିର ଟୁଲୁ ମହାନ୍ତି ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ବୋଲି ପୁଲିସ ସନ୍ଦେହ କରିଛି।

ପରିବାର ସୂତ୍ରରୁ ମିଳିଥିବା ସୂଚନାନୁସାରେ ଆଜି ସକାଳେ ଚିନୁ ନିଜ ସ୍କୁଟି ଯୋଗେ ଜାମୁକୋଳି ଯାଇଥିଲେ। ସେଠାରେ ଥିବା ନିଜ ଜମି ପାଖକୁ ଯାଉଥିବା କହି ସେ ଘରୁ ବାହାରି ଯାଇଥିଳେ। କିନ୍ତୁ ସବୁଦିନ ଭଳି ଦିପହରେ ଖାଇବା ପାଇଁ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍‌ କରିଥିଲେ। ମାତ୍ର ଚିନୁ ଫୋନ ଉଠାଇ ନଥିଲେ କି ପରେ କଲ୍‌ ବ୍ୟାକ୍‌ କରି ନଥିଲେ। ସେହିଭଳି ତାଙ୍କର ନିକଟତମ ସାଙ୍ଗମାନେ ବି କେହି କିଛି କହିପାରି ନଥିଲେ। ଏମିତିରେ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରୁଥିଲେ। ସେପଟେ ଅପରାହ୍ଣ ପାଖାପାଖି ସାଢ଼େ ୪ଟା ବେଳେ ଜାମୁକୋଳିର କିଛି ପିଲା ଖେଳପଡ଼ିଆ ପଛପଟ କାଜୁ ଜଙ୍ଗଲକୁ ଯାଇଥିବା ବେଳେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିଥିଲେ। ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା ଏବଂ ଗୋଡ଼ରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଥିଲା। ମୁହଁମାଡ଼ି ହୋଇ ପଡ଼ି ରହିଥିବା ମୃତକଙ୍କ ପାଖରେ ତାଙ୍କ ଚପଲ ଓ ପାଣି ବୋତଲ ପଡ଼ିଥିଲା। କାଜୁ ଜଙ୍ଗଲରେ ହତ୍ୟାକାଣ୍ଡ ଘଟିଛି ବୋଲି ଖବର ବିଜୁଳି ବେଗରେ ଖେଳିଯାଇଥିଲା। ଖବର ପାଇ ଏୟାର୍‌ଫିଲ୍‌ଡ ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲା। ଘଟଣାସ୍ଥଳ ଯାଞ୍ଚ ବେଳେ ପୁଲିସ ସେଠାରୁ ମୋବାଇଲ୍‌ ଓ କିଛି ଦୂରରୁ ସ୍କୁଟି ପାଇଥିଲା। ମୋବାଇଲରୁ ଚିନୁଙ୍କ ପରିଚୟ ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ଚିନୁଙ୍କୁ ହତ୍ୟା କରିଥିବା ବ୍ୟକ୍ତିମାନଙ୍କ ନାଁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। 

ଦୀର୍ଘ କାଳ ଧରି ଚିନୁ ଏହି ଅଞ୍ଚଳରେ ଜମି ବ୍ୟବସାୟ କରୁଥିଲେ। ପ୍ରଧାନସାହି ଓ ଜାମୁକୋଳିରେ ପ୍ଲଟିଂ ବ୍ୟବସାୟକୁ ନେଇ କିଛି ସ୍ଥାନୀୟ ଲୋକଙ୍କ ସହ ତାଙ୍କର ବିବାଦ ଲାଗି ରହିଥିଲା। ଏକଦା ସେମାନେ ଚିନୁଙ୍କୁ ଆକ୍ରମଣ କରି ଗିରଫ ହୋଇଥିଲେ। ଜାମିନରେ ଆସିବା ପରେ ପୁଣି ସେମାନେ ଚିନୁଙ୍କୁ ଧମକ ଦେଇଥିଲେ। ୨ଦିନ ପୂର୍ବେ ସେମାନେ ଚିନୁଙ୍କୁ ଖୋଲାଖୋଲି ଧମକ ଦେଇଥିଲେ। ସ୍ଥାନୀୟ ଲୋକଙ୍କ ଚର୍ଚ୍ଚା ଅନୁସାରେ ଆଜି ପୂର୍ବାହ୍ଣ ପାଖାପାଖି ସାଢ଼େ ୧୧ଟାରେ ଚିନୁଙ୍କୁ ସେମାନେ ତାଙ୍କ ପ୍ଲଟ୍‌ ନିକଟରୁ ଜାମୁକୋଳି କାଜୁ ଜଙ୍ଗଲକୁ ଉଠାଇ ନେଇଥିଲେ। ସେଠାରେ ତାଙ୍କୁ ଲାଠି, ରଡ୍‌ ଓ ଶାବଳରେ ନିସ୍ତୁକ ପିଟିଥିଲେ। ପ୍ରବଳ ମାଡ଼ରେ ହିଁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe