ପୋତି ହୋଇଗଲା ବ୍ରିଟିସ ଅମଳର ପାୱାର୍‌ହାଉସ୍‌ ପୋଖରୀ: ବିଦ୍ୟୁତ୍‌ ଉତ୍ପାଦନ ସହ ପାଣି ଯୋଗାଉଥିଲା

ପୋତି ହୋଇଗଲା ବ୍ରିଟିସ ଅମଳର ପାୱାର୍‌ହାଉସ୍‌ ପୋଖରୀ: ବିଦ୍ୟୁତ୍‌ ଉତ୍ପାଦନ ସହ ପାଣି ଯୋଗାଉଥିଲା

କେନ୍ଦୁଝର: କେନ୍ଦୁଝର ସହରରେ ଥିବା ଅନେକ ପୋଖରୀ ମଧ୍ୟରୁ ‌ପାୱାର ହାଉସ୍‌ ପୋଖରୀ ବା କେଲିଟ୍ୟାଙ୍କର ସ୍ବତନ୍ତ୍ରତା ରହିଥିଲା। ଦିନେ କେନ୍ଦୁଝର ସହରକୁ ପାନୀୟଜଳ ଯୋଗାଉଥିବା ଏହି ପୋଖରୀ‌ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି।
ବ୍ରିଟିସ ଶାସନ ସମୟରେ କେନ୍ଦୁଝରଗଡ଼ ରାଜ୍ୟର ସୁପରିଣ୍ଟେଣ୍ଡେଣ୍ଟ ଦ‌ାୟିତ୍ବରେ ଥିଲେ କେଲି ସାହେବ। ତାଙ୍କ ସମୟରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିଲା। ସେଥିରୁ କେଲି ଟ୍ୟାଙ୍କ ବା ବର୍ତ୍ତମାନର ପ‌ାୱାର୍‌ ହାଉସ୍‌ ପୋଖରୀ ଅନ୍ୟତମ। ସେତେବେଳେ କେନ୍ଦୁଝରଗଡ଼ରେ ବିଦ୍ୟୁତ୍‌ ନଥିଲା କି ବିଶୁଦ୍ଧ ପାନୀୟଜଳ ବ୍ୟବସ୍ଥା ନ ଥିଲା। କେଲି ସାହେବଙ୍କ ନେତୃତ୍ବରେ ମୋଚିବନ୍ଧଠାରେ ଏକ ବୃହତ୍‌ ପୋଖରୀ ଖୋଳା ହୋଇଥିଲା। ଏହି ପୋଖରୀ ମଝିରେ ଏକ କୂଅ ଖୋଳାଯାଇ ସହରବାସୀଙ୍କୁ ପିଇବା ପାଣି ଯୋଗାଇ ଦିଆଯାଉଥିଲା। ଉକ୍ତ କୂଅ ଭିତରେ ବିଭିନ୍ନ ଯନ୍ତ୍ରାଂଶ ଲଗାଯାଇ ବିଜୁଳି ଉତ୍ପାଦନ କରାଯାଇଥିଲା। ରାଜାଙ୍କ ଦରବାର ହଲ୍‌କୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ସହ ସହରରେ କାଠଖୁଣ୍ଟ ପୋତି ବିଜୁଳିବତି ଲଗାଯାଇଥିଲା। ସେହି ସମୟ‌ରେ କେଲି ସାହେବ ଲଣ୍ଡନରୁ ଲାଟ୍‌ ଓ ପଙ୍ଖା ଆଣି ଲଗାଇଥିଲେ। ସେ‌ତେବେଳେ ଏହି ପୋଖରୀକୁ କେଲି ଟ୍ୟାଙ୍କ ବୋଲି କହୁଥିଲେ। ପରବର୍ତ୍ତୀ ସମୟରେ ଏହା ପାୱାର୍‌ ହାଉସ୍‌ ପୋଖରୀ ନାମରେ ପରିଚୟ ହାସଲ କରିଥିଲା।

ଦିନେ ସହରକୁ ପାନୀୟଜଳ ଯୋଗାଉଥିବା ଏହି ପୋଖରୀ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଏଠାରେ ବିଦ୍ୟୁତ୍‌ ଉତ୍ପାଦନ ହେଉଥିବା କୂଅରେ ଆଉ ଯନ୍ତ୍ରାଂଶ ନାହିଁ।‌ ପଙ୍କ ଓ ଦଳରେ ଭର୍ତ୍ତି ହୋଇ ପୋଖରୀ ପୋତି ହେବାକୁ ବସିଲାଣି। କିଛିବର୍ଷ ତଳେ ତତ୍କାଳୀନ ଜିଲ୍ଲାପାଳ ଏନ୍‌. ତିରୁମାଲା ନାୟକଙ୍କ ସମୟରେ ଏହି ପୋଖରୀରୁ ପଙ୍କ ଉଦ୍ଧାର ଓ ସଫେଇ ପାଇଁ ୩୧ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଥିଲା। ଏହାପରେ ପୁଣି ପୋଖରୀଟି ପୂର୍ବାବସ୍ଥାକୁ ଫେରି ଆସିଥିଲା। ଏହି ଐତିହ୍ୟସଂପନ୍ନ ପୋଖରୀକୁ ଯେଭଳି ସୁରକ୍ଷା ଦିଆଯିବା କଥା ତାହା ହୋଇପାରୁ ନହିଁ। ସହର ଚାରିପାଖରେ ପୌରପାଳିକା ଭେଣ୍ଡିଂ ଜୋନ୍‌ କରିଦେବାରୁ ପୋଖରୀଟି ଆଉ ଦେଖାଯାଉ ନହିଁ। ଦୋକାନର ଆବର୍ଜନା ଏହି ପୋଖରୀରେ ପଡ଼ୁଛି। ଫଳରେ ଏହାର ପାଣି ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ।
ଏ ସମ୍ପର୍କରେ ଗବେଷକ ନରଞ୍ଜନ ବାରିକ କହିଛନ୍ତି, କେନ୍ଦୁଝରଗଡ଼ର ଇତିହାସ ସହ ଏହି ପୋଖରୀର ଅନେକ ସଂପର୍କ ରହିଛି। କେନ୍ଦୁଝରଗଡ଼କୁ ପ୍ରଥମ ବିଜୁଳି ସ୍ବପ୍ନ ଦେଖାଇଥିବା ଏହି ପୋଖରୀର ସୁରକ୍ଷା ନିହାତି ଆବଶ୍ୟକ। ଏ ଦିଗରେ ପ୍ରଶାସନ ପଦ‌କ୍ଷେପ ନେଉ ବୋଲି ‌ଶ୍ରୀ ବାରିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe