ପୁଣି ତପ୍ତପାଣି ଘାଟିରେ ବଡ଼ ଅଘଟଣ ଟଳିଲା : ଗାର୍ଡ଼ୱାଲ୍‌ ଧସି ୨୫ ଫୁଟ ଉଚ୍ଚରେ ଝୁଲିଲା ବସ୍, ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ, ୫ ଆହତ

ପୁଣି ତପ୍ତପାଣି ଘାଟିରେ ବଡ଼ ଅଘଟଣ ଟଳିଲା : ଗାର୍ଡ଼ୱାଲ୍‌ ଧସି ୨୫ ଫୁଟ ଉଚ୍ଚରେ ଝୁଲିଲା ବସ୍, ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ, ୫ ଆହତ

ପାଟପୁର : ସୂତାଖିଅରେ କେଇସେକେଣ୍ଡ ଝୁଲିଲା ୫୦ ଜୀବନ। ତପ୍ତପାଣି ଘାଟିରେ ଲଟକି ରହିଥିଲା ବସ୍। ମୃତ୍ୟୁ ଦ୍ବାରରେ ଥିଲେ ୫୦ରୁ ଅଧିକ ଯାତ୍ରୀ। ଗାର୍ଡ଼ୱାଲ୍‌ ଧସି ବସ୍‌ର ଆଗଚକ ଓ ବଡ଼ିର ଅଧା ବାହାରକୁ ଝୁଲି ରହିଥିଲା। ଆଉ ବସ୍ ଭିତରେ ଫସିଥିବା ଯାତ୍ରୀଙ୍କ ହୃତ୍‌ସ୍ପନ୍ଦନ କିଛି ସମୟ ଅଟକିଗଲା। କାରଣ ମାତ୍ର ୨୦ ଦିନ ତଳେ(ଜାନୁଆରି ୨୯ ତାରିଖ) ସେହି ଘାଟିରେ ଛାତିଥରା ଦୁର୍ଘଟଣାରେ ବସ୍‌ ୩୦ ଫୁଟ ତାଳକୁ ଖସି ୮ ଯାତ୍ରୀଙ୍କ ଜୀବନ ଯାଇଥିଲା। ସେ ଘଟଣା ସମସ୍ତଙ୍କ ଆଖି ଆଗରେ ନାଚି ଉଠୁଥିଲା। ହେଲେ ସ୍ଥାନୀୟ ଲୋକ ଠିକଣା ସମୟ‌ରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ପଛ ପ୍ରବେଶ ଦ୍ବାରପଟୁ ଅତି ସତର୍କତାର ସହ ଉଦ୍ଧାର କରିଥିଲେ। ଆଉ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥିଲା। ତେବେ ଏଥିରେ ୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାରୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେମାନଙ୍କ ଚିକିତ୍ସା କରାଯାଇଛି। ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ମିଳିଥିବା ସୂଚନାନୁସାରେ, ଆଜି ସକାଳ ୯ଟାରେ ଗଜପତି ଜିଲ୍ଲା କଇଁପୁରରୁ ବ୍ରହ୍ମପୁର ଅଭିମୁଖେ ବସ୍‌ଟି ଆସୁଥିଲା। ଏହି ସମୟରେ ତପ୍ତପାଣି ଘାଟିର ଖେମୁଣ୍ଡିଖୋଲ ବ୍ରିଜ୍ ପାଖରେ ସଂକୀର୍ଣ୍ଣ ଅଣଓସାରିଆ ରାସ୍ତାରେ ବିପରୀତ ପଟୁ ଏକ ଟ୍ରକ୍ ଆସୁଥିବାର ଦେଖି ଡ୍ରାଇଭର୍ ଆସନ୍ନ ଦୁର୍ଘଟଣାକୁ ଏଡ଼ାଇବାକୁ ବସ୍‌ଟିକୁ ନେଇ ଗାର୍ଡ଼ୱାଲ୍‌ରେ ପିଟି ଦେଇଥିଲେ। ବସ୍‌ର ଆଗଚକ ଫାଟି ସେଠାରେ ଲଟକି ରହିଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ପହଞ୍ଚି ସେମାନଙ୍କୁ ସାହସ ଦେବା ସହ ପଛପଟ କବାଟ ଦେଇ ଉଦ୍ଧାର କରିଥିଲେ। ଏଥିପାଇଁ ସ୍ଥାନୀୟ ଲୋକଙ୍କୁ ଯାତ୍ରୀମାନେ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe