ବାଂଶପାଳ: ଅମାନୁଷିକତାର ସୀମା ଟପିଗଲେ ବସ୍ କର୍ମଚାରୀ। ପ୍ରଥମେ ଗାଡ଼ି ଚଢ଼ାଇ ଜୀବନ ନେଲେ, ପରେ ଗାଡ଼ି ପଛରେ ମଲା କୁକୁରକୁ ବାନ୍ଧି ଘୋଷାରିଲେ। ଏଭଳି ଅମାନବିକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ କାଦକଳା ଗାଁରେ। ଆଜି କାଦକଳାରୁ କେନ୍ଦୁଝର ଯାଉଥିବା ଶୁଭମ୍ ନାମକ ଯାତ୍ରୀବାହୀ ବସ୍ ଚକ ତଳେ ଏକ କୁକୁର ପଶିଯିବାରୁ ଚାପି ହୋଇଯାଇଥିଲା।
ମା’ କୁକୁର ପଛରେ ୪-୫ଟି ଛୁଆ ଥିଲେ ମଧ୍ୟ ବର୍ତ୍ତିଯାଇଥିଲେ। ତେବେ ଗାଡ଼ି ଚକ ତଳେ କୁକୁରର ଜୀବନ ଚାଲିଗଲା ପରେ ବସ୍ କର୍ମଚାରୀ ଓହ୍ଲାଇ ମଲା କୁକୁରକୁ ବସ୍ ପଛ ପଟେ ବାନ୍ଧି ଦେଇଥିଲେ। ଫଳରେ ମଲା କୁକୁରଟି ଘୋଷାରି ହୋଇ ଯାଇଥିଲା। ଏହି ଦୃଶ୍ୟକୁ କେତେକ ଭିଡିଓ ରେକର୍ଡିଂ କରି ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରେ ପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ବିଷୟରେ ନୟାକୋଟ ଥାନା ଅଧିକାରୀ ଜନ୍ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଘଟଣା ସଂପର୍କରେ ଜାଣିବା ପରେ ଆମେ ତଦନ୍ତ ଚଳାଇଛୁ। ବସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Follow Us